April 26, 2026
Home » ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀ ପାଳକଙ୍କ ପାଇଁ ସଚେତନତା ଶିବିର

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀ ପାଳକଙ୍କ ପାଇଁ ସଚେତନତା ଶିବିର

0
WhatsApp Image 2026-04-26 at 2.32.13 PM (1)

 

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ‘ସଂପର୍କ’ ତରଫରୁ ପୁରୀ ଜିଲ୍ଲାର ବ୍ରହ୍ମଗିରି ସ୍ଥିତ ଗିରାଳ ଅଞ୍ଚଳରେ ପ୍ରାଣୀ ପାଳକମାନଙ୍କ ପାଇଁ ଏକ ବ୍ୟାପକ ସଚେତନତା ଓ ପରାମର୍ଶ ଶିବିର ଆୟୋଜିତ ହୋଇଯାଇଛି । ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ମୂଳ ଉଦ୍ଦେଶ୍ୟ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସେମାନଙ୍କ ପ୍ରତି ମାନବୀୟ ଦୃଷ୍ଟିଭଙ୍ଗୀ ବୃଦ୍ଧି କରିବା ଥିବାବେଳେ, ସଂପର୍କ ପକ୍ଷରୁ ଏହି ଦିନଟିକୁ ସାର୍ଥକ କରିବା ପାଇଁ ଗ୍ରାମାଞ୍ଚଳର ପ୍ରାଣୀ ପାଳକମାନଙ୍କ ମଧ୍ୟରେ ସଚେତନତା ପ୍ରସାର କରାଯାଇଛି ।ଏହି ଅବସରରେ ସଂଗଠନର ସଦସ୍ୟମାନେ ଗ୍ରାମର ବିଭିନ୍ନ ପ୍ରାଣୀ ପାଳକଙ୍କ ଘରକୁ ଯାଇ ଗାଈ, ମହିଷ, ଛେଳି, ମେଣ୍ଢା ଓ ଅନ୍ୟାନ୍ୟ ଗୃହପାଳିତ ପ୍ରାଣୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଟିକାକରଣ, ପୌଷ୍ଟିକ ଖାଦ୍ୟ, ପରିଷ୍କାର ପରିବେଶ ଏବଂ ସମୟୋପଯୋଗୀ ଚିକିତ୍ସାର ଆବଶ୍ୟକତା ବିଷୟରେ ଜଣାଇଥିଲେ। ପ୍ରାଣୀମାନଙ୍କ ରୋଗକୁ ଅବହେଳା ନକରି ଆରମ୍ଭରୁ ଯଥାଯଥ ଚିକିତ୍ସା କରାଇବା ଦ୍ୱାରା ବଡ଼ କ୍ଷତିକୁ ରୋକାଯାଇପାରିବ ବୋଲି ସେମାନେ ପ୍ରାଣୀ ପାଳକମାନଙ୍କୁ ପରାମର୍ଶ ଦେଇଥିଲେ।ବିଶେଷତଃ ଗ୍ରାମାଞ୍ଚଳରେ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀରେ ଉପଲବ୍ଧ ନିମ୍ବ, ତୁଳସୀ, ହଳଦୀ, ରସୁଣ, ଗୁଆଁ ଗଛ ପତ୍ର ଓ ଅନ୍ୟାନ୍ୟ ଔଷଧୀୟ ଗଛପତ୍ର ମାଧ୍ୟମରେ ପ୍ରାଣୀମାନଙ୍କ ପ୍ରାଥମିକ ଯତ୍ନ କିପରି ନିଆଯାଇପାରିବ, ସେନେଇ ପ୍ରାୟୋଗିକ ଭାବରେ ସଚେତନ କରାଯାଇଥିଲା। ସ୍ଥାନୀୟ ସମ୍ପଦକୁ ବ୍ୟବହାର କରି କମ୍ ଖର୍ଚ୍ଚରେ ପ୍ରାଣୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ରକ୍ଷା କରିବାର ଉପାୟ ସମ୍ପର୍କରେ ଗ୍ରାମବାସୀମାନେ ଆଗ୍ରହ ସହିତ ଅବଗତ ହୋଇଥିଲେ।ପ୍ରାଣୀ ଚିକିତ୍ସକ ଡ଼ା. କମଲେଶ ପ୍ରଧାନଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ସେ ପ୍ରାଣୀମାନଙ୍କ ମଧ୍ୟରେ ସାଧାରଣତଃ ଦେଖାଯାଉଥିବା ରୋଗ, ସେଗୁଡ଼ିକର ଲକ୍ଷଣ ଏବଂ ସମୟରେ ଚିକିତ୍ସାର ଗୁରୁତ୍ୱ ବିଷୟରେ ଗ୍ରାମବାସୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ପ୍ରାଣୀମାନଙ୍କ ସୁସ୍ଥତା ସିଧାସଳଖ ଭାବରେ ପରିବାରର ଆର୍ଥିକ ସ୍ଥିତି ସହ ଜଡିତ ଥିବାରୁ ପ୍ରାଣୀ ଚିକିତ୍ସାକୁ ଅବହେଳା କରିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ।

ସଂପର୍କର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିଥିଲେ ଯେ, ପ୍ରାଣୀ ସୁରକ୍ଷା, ଗ୍ରାମୀଣ ସଚେତନତା, ଯୁବ ସଶକ୍ତିକରଣ ଓ ସାମାଜିକ ବିକାଶ କ୍ଷେତ୍ରରେ ସଂଗଠନ ଆଗାମୀ ଦିନରେ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିବ।ଏହି ସଚେତନତା ଶିବିରରେ ତପନ ଲେଙ୍କା, ଶୁଭ ପ୍ରସାଦ ଶର୍ମା ଏବଂ ବିଶ୍ୱଜିତ୍ ମିଶ୍ର ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ। ସ୍ଥାନୀୟ ପ୍ରାଣୀ ପାଳକମାନେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ଏବଂ ଏପରି ଉଦ୍ୟମ ଗ୍ରାମାଞ୍ଚଳରେ ଅଧିକ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

 

puri ru soubhagya pattanayak nka report

Leave a Reply

Your email address will not be published. Required fields are marked *