ବୃଦ୍ଧ ପିତା ମାତାଙ୍କୁ ଅବହେଳା ମହଙ୍ଗା ପଡ଼ିଲା।
ବୃଦ୍ଧ ପିତାମାତାଙ୍କୁ ଅବହେଳା କରିବା ବେଶ୍ ମହଙ୍ଗା ପଡ଼ିଛି ଦୁଇ ପୁଅଙ୍କୁ। ବୃଦ୍ଧ ପିତାମାତାଙ୍କୁ ନିର୍ଯାତନା ଓ ଅବହେଳା ଅଭିଯୋଗକୁ ନେଇ ତଦନ୍ତ ପରେ ପ୍ରଶାସନ ଦୁଇ ପୁଅଙ୍କୁ ଘରୁ ବାହାର କରିଦେଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ କୁମ୍ଭାରପଡ଼ା ଥାନା ଅର୍ନ୍ତଗତ ନରେନ୍ଦ୍ର କୋଣ ବାୟାବାବା ମଠ ନିକଟରେ। ବାୟାବାବା ମଠ ଲେନ୍ ରେ ରହୁଥିବା ଦୁଇଜଣ ବୃଦ୍ଧ ଦୟାନିଧି ବେହେରା ଏବଂ ତାଙ୍କ ପତ୍ନୀ ପ୍ରମିଳା ବେହେରାଙ୍କୁ ଦୀର୍ଘ ବର୍ଷ ହେବ ତାଙ୍କ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ଓ ଚିନ୍ତାମଣି ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ବୃଦ୍ଧ ସମୟରେ ବାପା ମାଆଙ୍କ ଯତ୍ନ ନେବା ପରିବର୍ତ୍ତେ ଦୁଇପୁଅ ସମ୍ପତ୍ତି ନିଜ ନାଁ ରେ କରାଇଦେବାକୁ ନେଇ ଦୀର୍ଘ ଦିନ ହେବ ବାପା ମାଆଙ୍କୁ ଉଭୟ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ଯନ୍ତ୍ରଣା ଏବଂ କଷ୍ଟ ଅସହାୟ ହେବାରୁ ପୁରୀ ଉପଜିଲ୍ଲାପାଳଙ୍କ ପାଖରେ ଦ୍ବାରସ୍ଥ ହୋଇଥିଲେ ବୃଦ୍ଧ ଦମ୍ପତି ଦୟାନିଧି ବେହେରା ଏବଂ ତାଙ୍କ ପତ୍ନୀ ପ୍ରମିଳା ବେହେରା। ଉପଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ଘଟଣାର ସତ୍ୟତା ଜାଣିବା ପରେ ବୃଦ୍ଧ ଦମ୍ପତିଙ୍କ ଦୁଇ ପୁଅ, ବୋହୂ ଏବଂ ନାତିଙ୍କୁ ଘରୁ ବାହାର କରିଦିଆଯାଇଛି। ସିନିୟର୍ ସିଟିଜିନ୍ ଆକ୍ଟ ଅନୁଯାୟୀ ପୁରୀ ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେପଟେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ବୃଦ୍ଧ ଦମ୍ପତି।
ସମାଜରେ ଦିନକୁ ଦିନ ବୃଦ୍ଧ ପିତାମାତାଙ୍କ ପ୍ରତି ସନ୍ତାନ ମାନଙ୍କର କ୍ରୁର ଆଚରଣ ବୃଦ୍ଧି ପାଇବାରେ ଲାଗିଛି। ବୃଦ୍ଧ ବୟସରେ ଯେଉଁଠି ବାପାମାଆଙ୍କୁ ତାଙ୍କ ଦାୟାଦ ମାନେ ଯତ୍ନ ନେବା କଥା ଦୁର୍ଭାଗ୍ୟର ବିଷୟ ଏହାର ବ୍ୟତିକ୍ରମ ଏବେ ଦେଖିବାକୁ ମିଳୁଛି। ବାପାମାଆଙ୍କ ପ୍ରତି ସନ୍ତାନ ମାନଙ୍କର ଏଭଳି ହତାଦର ମନୋଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ଏଭଳି ଘଟଣାକୁ ନେଇ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମାଜ ଉପରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ। ସେହିପରି ପ୍ରତ୍ୟେକ ଘରେ ଯେଉଁ ବରିଷ୍ଠ ନାଗରିକ ରହୁଛନ୍ତି ତା’ର ତାଲିକା ମଧ୍ୟ ପ୍ରଶାସନ ନିକଟରେ ରହିବା ଉଚିତ। ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସାମାଜିକ ସ୍ତରରେ କରିବାର ଆବଶ୍ୟକ ରହିଥିବା ବୁଦ୍ଧିଜୀବୀ କହିଛନ୍ତି। ସେପଟେ ପୁରୀ ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ପୁରୀ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୃଦ୍ଧ ଦମ୍ପତିଙ୍କୁ ଯତ୍ନ ନେବାରେ ଅବହେଳା କରିଥିବା ତାଙ୍କ ପୁଅ, ବୋହୂଙ୍କୁ ଘରୁ ବାହାର କରାଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ସକରାତ୍ମକ ପ୍ରଭାବ ପକାଇବ ବୋଲି ଆଶା ରଖିଛନ୍ତି ସିଟି ଡିଏସପି।
