ତିନିରଥର ସମସ୍ତ ଚକ – ଅଖ ସଂଯୋଗ ଶେଷ
ତିନିରଥର ସମସ୍ତ ଚକ – ଅଖ ସଂଯୋଗ ଶେଷ ହୋଇଛି। ତିନିରଥର ମୁଖ୍ୟ ମହାରଣା ଏବଂ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ତିନିରଥର ଭୋଇ ସେବକ ମାନଙ୍କ ସହାୟତାରେ ଚକ – ଅଖ ସଂଯୋଗ ସମ୍ପୂର୍ଣ୍ଣ ହୋଇଅଛି। ଏବେ ତିନିରଥର ଚକ ଥାକ ସହ ଚକ ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହେବ।ଆବଶ୍ୟକ ଅନୁଯାୟୀ ଅଖ ସଂଶୋଧନ କାର୍ଯ୍ୟ ସହ ଚକ ଆଗକୁ ନଗଡି ଯିବା ପାଇଁ ଚକ ଦୁଇ ପାର୍ଶ୍ୱରେ ବାନ୍ଧ ଲାଗି କରାଯିବ।ଏଥିସହ ତାଳଧ୍ଵଜ ରଥ ଏବଂ ନନ୍ଦି ଘୋଷ ରଥର ୧୨ ଟି ଲେଖାଏଁ ଗୟଳ ରୁ ୫ ଟି ଲେଖାଏଁ ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି।

ଦର୍ପଦଳନ ରଥର ୮ ଗୋଟି ଗୟଳ ମଧ୍ୟରୁ ଦୁଇଟି ଗୟଳ ର ଚଉପଟ କାର୍ଯ୍ୟ ଶେଷ ହେବା ସହ ଆଉ ଦୁଇଗୋଟି ଗୟଳ ର ଚଉପଟ କାର୍ଯ୍ୟ ଜାରୀ ରହିଛି।ଏଥିସହ ମହାରଣା ସେବକ ମାନେ ତିନିରଥର ଦଣ୍ଡା ଅଂଶ ଗୁଡ଼ିକର କଳଶା କାର୍ଯ୍ୟ ଜାରୀ ରଖିଛନ୍ତି।ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟି ରେ କୁମ୍ଭ, ଡାଳି ଲତା ଚିତ୍ର ଖୋଦେଇ ସହ ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଚିତ୍ର ଅଙ୍କନ ପରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।ଦୋଳବେଦୀ ଅସ୍ଥାୟୀ କମାର ଶାଳ ଠାରେ ତିନି ରଥର ଓଝା କମାର ସେବକ ମାନେ ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନିରଥ ର ପୋଟଳ ପାଇଁ ଜଙ୍ଘା କଣ୍ଟା ସହ ନଦା ବାଗିଆ କଣ୍ଟା ସେବନ ଗୟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ତଥା ରଥଯାତ୍ରା ରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।
