ପ୍ରେମିକା ପାଇଁ ଗର୍ଭବତୀ ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା
ଭବାନୀପାଟଣା :ଭବାନୀପାଟଣା ସହର ଉପକଣ୍ଠ ଶ୍ରୀପୁର ସ୍ଥିତ ଏକ ଫାର୍ମ ହାଉସ ଅଞ୍ଚଳରୁ ଗତ ୯ତାରିଖ ମଧ୍ୟାହ୍ନରେ ମାଟି ତଳେ ପୋତା ହୋଇଥିବା ମହିଳାଙ୍କ ଗଳିତ ଶବକୁ ପୋଲିସ ଜବତ କରିଥିଲା। ତେବେ ମହିଳାଙ୍କ ପରିଚୟ ଜଣା ପଡି ନ ଥିଲା। ପରେ ପୋଲିସ ଗୁରୁତର ସହ ତଦନ୍ତ କରି ମୃତା ମହିଳାଙ୍କ ପରିଚୟ ଜାଣିବା ସଙ୍ଗେ ସଙ୍ଗେ ହତ୍ୟାକାରୀକୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ସଦର ଥାନା ଅଧିକାରୀ ମମତା ହେମ୍ବ୍ରମ ଅଭିଯୁକ୍ତ ଙ୍କ ସିନ ରିକ୍ରିଏସନ୍ କରାଇଥିଲେ। ଏହି ଘଟଣା ସମୟର ସମୟରେ କୋଦାଳ ଓ ଶାବଳ ଜବତ ହୋଇଥଲା। କେମିତି ହତ୍ୟା କରିଥିଲେ ତାହା ସେମାନେ ପୁଲିସ ଆଗରେ ସତ ଓଗାଲିଥିଲେ। ହତ୍ୟାକାରୀ ଅନ୍ୟ କେହି ନୁହେଁ ପ୍ରେମ ବିବାହ କରିଥିବା ନିଜ ସ୍ଵାମୀ ନୀଳାମ୍ବର ପଟେଲ ଓରଫ ଲଳିତ। ମୃତା ମହିଳା ହେଲେ ସେହି ଗାଁ ର ପ୍ରକାଶ ପଟେଲଙ୍କ ଝିଅ ବର୍ଷା ପଟେଲ। ମୃତା ମହିଳା ବର୍ଷାର ବୟସ ୨୫ ବର୍ଷ।

ସେ ହତ୍ୟାକାରୀ ନୀଳାମ୍ବର ଓରଫ ଲଳିତ ପଟେଲ ଉଭୟେ ୨୦୨୨ରେ ପ୍ରେମ ବିବାହ କରିଥିଲେ। ସଦର ଥାନା ଅନ୍ତର୍ଗତ ସର୍ଲାଞ୍ଜୀ ଗ୍ରାମରେ ଉଭୟଙ୍କ ଘର। ଦୁହେଁ ଗୋଟିଏ ବଂଶର ସମ୍ପର୍କୀୟ ଭାଇ ଭଉଣୀ। ତେଣୁ ଦୁଇ ପରିବାର ଏହି ବିବାହରେ ରାଜି ନଥିଲେ। ଏପରିକି ସର୍ଲାଞ୍ଜି ଗ୍ରାମବାସୀ ମଧ୍ୟ ଏଭଳି ସମ୍ପର୍କକୁନେଇ ନାନା ଚର୍ଚ୍ଚା ଆଲୋଚନା ଚଳାଇଥିଲେ। ବାଧ୍ୟହୋଇ ଶେଷରେ ବର୍ଷା ଓ ଲଳିତ ଗାଁ ଛାଡ଼ିଦେଲେ ବାହାରେ ଭଡା ଘରେ ରହୁଥିଲେ। ମାତ୍ର କିଛି ବର୍ଷ ବିତିବା ଭିତରେ ସ୍ଵାମୀ ଲଳିତ କାହା ଚାପରେ ପଡି ହେଉ କି ପରିବାରର ମାୟା ମୋହ ପାଇଁ ନିଜ ଗାଁ ଭିଟା ମାଟିକୁ ଯିବାର ନିଷ୍ପତ୍ତି ମନ ଭିତରେ ରଖିଥିଲା। ଗାଁ ଘରେ ରହି ପରିବାର ସହିତ ବଳକା ଜୀବନ କଟାଇବବୋଲି ସ୍ଥିର କରିନେଲା। କେବଳ ସେତିକି ନୁହେଁ ଲଳିତ ଅନ୍ୟ ଏକ ଝିଅ ସହ ପରକୀୟା ପ୍ରେମରେ ପଡିଯାଇଥିଲା। ତାକୁ ବିବାହ କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲା। ଲଳିତ ର ମାଁ ଓ ମାଉସୀ ସବୁ ଜାଣିଥିବା ପୋଲିସ କହିଛି। ତେଣୁ ମାଁ ଓ ମାଉସୀ ମଧ୍ୟ ପୋଲିସ ହେପାଜତରେ ଏବେ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ସହିତ ସହଯୋଗୀ ଯୋଶବନ୍ତ ଏବଂ ମାଁ ମାଉସୀଙ୍କୁ ମଧ୍ଯ କୋର୍ଟ ଚାଲାଣ କରାଯାଇପାରେ ବୋଲି ଏସଡିପିଓ ପ୍ରକାଶ କରିଛନ୍ତି।ଏତେ ସବୁ ଭିତରେ ବର୍ଷା ଲଳିତ ର ପରିବାର ପାଇଁ କଣ୍ଟା ରୂପେ ଛିଡା ହୋଇ ସମସ୍ତ ଚିନ୍ତା ପରିକଳ୍ପନାର ରାସ୍ତାରେ ଅଡ଼ୁଆ ହେଉଥିଲା।ତେଣୁ ବର୍ଷାକୁ ରାସ୍ତାରୁ ହଟାଇଲେ ଲଳିତ ଗାଁ ମୁହାଁ ହୋଇପାରିବ ଓ ଦ୍ଵିତୀୟ ଝିଅକୁ ବାହା ହୋଇପାରିବ ଭାବି ବର୍ଷାକୁ ହତ୍ୟା ପାଇଁ ନୀଳ ନକ୍ସା ପ୍ରସ୍ତୁତ କଲା। ଇତିମଧ୍ୟରେ ବର୍ଷା ୮ ମାସର ଗର୍ଭବତୀ ଜାଣିବା ସତ୍ତ୍ୱେ ମଧ୍ୟ ସ୍ଵାମୀ ଲଳିତ ଗତ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ରାତିରେ ବର୍ଷା କୁ ତଣ୍ଟ ଚିପି ହତ୍ୟା କରିଦେଇଥିଲା। ନିଜ ବନ୍ଧୁ ଚକ୍ରଧର ନଗରର ଯୋଷବନ୍ତ ଗୌଡ଼ର ସହାୟତାରେ ଫାର୍ମହାଉସ ଭିତରେ ମାଟି ଖୋଲି ପୋତିଦେଇଥିଲା। ପରବର୍ତ୍ତୀ ସମୟରେ ଗତ ୯ତାରିଖରେ ଫାର୍ମ ହାଉସର ସଫେଇ କର୍ମଚାରୀ ସଫେଇ କରୁଥିବାବେଳେ ମାଟି ଉପରେ ବର୍ଷାର ଆଙ୍ଗୁଠି ପଦାକୁ ବାହାରିଥିବା ଦେଖି ପ୍ରଥମେ ଫାର୍ମ ହାଉସ ମାଲିକ ପରେ ପୋଲିସକୁ ଜଣାଇଥିଲେ। ପୋଲିସ ଖୋଳତାଡ଼ କରି ଘଟଣାର ପର୍ଦ୍ଦାଫାସ କରିଛି। ଏ ନେଇଁ ସଦର ଥାନା ପୋଲିସ ଏକ ମାମଲା ନଂ (୪୮/୯-୨-୨୬) ଦଫା ୧୦୩/୧ -୫ବିଏନ ଏସ ମାମଲା ରୁଜୁ କରିଛି। ଲଳିତର ମାଁ ମାଟିତଳେ ପୋତିବାରେ ସାହାଯ୍ୟ କରିବାକୁ ଯୋଷବନ୍ତକୁ ୫୦ହଜାର ଟଙ୍କା ଦେବା ଏବଂ ଯୋଷବନ୍ତ ସେ ଟଙ୍କାରେ ସ୍କୁଟି ଗାଡ଼ି କିଣିବା କଥା ମଧ୍ୟ ପୋଲିସ ଜାଣିପାରିଛି। ମୁଖ୍ୟ ଅଭିଯୁକ୍ତ ଲଳିତ ର ପରିବାର ହତ୍ୟାକାଣ୍ଡ ରଚିବାରେ ସାମିଲ ଥିବା ପୋଲିସ ଜାଣିବା ପରେ ଗୋଟେ ପରେ ଗୋଟେ ଘଟଣା ସାମ୍ନାକୁ ଆସିଲା। ପ୍ରେମରେ ସୁଖ ଦୁଃଖ ଚିନ୍ତା ଚେତନା ସମର୍ପଣ ଆକର୍ଷଣ ସବୁ ତୁଚ୍ଛବୋଲି ଏହି ହତ୍ୟାକାଣ୍ଡ ଘଟଣା ପ୍ରମାଣିତ କରିଦେଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…
