June 4, 2026
Home » ​ମା’ ମାହେଶ୍ୱରୀ ସେନାର ସାଥୀରେ ନୂଆ ଆଶା, ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇଲେ ଦୁର୍ଦ୍ଦଶାଗ୍ରସ୍ତ ଜୟକୃଷ୍ଣ

​ମା’ ମାହେଶ୍ୱରୀ ସେନାର ସାଥୀରେ ନୂଆ ଆଶା, ଜିଲ୍ଲାପାଳଙ୍କୁ ନିଜ ଦୁଃଖ ଜଣାଇଲେ ଦୁର୍ଦ୍ଦଶାଗ୍ରସ୍ତ ଜୟକୃଷ୍ଣ

0
WhatsApp Image 2026-06-04 at 3.13.48 PM

ସୁବର୍ଣ୍ଣପୁର :​ ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ଟିଠିପାଲି ଗ୍ରାମର ଜୟକୃଷ୍ଣ କର୍ଣ୍ଣ । ଦୁଇ ବର୍ଷ ତଳେ ସବୁକିଛି ଠିକ୍ ଥିଲା। ମଜୁରୀ ଖଟି ପରିବାର ଚଳାଉଥିଲେ ଜୟକୃଷ୍ଣ । ହେଲେ ହଠାତ୍ ଗୋଟିଏ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା। କାମ କରୁଥିବା ବେଳେ କାନ୍ଥ ପଡ଼ିଯିବାରୁ ତାଙ୍କର ଗୋଡ଼ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଲା। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରୁ ଭୁବନେଶ୍ୱର—ଏକାଧିକ ହସ୍ପିଟାଲ, ଧାରକରଜ କରି ଚିକିତ୍ସା, କିନ୍ତୁ ଶେଷରେ ମିଳିଲା କେବଳ ନିରାଶା। ଆଜି ସେ ଚାଲିବାକୁ ଅକ୍ଷମ, ଅର୍ଥାଭାବ ଯୋଗୁଁ ଅଧାପନ୍ତରିଆ ଚିକିତ୍ସା ତାଙ୍କୁ ବାର ଦୁଆର ଭିକାରୀ କରିଦେଇଛି। କାମ କଲେ ଯାଇ ପେଟକୁ ଦାନା ମିଳେ। ଯିଏ ନିଜେ ଚାଲିପାରୁନାହାନ୍ତି, ସେ କାମ କରିବେ କେମିତି? “ମୁଠାଏ ଖାଇବା ପାଇଁ ଦେବ କିଏ?”—ଏହି ପ୍ରଶ୍ନ ଆଜି ଜୟକୃଷ୍ଣଙ୍କୁ ରାତିରେ ନିଦ ହଜାଇ ଦେଇଛି। ୮୦ ପ୍ରତିଶତ ବିକଳାଙ୍ଗ ହୋଇ ମଧ୍ୟ ସଠିକ୍ ଭତ୍ତା ଖଣ୍ଡିଏ ପାଇବାରୁ ବଞ୍ଚିତ ହେବା ତାଙ୍କ ସଂଘର୍ଷକୁ ଆହୁରି ଦ୍ବିଗୁଣିତ କରିଦେଇଛି।

ଏହି ଦୁର୍ଦ୍ଦଶାର ସମୟରେ ଆଶାର କିରଣ ହୋଇ ଆସିଛନ୍ତି ‘ମା’ ମାହେଶ୍ୱରୀ ସେନା’। ସେବା ଓ ସହଯୋଗର ହାତ ବଢ଼ାଇ ଏହି ସେନା ନିଜ ବାଇକ୍‌ରେ ଜୟକୃଷ୍ଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟକୁ ନେଇ ଆସିଛନ୍ତି। ଜିଲ୍ଲାପାଳଙ୍କ ପାଖରେ ତାଙ୍କର ଚିକିତ୍ସା ଓ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଜୟକୃଷ୍ଣ ଆଜି ବିଶ୍ୱାସ ରଖିଛନ୍ତି, ମାହେଶ୍ୱରୀ ସେନାର ଏହି ପ୍ରୟାସ ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ତାଙ୍କର ଗୋଡ଼ ନିଶ୍ଚୟ ଭଲ ହେବ। କିନ୍ତୁ ପ୍ରଶ୍ନ ଉଠୁଛି—ଏତେ ଦିନ ଧରି ଏହି ଗରିବ ମଣିଷଟି କାହିଁକି ସରକାରୀ ସୁବିଧାରୁ ବଞ୍ଚିତ ହେଲେ? ଜିଲ୍ଲା ପ୍ରଶାସନ ତୁରନ୍ତ ତାଙ୍କର ଚିକିତ୍ସା ଓ ସହାୟତା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *