March 28, 2026
Home » ଓଡ଼ିଶା ପୌର ନିୟମାବଳୀରେ ସଂଶୋଧନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାବୃଦ୍ଧି

ଓଡ଼ିଶା ପୌର ନିୟମାବଳୀରେ ସଂଶୋଧନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାବୃଦ୍ଧି

0
Housing-and-urban-department-odisha

 

ଭୁବନେଶ୍ୱର:ରାଜ୍ୟର ପୌରପାଳିକାଗୁଡ଼ିକର କାର୍ଯ୍ୟଧାରାକୁ ଅଧିକ ସରଳ ଓ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ‘ଓଡ଼ିଶା ପୌର ନିୟମାବଳୀ, ୧୯୫୩’ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ନୂତନ ‘ଓଡ଼ିଶା ପୌର (ସଂଶୋଧନ) ନିୟମାବଳୀ, ୨୦୨୫’ ଅନୁଯାୟୀ, ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ (Executive Officer) ଏବଂ ଅଧ୍ୟକ୍ଷ (Chairperson)ଙ୍କ ଆର୍ଥିକ ଅନୁମୋଦନ କ୍ଷମତାରେ ପରିବର୍ତ୍ତନ କରାଯାଇଛି।ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (ସଂଖ୍ୟା-୯୨୪୭) ଅନୁଯାୟୀ କରାଯାଇଥିବା ପ୍ରମୁଖ ସଂଶୋଧନଗୁଡ଼ିକ କରାଗଲା।କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ କାଉନସିଲ୍‌ର ବିନା ଅନୁମତିରେ ପୌର ପ୍ରଶାସନ ପାଇଁ ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ ପ୍ରତିଥର ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ସ୍ଥାନୀୟ କ୍ରୟ କମିଟିର ସୁପାରିଶ କ୍ରମେ ସେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ରୟ କରିପାରିବେ।୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ବିଲ୍ ଏବଂ ଦେୟ ଆଦେଶ କେବଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇପାରିବ। ଯଦି ଏହି ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହୁଏ, ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୌର ଅଧ୍ୟକ୍ଷ ମିଳିତ ଭାବେ ଏହାକୁ ଅନୁମୋଦନ କରିବେ ।୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟର ପ୍ରଶାସନିକ ଅନୁମୋଦନ କାର୍ଯ୍ୟନିର୍ବାହୀ ଅଧିକାରୀ ଦେଇପାରିବେ। ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ଅଧ୍ୟକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି କୌଣସି ବିଲ୍ ଅଧ୍ୟକ୍ଷଙ୍କ ନିକଟରେ ଉପସ୍ଥାପନ ହେବାର ୭ ଦିନ ମଧ୍ୟରେ ସ୍ୱାକ୍ଷରିତ କିମ୍ବା କାରଣ ସହ ଫେରସ୍ତ ନ ହୁଏ, ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ ଦ୍ୱାରା ସେହି ବିଲ୍ ଅନୁମୋଦନ କରାଇପାରିବେ।ଏହି ସଂଶୋଧନ ଫଳରେ ପୌର ସଂସ୍ଥାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଏବଂ ବିକାଶମୂଳକ କାମରେ ଥିବା ପ୍ରଶାସନିକ ବାଧା ଦୂର ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *