September 12, 2026
Home » ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ।

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ।

0
WhatsApp Image 2026-05-22 at 4.46.40 PM

ପୁରୀ : ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ତଥା ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ପୁରୀ ଜିଲ୍ଲା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିବାରୁ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ବିଶେଷ କରି ବନ୍ୟା ଓ ବାତ୍ୟା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ଯୋଜନା ଅନୁସାରେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ।ସମସ୍ତ ଜଳସେଚନ ଡିଭିଜନ, ଡ୍ରେନେଜ ଡିଭିଜନ କ୍ଷେତ୍ର ପରିଦର୍ଶନ ସହ ସମସ୍ତ କାର୍ଯ୍ୟ କୁ ଅନୁଧ୍ୟାନ କରିବା,ଦୁର୍ବଳ ନଦୀ ବନ୍ଧ ଚିହ୍ନଟ କରି ସମୀକ୍ଷା ଓ ମରାମତି କରିବା, ଲୋକ ପ୍ରତିନିଧି ମାନଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ତାହାର ରିପୋର୍ଟ ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ବୈଠକରେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱାପ୍ନାରାଣୀ ସ୍ୱାଇଁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ନଦୀ ବନ୍ଧ ସୁଦୃଢ କରିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ବିବିଧ ମତାମତ ପ୍ରଦାନ କରିଥିଲେ।ବିପର୍ଯ୍ୟୟ ପୂର୍ବରୁ ଜନସାଧାରଣ ଙ୍କୁ ସତର୍କ ଓ ସଚେତନ କରିବା ସହ ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ ସମ୍ପଦ, କୃଷି ଇତ୍ୟାଦି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା।ଜିଲ୍ଲାରେ ଚଳିତ ବର୍ଷ ଜୁନ ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ଓ ବିଡ଼ିଓ, ତହସିଲଦାର ମାନେ ଦୈନିକ ପରିସ୍ଥିତି ବା ସିଚୁଏସନ ରିପୋର୍ଟ ପ୍ରଦାନ କରିବେ।ଜିଲ୍ଲାରେ ୨୯ ଟି ଏସ ଆର ସି ବୋଟ ରହିଛି।ଓସଡାମା ପକ୍ଷରୁ ୧୭୦ ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ରେଡକ୍ରସ ପକ୍ଷରୁ ୯ ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି।ସେହିପରି ୩୭୨ ଟି ବିକଳ୍ପ ଆଶ୍ରୟ ସ୍ଥଳ ମଧ୍ୟ ରହିଛି। ଇତି ମଧ୍ୟରେ ବୋଟ ଚାଳକ ଓ ଖଲାସୀ ଙ୍କୁ ନିଯୁକ୍ତ କରାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ଯେଉଁ ମାନେ କି ବନ୍ୟା ସମୟରେ ସହଯୋଗ କରିବେ।ସରକାର ଓ ଏସଆରସି ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା କୁ ସଠିକ ଭାବେ ଅନୁପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ଗୁଡିକ ର ମରାମତି ଓ ବାସପୋଯୋଗୀ କରିବା, ବନ୍ୟା ଓ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ଅତ୍ୟବଶ୍ୟକ ସାମଗ୍ରୀ ଯଥା ଚୁଡା, ଗୁଡ ଇତ୍ୟାଦି ମହଯୁଦ ରଖିବା, ନିୟନ୍ତ୍ରଣ କକ୍ଷ ପରିଚାଳନା କରିବା, ଜନପ୍ରତିନିଧି ଓ ପଞ୍ଚାୟତ ପ୍ରତିନିଧି ,ସ୍ୱଛାସେବୀ ମାନଙ୍କ ସହ ଯୋଗାଯୋଗ ମାଧ୍ୟମରେ ଜରୁରୀ ସୂଚନା ପ୍ରଦାନ କରିବା, ଖାଦ୍ୟ, ଔଷଧ, ସାପ କାମୁଡା ଆଣ୍ଟିଭେନମ ଔଷଧ ମହଯୁଦ ରଖିବା, ଗୋ ଖାଦ୍ୟ ଇତ୍ୟାଦି ମହଯୁଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟ ସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,
ଅତିରିକ୍ତ ଏସ ପି ସୌମ୍ୟ ରଞ୍ଜନ ମଲ୍ଲିକ, ସାଂସଦ ଓ ବିଧାୟକ ଙ୍କ ପ୍ରତିନିଧି, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ।ଶେଷରେ ଜିଲ୍ଲା ଜରୁରୀ ବିଭାଗ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ। ଡିପିଓ ସୁକାନ୍ତ ଦାଶ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *