ଧର୍ମଗଡ଼ ବ୍ଲକରେ ବିକାଶର ନଗ୍ନ ଚିତ୍ର
ପୁଣି ଜନନୀ ଯନ୍ତ୍ରଣା- ଖଟିଆ ରେ ବୁହା ହେଲେ ଗର୍ଭବତୀ।
ଧର୍ମଗଡ଼ :ପୁଣି ଜନନୀ ଯନ୍ତ୍ରଣା ର ଚିତ୍ର ସାମ୍ନା କୁ ଆସିଛି। ଖରାପ ରାସ୍ତା ଯୋଗୁ ପ୍ରାୟ ଦେଢ଼ କିଲୋମିଟର ଦୂର ଖଟିଆ ରେ ବୁହାହେଲେ ଗର୍ଭବତୀ। ଧର୍ମଗଡ ବ୍ଲକ ଧଅଁରପୁର ପଞ୍ଚାୟତ ଆମ୍ବଗୁଡା -ମାଲପଡା ଗ୍ରାମ ଗାଁର ଦେବାନନ୍ଦ ମାଝୀ ଙ୍କ ସ୍ତ୍ରୀ ଲଳିତା ମାଝୀ ଙ୍କୁ ପ୍ରସବ ଯନ୍ତ୍ରଣା ହୋଇ ଥିଲା।ଗାଁ ର ଆଶା କର୍ମୀ ଙ୍କୁ ଏନେଇ ଖବର ଦେବା ପରେ ସେ ଆସି ୧୦୮ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ।ଆମ୍ବୁଲାନ୍ସ ଆସିଲା ସତ ହେଲେ ଗାଁ ନିକଟ ମୁଖ୍ୟ ରାସ୍ତା ରେ ଅଟକି ରହିଥିଲା।ଗତ କିଛିଦିନ ହେବ କାଳବୈଶାଖୀ ବର୍ଷା ଯୋଗୁ ଗାଁ ରାସ୍ତା କାଦୁଅ ହୋଇ ରାସ୍ତା ମଝିରେ ଆଣ୍ଠୁଏ ଗାତ ସୃଷ୍ଟି ହୋଇଛି।

ଯାହା ଆମ୍ବୁଲାନ୍ସ ଯିବା ତ ଦୂର କଥା ସାଧାରଣ ଭାବେ ପାଦ ଚଳା ବି ଅସମ୍ଭବ ହୋଇ ପଡିଛି।କିଛି ଉପାୟ ନ ପାଇ ଶେଷରେ ଆଶା କର୍ମୀ ଓ ପରିବାର ଲୋକେ ଏକ ଖଟିଆରେ ବୋହି ଦୀର୍ଘ ଦେଢ଼ କିମି ଦୂର ରେ ଅଟକି ରହିଥିବା ଆମ୍ବୁଲାନ୍ସ ପାଖକୁ ନେଇ ଥିଲେ।ଗାଁ ଗଣ୍ଡା ମାନଙ୍କ ବିକାଶ ପାଇଁ ପଂଚାୟତ ଓ ସମିତି ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଥିଲେ ହେଁ ନିମ୍ନ ମାନର କାମ ଯୋଗୁଁ ଗ୍ରାମାଞ୍ଚଳ ର ରାସ୍ତା ଘାଟ ଅବସ୍ଥା ଠିକ୍ ନାହିଁ। କିଛି ବର୍ଷ ତଳେ ସମାନ ଦୃଶ୍ୟ ଏହି ଗାଁ ରେ ଘଟିଥିବା ବେଳେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ପୂର୍ବ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତତ୍ପରତା ଦେଖାଇ ଗାଁ କୁ ଏକ ମାଟି ରାସ୍ତା ନିର୍ମାଣ କରିଥିଲେ।ହେଲେ ପରବର୍ତ୍ତୀ ସମୟରେ ରାସ୍ତା ର ଉନ୍ନତି କରଣ କରିବାକୁ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ମାନେ ଭୁଲି ଯାଇଥିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।ଏନେଇ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ଙ୍କୁ ପଚାରିବାରୁ ବିଧାୟକ ତାଙ୍କ ପାଣ୍ଠି ରୁ ଅର୍ଥ ଦେଇଛନ୍ତି ଖୁବ ଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
