ପ୍ରତାପପୁରରେ ନେଚର କ୍ୟାମ୍ପ ଅନୁଷ୍ଠିତ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବେସରକାରୀ ସଂସ୍ଥା ଗ୍ରାମୋତ୍ଥାନର ମିଳିତ ଆନୁକୂଲ୍ୟରେ ଏକ ଦିନିଆ ନେଚର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ପ୍ରକୃତି ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମୋତ୍ଥାନର ସିଇଓ ପ୍ରତାପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମୋତ୍ଥାନର ପ୍ରୋଗ୍ରାମ ମ୍ୟାନେଜର ଖିରେନ୍ଦ୍ର ରଣା, ଆନ୍ନା ଖେସ ଓ ରଶ୍ମିତା ପ୍ରଧାନ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣରେ ଆମ ବିଦ୍ୟାଳୟ ଚଳିତ ବର୍ଷ ଆମ ରାଜ୍ୟର ଶ୍ରେଷ୍ଠ ଇକୋକ୍ଲବ ଭାବରେ ପୁରସ୍କୃତ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ ଓ ଶ୍ରେଷ୍ଠ ଇକୋ କ୍ଳବ୍ ହିସାବରେ ଆମର କର୍ତ୍ତବ୍ୟ ବିଷୟରେ ସଚେତନ କରିଥିଲେ । ସ୍କୁଲ ଲିଡର ଅନିତା ଖେତି, ମାନସୀ ମେହେର, ତରଙ୍ଗିଣୀ ଜଗଦଲା ଓ ଜୟକୃଷ୍ଣ ରାଉତ, ଶିକ୍ଷକ ଅକ୍ଷୟ କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଶିକ୍ଷକ ଗୋପେଶ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ନେଚର କ୍ୟାମ୍ପରେ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିର କାରଣ, ଦୂଷିତ ଓ ସୁରକ୍ଷିତ ପରିବେଶ, ଭୂତଳ ଜଳସ୍ତର ହ୍ରାସର କାରଣ ଏବଂ ଅଂଶୁଘାତରୁ ସୁରକ୍ଷା ଆଦି ବିଷୟକୁ ଏକ୍ଟିଭିଟି ମଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ସ୍ଵେଚ୍ଛାସେବୀ ଶିକ୍ଷକ ଅମନ ମହାପାତ୍ରଙ୍କ ଲିଖିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ “ଗଛ ଓ କାଠୁରିଆ” ପରିବେଷିତ ହୋଇଥିଲା। ଏହା ସହ ଛାତ୍ରଛାତ୍ରୀମାନେ “ଗଛଟିଏ ମୁଁ ଗଛଟିଏ” ନୃତ୍ୟ ଏବଂ “ମୁଁ କାହିଁକି ଯିବି ଗଙ୍ଗା” ଗୀତ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲେ। ବିଦ୍ୟାଳୟର ଛାତ୍ରୀ ଶ୍ରଦ୍ଧା କାରଙ୍କର ଜନ୍ମଦିନ ପାଳନ ଅବସମରେ ଏକ ବୃକ୍ଷରୋପଣ କରାଯିବା ସହିତ ତାଙ୍କୁ ଏହାର ଯତ୍ନ ନେବାକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ କ୍ୟାମ୍ପରେ ଅଂଶଗ୍ରହଣ କରିଥିଲେ। ଶେଷରେ ଏସ୍.ଏମ୍.ସି. ସଭାପତି ଲକ୍ଷ୍ମଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପରିବେଶ ସୁରକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଓ ସଚେତନତା ବୃଦ୍ଧିରେ ଏହି ନେଚର କ୍ୟାମ୍ପ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
