February 20, 2026
Home » ପୋଲସରା ଆଇସିଡିଏସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଏବଂ ଶପଥ ପାଠ

ପୋଲସରା ଆଇସିଡିଏସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଏବଂ ଶପଥ ପାଠ

0
WhatsApp Image 2026-02-20 at 1.51.27 PM

ପୋଲସରା :-ପୋଲସରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବହୁ ଆଶା ଓ ଆକାଂକ୍ଷାର ପ୍ରତୀକ “ବେଟି ବଚାଓ, ବେଟି ପଢାଓ” ଏବଂ “ବାଲ୍ୟ ବିବାହ ମୁକ୍ତ ଭାରତ” ଯୋଜନା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୋଲସରା ସିଡିପିଓ ତିଳୋତ୍ତମା ରାଉତ ଅଧ୍ୟକ୍ଷତା କରିଥିଲେ ।ଏଥିରେ ପୋଲସରା ଥାନା ଅଧିକାରୀ ମିଲନ ପ୍ରଧାନ, ରିସୋର୍ଚ୍ ପର୍ସନ ଆଇନଜୀବୀ ଜମିର ଅଲ୍ଲିଖାନ୍, ୟୁବି ଆଇ ବ୍ରହ୍ମପୁର ଶାଖାର ଆର୍ଥିକ ସାକ୍ଷରତା ପରାମର୍ଶଦାତା ଦିଲ୍ଲୀପ କୁମାର ଦଳେଇ, ପୋଲସରା ସିଏଚସି ଆୟୁଶ ବିଭାଗ ଡକ୍ଟର ଶୁଭ୍ରମୟୀ ପାଢ଼ୀ , ମିଶନ ଶକ୍ତି ମହିଳା ସଶକ୍ତିକରଣ ଦାୟିତ୍ଵ ନିର୍ବାହ ଅଧିକାରୀ ବବିତା ମହାରଣା, ଏବଂ ବିଇଓ କାର୍ଯ୍ୟାଳୟରୁ ନିରଞ୍ଜନ ବେହେରା ପୂର୍ବତନ ସିଆରସିସି ସୁନୀଲ କୁମାର ବେହେରା ଓ ଭାଗିରଥି ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଅବସରରେ ଅଞ୍ଚଳର ୮ମ ଶ୍ରେଣୀରୁ କଲେଜ ପର୍ଯ୍ୟନ୍ତ ଯୋଗଦେଇଥିବା ଛାତ୍ରୀମାନଙ୍କୁ ଅତିଥି ଜମିର ଅଲ୍ଲି ଖାନ୍ ଏବଂ ଅତିଥି ଦିଲୀପ କୁମାର ଦଳେଇ ଏଵଂ ଥାନା ଅଧିକାରୀ ମିଲନ ପ୍ରଧାନ ପ୍ରମୁଖ ସାମ୍ପ୍ରତିକ ସମୟରେ ମୋବାଇଲର ବ୍ୟବହାର ସତର୍କତା ଭାବେ ନ କରାଯାଉଥିବାରୁ ବିଭିନ୍ନ ଉପାୟମାନ ଅବଲମ୍ବନ କରି ସାଇବର ଅପରାଧୀମାନେ ଜନସାଧାରଣଙ୍କୁ ନିଜ ଜାଲରେ ଫସାଇ ଅନାୟସରେ ଟଙ୍କା ଲୁଟ୍ କରିବାରେ ସକ୍ଷମ ହେଉଥିବା କହିବା ସହିତ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ବ୍ୟବହାର, ଅନଲାଇନ୍ ଟ୍ରାନଜେସନ ଏଵଂ ମୋବାଇଲରେ ତଥ୍ୟ ଆଦାନ ସମୟରେ ସତର୍କ ଓ ସଜାଗ ରହିବା ଦିଗରେ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଏକ ଶପଥ ପାଠ କରାଯିବାପରେ ୩ ଜଣ କିଶୋରୀ ଚମ୍ପିୟାନ ଛାତ୍ରୀଙ୍କୁ ପ୍ରସ°ଶାପତ୍ର ସହିତ ୧ହଜାର ଅର୍ଥରାଶି ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା ସମ୍ବନ୍ଧୀୟ ପ୍ରଶ୍ନଉତ୍ତର ପରୀକ୍ଷା କାର୍ଯ୍ୟକ୍ରମ ସ୍ଵତନ୍ତ୍ର ଭାବେ କରାଯାଇଥିଲା । ସଭା ପରିଚାଳନା କ୍ଷେତ୍ର ପରିଦର୍ଶିକା ସୁରଭି କୁସୁମ ଦାସ କରିବାସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନ୍ୟ ଦୁଇ ଜଣ ପରିଦର୍ଶିକା ଜୟନ୍ତୀ ସାବତ ଓ ମୁକୁତା ଦେବୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *