June 1, 2026
Home » ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS): ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ (EMRS): ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

0
WhatsApp Image 2026-06-01 at 5.46.07 PM

ଭୁବନେଶ୍ୱର, ଜୁନ୍ ୧ ୨୦୨୬: ଓଡ଼ିଶାର ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟର (EMRS) ସଫଳତାରେ ଯୋଡିହେଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଗୁଣାତ୍ମକ ଶିକ୍ଷାର ପରିବର୍ତ୍ତନଶୀଳ ପ୍ରଭାବକୁ ପ୍ରଦର୍ଶନ କରି ଚଳିତ ଓଡ଼ିଶା ଲୋକସେବା ଆୟୋଗ (OPSC) ର ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଏହି ଅନୁଷ୍ଠାନର ତିନି ଜଣ ପୂର୍ବତନ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ, ନୂଆଗାଁ ଗ୍ରାମର ଗଣ୍ଡ ଜନଜାତିର ସୁଶ୍ରୀ ନୀଳିମା କୁମାରୀ ନାୟକ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୧୯୪ତମ ରାଙ୍କ୍ ହାସଲ କରିଛନ୍ତି। କେନ୍ଦୁଝରର EMRS ରାଙ୍କିର ପୂର୍ବତନ ଛାତ୍ରୀ, ନୀଳିମା ୨୦୧୭ରେ ଏହି ଅନୁଷ୍ଠାନରୁ ତାଙ୍କର ଉଚ୍ଚ ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ବର୍ତ୍ତମାନ ସହକାରୀ ଶ୍ରମ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ନିଳିମା, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ମାୟାଧର ନାୟକ ଏବଂ ମାଟ୍ରନ୍ ଶ୍ରୀମତୀ ହୀରାମଣୀ ନାୟକଙ୍କ ଝିଅ। ତାଙ୍କର ଏହି ଅସାଧାରଣ ସଫଳତା ସମଗ୍ର ରାଜ୍ୟରେ ଆଦିବାସୀ ଯୁବକମାନଙ୍କ ପାଇଁ ଏକ ପ୍ରେରଣା ସ୍ୱରୂପ ପାଲଟିଛି।ସେହିପରି ଆଉ ଜଣେ ଗର୍ବିତ କୃତିତ୍ୱ ହାସଲକାରୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ପଞ୍ଚୁଗୋଛିଆ ଗ୍ରାମ ସାନ୍ତାଳ ଜନଜାତିର କୃଷ୍ଣ ଚନ୍ଦ୍ର ହେମ୍ବ୍ରମ । ସେ ୨୦୧୭ ମସିହାରେ ଯାଜପୁର ଅନ୍ତର୍ଗତ EMRS ରାମପିଲୋରୁ ଦଶମ ଶ୍ରେଣୀ ପାସ୍ କରିଥିଲେ । ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୧୮୫ତମ ରାଙ୍କ୍ ହାସଲ କରିଛନ୍ତି।

 

ବର୍ତ୍ତମାନ EMRS ଭବାନୀପୁରରେ TGT (ସାମାଜିକ ଅଧ୍ୟୟନ) ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା କୃଷ୍ଣ, ତାଙ୍କ ପିତାମାତା ସ୍ୱର୍ଗତ କୁଳମଣି ହେମ୍ବ୍ରମ ଏବଂ ସ୍ୱର୍ଗତ ଜାବା ହେମ୍ବ୍ରମଙ୍କୁ ହରାଇ ଜୀବନର ଅନେକ ବ୍ୟକ୍ତିଗତ କଷ୍ଟକୁ ଦୂର କରି ସଫଳ ହୋଇଛନ୍ତି। ଏହି କୃତିତ୍ୱ ତାଙ୍କର ଦୃଢ଼ତା, ସଂଘର୍ଷ ଏବଂ ସମର୍ପଣକୁ ପ୍ରତିଫଳିତ କରୁଛି ।ଏଥିସହିତ, ନବରଙ୍ଗପୁର ଜିଲ୍ଲା ସାନବାର୍ଲି ଗ୍ରାମର ଭତ୍ରା ଜନଜାତିର କେଶବ ମାଝୀ ମଧ୍ୟ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୧୮୨ତମ ରାଙ୍କ୍ ହାସଲ କରି ସଫଳତା ପାଇଛନ୍ତି। ୨୦୧୭ ମସିହାରେ ନବରଙ୍ଗପୁରର EMRS ହିର୍ଲିରୁ ପାସ୍ କରି କେଶବ ବର୍ତ୍ତମାନ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ଏକ ସାଧାରଣ ଚାଷୀ ପରିବାରରେ ଜନ୍ମଗ୍ରହଣ କରି ସେ ଆଜି ଗ୍ରାମୀଣ ଏବଂ ଆଦିବାସୀ ପୃଷ୍ଠଭୂମିର ଛାତ୍ରମାନଙ୍କ ପାଇଁ ଏକ ଆଦର୍ଶ ଭାବରେ ଉଭା ହୋଇଛନ୍ତି।ଏହି ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅସାଧାରଣ କୃତିତ୍ୱ ପ୍ରମାଣିତ କରିଛି ଯେ, ଉପାନ୍ତ ଅଞ୍ଚଳର ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ପ୍ରଶାସନିକ ସେବା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ସଶକ୍ତ କରିବାରେ ଏକଲବ୍ୟ ମଡେଲ୍ ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ଏକ ପ୍ରମୁଖ ଓ ପ୍ରଭାବଶାଳୀ ମାଧ୍ୟମ ପାଲଟିଛି।

Leave a Reply

Your email address will not be published. Required fields are marked *