ଗଜପତିରେ ଶ୍ରମ ସଙ୍ଗଠନର ସର୍ବଭାରତୀୟ ଧର୍ମଘଟର ପ୍ରଭାବ ପଡିଲା
କେନ୍ଦ୍ର ସରକାରଙ୍କ ଜନବିରୋଧି କାର୍ଯ୍ୟକଳାପକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ତରଫରୁ ଦିଆଯାଇଥିବା ଦିନିକିଆ ସର୍ବଭାରତୀୟ ଧର୍ମଘଟ ଡାକରାର ପ୍ରଭାବ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରୁ ବିଭିନ୍ନ ସ୍ଥାନକୁ ଯାଉଥିବା ଯାନବାହାନ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ସକାଳ ୬ଘଣ୍ଟା ସମୟରୁ ବିଭିନ୍ନ ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ପାରଳାଖେମୁଣ୍ଡି ସହରର ପୁରୁଣା ଫାୟାର ଷ୍ଟେସନ୍ ଛକ, ଆନ୍ଧ୍ରୁକୁ ସଂଯୋଗ କରୁଥିବା ମହେନ୍ଦ୍ରତନୟା ବ୍ରିଜ୍ ରାସ୍ତାବନ୍ଦ କରିଥିଲେ ।

ଏହାପରେ ସେମାନେ ଏକତ୍ରୀତ ହୋଇ ପିକେଟିଂ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକୁ ବନ୍ଦ କରୁଥିବାର ଦେଖିବାକୁ ମିଳିଥିଲା । ଏପରିକି ପୁରୁଣା ଫାୟାର୍ ଷ୍ଟେସନ୍ ଛକ ଠାରେ ଆନ୍ଦୋଳନକାରୀ ଓ ବାଇକ ଓ ଅଟୋଚାଲକଙ୍କ ସହ ମୁହାଁମୁହିଂ ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ ନୂଆ ବସଷ୍ଟାଣ୍ଡ୍ ଠାରୁ ଧର୍ମଘଟର ଡାକରା ଦିଆଯାଇଥିବା ବିଭିନ୍ନ ଶ୍ରମିକ ସଙ୍ଗଠନ ତରଫରୁ କେନ୍ଦ୍ର ସରକାରଙ୍କ ଜନବିରୋଧି ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦିଆଯିବା ସହଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟର ପହଞ୍ଚି ସେଠାରେ ଏକ ସାଧାରଣ ସଭା କରାଯାଇଥିଲା । ବିଶେଷ କରି ୪ଟି ଶ୍ରମ କୋଡ୍, କୃଷକ ବିରୋଧି ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ଓ ବିହନ ବିଲ୍ ପ୍ରତ୍ୟାହାର, ଆମେରିକା ସହ ଦେଶ ବିରୋଧି ବାଣିଜ୍ୟ ଚୁକ୍ତି ବାତିଲ ସହ ମନେରଗା ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବୀରେ ଏହି ଧର୍ମଘଟ ଡାକାର ଦିଆଯାଇଥିଲା ।

ଏଥିରେ ଏଆଇଟିୟୁସି, ଏଆଇକେଏମଏସ, ଏଆଇକେଏସ୍, ଏଆଇକେଏମ୍ ବିକେଏମୟୁ, ଆଇଏଫଟିୟୁ, ସିଟୁ, ଏଚଏମଏସ ସମେତ ଶ୍ରମିକ ସଙ୍ଗଠନ ସମେତ ଆଶା ଓ ଅଙ୍ଗନୱାଡି ସଂଘ ଗୁଡିକ ସାମିଲ ହୋଇଥିଲେ । ଏହି ଧର୍ମଘଟକୁ ବାମପନ୍ଥୀ, କଂଗ୍ରେସ ଦଳ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା ।

ଏଥିରେ ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ, ଏଆଇକେଏମଏସର କେଦାର ଶବର,ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ର ଜିଲ୍ଲା ସଭାପତି ପାଇଲା ମୂରଲୀ କ୍ରିଷ୍ଣା, ଏଆଇଟୁୟୁସିର ନରସିଂହ ମାଳବିଶୋୟୀ, ରଞ୍ଜନ କୁମାର ମହାପାତ୍ର, ବିକେଏମୟୁର ଲିଙ୍ଗରାଜ ଦଳେଇ, ମୋହିତ ମିଶାଲ ମାନସ ଜେନାଙ୍କ ସମେତ ବହୁ ଶ୍ରମିକ ନେତା ଓ କର୍ମୀ ସାମିଲ ହୋଇଥିଲେ । ଧର୍ମଘଟ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଦୃଷ୍ଟିରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
