June 6, 2026
Home » ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ( ନଦୀବନ୍ଧ ଯୋଜନା ) ର ଅନୁଧ୍ୟାନ କରିଲା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ( ନଦୀବନ୍ଧ ଯୋଜନା ) ର ଅନୁଧ୍ୟାନ କରିଲା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ

0
WhatsApp Image 2026-06-06 at 4.48.45 PM

 

 

ନୟାଗଡ,: ( ଇପିଏ ) ନୟାଗଡ ଦୀର୍ଘ ୬୫ ବର୍ଷ ହେଲା ନୟାଗଡ ଜିଲ୍ଲାରେ ବୃତ୍ତଙ୍ଗ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେବାର ସ୍ବପ୍ନ ସାକାର ହେବାକୁ ଯାଉଛି । ଏହି ପ୍ରକଳ୍ପ ନୟାଗଡ ଜିଲ୍ଲାର ଜୀବନରେଖା ପାଲଟିବ । ଏହି ପ୍ରକଳ୍ପ ଦ୍ୱାରା ନୟାଗଡ ଚାଷୀ କୁଳ ଉପକୃତ ହେବାକୁ ଥିବାବେଳେ ନୟାଗଡ ବିଦ୍ୟୁତ ଅଭାବରେ ପେଶି ହେଉଥିବାବେଳେ, ଜିଲ୍ଲାକୁ ୧୦ ମେଗାୱାଟ ବିଦ୍ୟୁତ ବି ମିଳିବ । ଗୋଟିଏ ପଟେ ବିଦ୍ୟୁତ ସମସ୍ୟାରେ ପେଶି ହୋଇଯାଉଥିବା ନୟାଗଡ ଜୀବନ ପାଇବ, ଅନ୍ୟପଟେ ଜଳସେଚନ ଅଭାବରେ ସଢୁ ଥିବା ନୟାଗଡ ଚାଷୀଙ୍କୁ ଚାଷର ଉନ୍ନତିରେ ସହାୟତା ମିଳିବା ସଙ୍ଗେ ସଙ୍ଗେ, ଜୀବନ ଜୀବିକାରେ ସ୍ବାବଲମ୍ବୀ ହୋଇ ଆର୍ଥିକ ମାନଦଣ୍ଡରେ ପ୍ରଭୂତ ଉନ୍ନତି ସାଧନ ହୋଇ ପାରିବ । ନୟାଗଡ ଜିଲ୍ଲା ବାସୀଙ୍କର ଦୀର୍ଘ ୬୫ ବର୍ଷର କାମନା ସତ୍ୟରେ ପରିଣତ ହେବାକୁ ଯାଉଛି । ଆଉ ୩ ବର୍ଷ ଅପେକ୍ଷା କରିବାକୁ ପଡିବ । ବର୍ତ୍ତମାନ ଏହି ପ୍ରକଳ୍ପ କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ରହିଛି ବୋଲି ୫ ତାରିଖ ଶୁକ୍ରବାର ଉକ୍ତ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ( ସି ସି ) ଇଞ୍ଜିନିୟର ରମେଶ ବେହେରା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିନିଧି ଦଳକୁ ଭରସା ଦେଇଛନ୍ତି ।

ଉକ୍ତ ଯୋଜନାର ରୂପରେଖ ଓ କାର୍ଯ୍ୟ କେତେଦୂର ଆଗେଇଛି ତାହା ଦେଖିବାକୁ ସମ୍ପୃକ୍ତ ସ୍ଥାନକୁ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ୧୧ ଜଣିଆ ପ୍ରତିନିଧି ଦଳ ଯାଇଥିଲେ । ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତ ମଂଜାରୀ ଗ୍ରାମ ନିକଟରେ ଏହି ପ୍ରକଳ୍ପ ନିର୍ମାଣ ହେବ । ମଂଜାରୀ ଗାଁ ପାଖରେ ବହିଯାଇଛି ଚିରସ୍ରୋତା ବୃତ୍ତଙ୍ଗ ନଦୀ । ପ୍ରତିନିଧି ଦଳ ପ୍ରକଳ୍ପ ହେବାକୁ ଥିବା ସେହି ସ୍ଥାନକୁ ଯାଇ ଦେଖିଲେ ସେଠାରେ ପ୍ରକଳ୍ପର କୌଣସି କାର୍ଯ୍ୟ ହୋଇନାହିଁ । ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ( ସି ସି) ଇଞ୍ଜିନିୟର ରମେଶ ବେହେରାଙ୍କୁ ୧୧ ଜଣିଆ ପ୍ରତିନିଧି ଦଳ ଭେଟି ଉକ୍ତ ଯୋଜନା କିଭଳି ଅଗ୍ରଗତି ହୋଇଛି ଓ କେଉଁ ପରିସ୍ଥିତିରେ ରହିଛି ତାଙ୍କ ସହିତ ବିଷଦ ଆଲୋଚନା କରିଥିଲେ । ମୁଖ୍ୟଯନ୍ତ୍ରୀ କହିଥିଲେ ଯେ, ୨୦୩୦ ସୁଦ୍ଧା ବୃତ୍ତଙ୍ଗ ଜଳସେଚନ ଯୋଜନା ସମାପ୍ତ ହେବ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୮୨ କୋଟି ଟଙ୍କାର ଟେଣ୍ଡର ହୋଇଛି । ଏଥିରେ ସ୍ପିଲ ୱେ ନିର୍ମାଣ ହେବ । ଏଥିପାଇଁ ସରକାର ୮ ଓଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି, ସେମାନେ ମଧ୍ୟ ତାଙ୍କ କାର୍ଯ୍ୟ ଚାଲୁ ରଖିଛନ୍ତି । ଉକ୍ତ ପ୍ରକଳ୍ପ କ୍ୟାବିନେଟ ମଂଜୁରୀ ଅପେକ୍ଷାରେ ରହିଛି । ପୂର୍ବରୁ ଜଙ୍ଗଲ ଓ ପରିବେଶ ମଂଜୁରୀ ପାଇଁ ୩୮୦ କୋଟି ଟଙ୍କା ଜଙ୍ଗଲ ବିଭାଗକୁ ପ୍ରଦାନ କରାଯାଇଛି । ଏହି ଗ୍ରାମର ୪୧ଟି ଗାଁରେ ପଲ୍ଲୀସଭା ଗତ ଦେଢ଼ ମାସ ଭିତରେ ସମାପ୍ତ ହୋଇଛି । ପଲ୍ଲୀ ସଭାରେ ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ ମାନଙ୍କର ପ୍ରକଳ୍ପ ପାଇଁ ସମର୍ଥନ ଅଛି ବୋଲି ସୂଚନା ମିଳିଛି । ବିସ୍ଥାପିତ ହେଉଥିବା ୪୧ ଗାଁ ମଧ୍ୟରୁ ୨୧ଟି ଗାଁ ସ୍ୱତନ୍ତ୍ର ଭାବେ ସ୍ଥାନାନ୍ତର ହେବେ । ଏଥିପାଇଁ ୧୬୫୮ କୋଟି ଟଙ୍କା ମଂଜୁର ହୋଇଛି । ଯୋଜନା କାର୍ଯ୍ୟକାରୀ ହେଲେ ୨୩ ହଜାର ୩୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ମୁଖ୍ୟତଃ ବିସ୍ଥାପିତ ହେବାକୁ ଥିବା ଗ୍ରାମ ଗୁଡିକର ୩୦ ବର୍ଷ ହେଲା ଜମିବାଡ଼ିରେ ସଂଶୋଧନ ହୋଇପାରିନାହିଁ । ସଂଶୋଧନ ପ୍ରକ୍ରିୟା ଆଗକୁ ଚାଲିବା ପାଇଁ କାର୍ଯ୍ୟ ଚାଲିଛି । ସଂଶୋଧନ କରାଗଲା ପରେ ବିସ୍ଥାପିତ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ବିସ୍ଥାପିତଙ୍କ ପାଇଁ ୩୮୦୦ ଏକର ଜମି ସଂରକ୍ଷିତ କରାଯାଇଛି । ସେମାନଙ୍କୁ ସରକାରୀ ମୂଲ୍ୟାୟନ ଅନୁସାରେ ଏବଂ ଜମି ଏବଂ ଗୃହ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ । ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କଲୋନୀ ନିର୍ମାଣ କରିବା ଲାଗି ପ୍ରସ୍ତାବ ରହିଛି । ଉକ୍ତ ପ୍ରକଳ୍ପରେ ମଂଜାରୀ, ପାମ୍ପଡା, ଭଗାମୁଣ୍ଡା, ଟାଙ୍ଗନାଡି, ଗୁଣ୍ଡୁରୀବାରି, ଜାନିପଦର, ବିଡାପାଜୁ, ଭୀମକଳା, ତଳଟିକିରି, ଗୁରହା, ଉପରବିଡା ପ୍ରଭୃତି ଗ୍ରାମ ସମ୍ପୂର୍ଣ୍ଣ ବିସ୍ଥାପିତ ହେବ । ପଥରଗଣ୍ଡ, କୁଲୁରୁକୁମ୍ପା, ଗାନ୍ଧାରୀଖୋଲ, କୁଟିବାରୀ, ଗୁଣ୍ଠୁରୁଖୋଲା, ଖାଲପାଜୁ (ନୂଆଗାଁ), ପାଜିଗୁଡା, ତଳବିଡା, ହଳଦିଆ ପାହାଡ, ରାଣୀଝରି ପ୍ରଭୃତି ଦଶଟି ଗ୍ରାମ ମଧ୍ୟ କ୍ଷତିଗ୍ରସ୍ତ ହେବ । ଏହା ସହିତ କେରାପାଡୁ, ଗୁରହାଖେରା, କୃଷ୍ଣପ୍ରସାଦ, ଦୁର୍ଗାପ୍ରସାଦ, ଦୁଡୁକିପାଜୁ, ରୁଗୁମୁଣ୍ଡିଆ, ବ୍ରାହ୍ମଣ ଦେଇ ପାହାଡ, ପକୁଡା, ନଉଣ୍ଡିଆ ପଥର, ସଲପ ପାହାଡ, ଖାଲପାଜୁ, ବାଣିଗୋଚ୍ଛା, ଉପରଟିକିରି, ଗୋଚ୍ଛାବାରି, ଶୁଳିଆପାହାଡ ପ୍ରମୁଖ ଗ୍ରାମର ଜମି ଜଳମଗ୍ନ ହେବ । ସେହିଭଳି ବାଇଝରି, ତୁମୁଡିବିଡା, ବାଣିବିରୀ, ଡଙ୍ଗିବାଡି, ଖେସରା ପ୍ରଭୃତି ଗ୍ରାମ ଆଂଶିକ ଜମି କ୍ଷତିଗ୍ରସ୍ତ ହେବ । ତେଣୁ ଏହି ବିସ୍ଥାପିତଙ୍କ ପାଇଁ ପ୍ରକଳ୍ପ ତରଫରୁ ସ୍ୱତନ୍ତ୍ର ଥଇଥାନ କରାଯିବ । ପାନାବାରୀ, ନଦୀପାହାଡ ଦୁୂଇଟି ପାହାଡ ମଧ୍ୟସ୍ଥଳରେ ବୃତ୍ତଙ୍ଗ ନଦୀ ପ୍ରବାହିତ ହୋଇଛି । ଏହି ଦୁଇପାହାଡକୁ ସଂଯୋଗ କରି ବନ୍ଧ ନିର୍ମାଣ କରାଯିବ । ବିସ୍ଥାପିତ ହେବାକୁ ଥିବା ଗାଁର କୈବର୍ତ୍ତ ଜାନୀ, ବିନାୟକ ଜାନୀ ପ୍ରମୁଖଙ୍କୁ ଭେଟିବାରୁ ସେମାନେ କହିଥିଲେ ଯେ, ଆମେ ବିସ୍ଥାପିତ ହେବୁ, ଆମକୁ ଏକରଟିଏ ଜାଗା ପ୍ରଦାନ କରିବା ପାଇଁ ଆମେ ଦାବି କରୁଛୁ । ୫ ଡେସିମିଲି ଜାଗା ଘରଡିହ ପାଇଁ ଦେଲେ ଆମେ ଚଳିପାରିବୁ ନାହିଁ । ଘର ସହିତ ପ୍ରକଳ୍ପରେ ଯାଉଥିବା ଚାଷ ଜମି, ଅନ୍ୟ ସ୍ଥାନରେ ଦେଲେ ଆମେ ଉପକୃତ ହୋଇପାରିବୁ। ଯଦି ଏହା କରାଯାଏ ତେବେ ବିସ୍ଥାପିତମାନେ ବୃତ୍ତଙ୍ଗ ଜଳସେଚନ ଯୋଜନା ପାଇଁ ସହଯୋଗର ହାତ ବଢ଼ାଇବେ । ଖୋଲା କେନାଲ କରାଯିବ ନାହିଁ । ପାଇପ ଲାଇନ ମାଧ୍ୟମରେ ଜଳସେଚନ କରାଯିବ । ବର୍ତ୍ତମାନ ଏହି କାର୍ଯ୍ୟ ପାଇଁ ୨ଟି ଡିଭିଜନ ଦଶପଲ୍ଲାକୁ ସ୍ଥାନାନ୍ତର କରାଯାଉଛି । ଗୋଟିଏ ଡିଭିଜନ କେନାଲ ନିର୍ମାଣ ଦାୟିତ୍ୱରେ ରହିବ । ଆଉ ଗୋଟିଏ ଡିଭିଜନ ବିସ୍ଥାପିତ ଓ ଥଇଥାନ ଉପରେ କାର୍ଯ୍ୟ କରିବବ । କ୍ୱାଲିଟି କଣ୍ଟ୍ରୋଲ ଡିଭିଜନ ସହ ଏଫଏ ଅଫିସ ଖୋଲାଯବ । ନୟାଗଡ ସଦର ମହକୁମାରେ ବୃତ୍ତଙ୍ଗ ଜଳସେଚନ ଯୋଜନାର ଏକ କାର୍ଯ୍ୟାଳୟ ରହିବ ବୋଲି ସୂଚନାରୁ ଜଣାପଡିଛି । ଏହା ସହିତ ଏହି ଯୋଜନା କାର୍ଯ୍ୟକାରୀ ହେଲେ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନ ହେବା ଲକ୍ଷ୍ୟ ରହିଛି । ଏହି ପ୍ରକଳ୍ପ ହେଲେ ପାଖାପାଖି ୧୦ ମେଗାୱାଟ ବିଦ୍ୟୁତ ଓ ଜଳସେଚନର ସୁଯୋଗ ନୟାଗଡବାସୀ ପାଇପାରିବେ । ପାଖାପାଖି ନୟାଗଡ ଜିଲ୍ଲାର ପ୍ରାୟ ୫ ଟି ବ୍ଲକର ଜମି ଜଳସେଚିତ ହେବ । ଏହି କାର୍ଯ୍ୟ କିଭଳି ତ୍ୱରାନ୍ୱିତ ହେବ ସଂଘ ଏହା ଉପରେ ଗୁରୁତ୍ୱ ଦେଇଥିଲା । ମୁଖ୍ୟଯନ୍ତ୍ରୀ ବେହେରା ଖୁବଶୀଘ୍ର କିଭଳି କାର୍ଯ୍ୟ ସରିବ ସମସ୍ତଙ୍କ ସହଯୋଗ ଚାହିଁଥିଲେ । ବୃତ୍ତଙ୍ଗ ଜଳସେଚନ ଯୋଜନା ନୟାଗଡବାସୀଙ୍କ ଜୀବନରେଖା ବଦଳାଇବ ଓ ଜଳସେଚନର ସୁବିଧା ମିଳିବ ଏଥିରେ ସଂଦେହ ନାହିଁ । ଏହି ପ୍ରତିନିଧି ଦଳରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ପଟ୍ଟନାୟକଙ୍କ ସହ ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ଲୋକନାଥ ମିଶ୍ର, ଗୋକୁଳ କୁମାର ଷଡଙ୍ଗୀ, ପ୍ରଭାସିନୀ ନନ୍ଦ, ବିଭୂତି ଭୂଷଣ ପଟ୍ଟନାୟକ, ବିକ୍ରମ ସ୍ୱାଇଁ, ଜିତେନ୍ଦ୍ର ମହାପାତ୍ର, ଏବଂ ବିଜେପି ନେତା ଓ ସମାଜସେବୀ ସନ୍ତୋଷ ପ୍ରଧାନ, ସମାଜସେବୀ ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଦଶପଲ୍ଲା କଂଜୁମର ଫୋରମ୍‍ର ସଦସ୍ୟ ପ୍ରଫୁଲ୍ଲ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ହାଡିବନ୍ଧୁ ମହାଖୁଡ ପ୍ରମୁଖ ସାମିଲ ଥିଲେ । ବୃତ୍ତଙ୍ଗ ନଦୀବନ୍ଧ ଯୋଜନା ଆରମ୍ଭ ହୋଇ ଶେଷ ହେବାରେ ସଦା ସର୍ବଦା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ଅତୀତରେ ସହଯୋଗର ହାତ ବଢ଼ାଇ ଆସିଛି ଓ ଭବିଷ୍ୟତରେ ଆସିବ ବୋଲି ମଧ୍ୟ ସଭାପତି ପ୍ରମୋଦ କୁମାର ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି ।

 

gokula sadangi nka report

Leave a Reply

Your email address will not be published. Required fields are marked *