July 1, 2026
Home » ​ସୋନପୁର ପୌର ପାରିଷଦ ର ନୂଆ ଯୋଜନା

​ସୋନପୁର ପୌର ପାରିଷଦ ର ନୂଆ ଯୋଜନା

0
WhatsApp Image 2026-07-01 at 4.21.49 PM

 ସହର ରାସ୍ତାରେ ଚାଲିଛି ମାଛ ଚାଷ, ବଧିର ସାଜିଛି ପୌର ପ୍ରଶାସନ, ସାjମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି l
​ସୁବର୍ଣ୍ଣପୁର –ସୋନପୁର ପୌର ପ୍ରଶାସନର ଚରମ ଅବହେଳା ଓ ଦୂରଦୃଷ୍ଟି ଅଭାବରୁ ଏବେ ସହରବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ସାଙ୍ଘାତିକ ଚିତ୍ର ଦେଖିବାକୁ ମିଳିଛି ସୋନପୁର ସହରର ୧୦ ନମ୍ବର ୱାର୍ଡ ଅନ୍ତର୍ଗତ କୁଲଥାପଡ଼ା (କୁଲପଡା) ରାସ୍ତା ପଟାଭାଡି ଅଞ୍ଚଳରେ। ଏଠାରେ ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ନଈ ଭଳି ପାଣି ବହୁଛି ଏବଂ ପୌର ପ୍ରଶାସନର ଏହି ବିକଳ ରୂପକୁ ଦେଖି ସ୍ଥାନୀୟ ଲୋକେ ଉପହାସ କରି କହିଛନ୍ତି ଯେ, ସୋନପୁର ପୌର ପରିଷଦ ବୋଧହୁଏ ଏହି ପକ୍କା ରାସ୍ତା ଉପରେ ଏକ ଅଭିନବ ମାଛ ଚାଷ ଯୋଜନା ଆରମ୍ଭ କରିଦେଇଛି l ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଅଳ୍ପ ଟିକେ ବର୍ଷା ହେଲେ ମଧ୍ୟ ସାରା ପଡ଼ିଆ ଓ ରାସ୍ତା ଜଳାର୍ଣ୍ଣବ ହୋଇଯାଉଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାରୁ ସ୍କୁଲ ପିଲା, ବୃଦ୍ଧବୃଦ୍ଧା ଏବଂ ମହିଳାମାନେ ଯାତାୟାତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଜମି ରହିବା ଫଳରେ ରାସ୍ତାର ଖାଲଖମା ଜଣାପଡୁନାହିଁ, ଯାହାଦ୍ୱାରା ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟି ଚାଲିଛି। ସହରବାସୀ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି ଯେ ଆମେ ଟିକସ ଦେଉଛୁ କାହିଁକି, ଯଦି ସାମାନ୍ୟ ବର୍ଷାରେ ଆମକୁ ନର୍କ ଗାଡ଼ିଆ ଭିତରେ ରହିବାକୁ ପଡ଼ିବ? ସବୁଠାରୁ ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ଗମ୍ଭୀର ସମସ୍ୟା ବାବଦରେ ପୌର ପରିଷଦର ଚେୟାରମ୍ୟାନ୍ ଏବଂ ନିର୍ବାହୀ ଅଧିକାରୀ ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି। ସ୍ଥାନୀୟ ଲୋକେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ପ୍ରଶାସନ କାନରେ କାଳିଆ ବେଙ୍ଗ ପଡ଼ିଥିବା ଭଳି ମନେ ହେଉଛି। ରାଜନୈତିକ ନେତା ଓ ଅଧିକାରୀମାନେ କେବଳ ଭୋଟ ବେଳେ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ କାମ ବେଳକୁ ଦେଖା ଦିଅନ୍ତି ନାହିଁ। ରାସ୍ତାର ସ୍ଥାୟୀ ମରାମତି ଏବଂ ପାଣି ନିଷ୍କାସନ ପାଇଁ ତୁରନ୍ତ ଡ୍ରେନ୍ ନିର୍ମାଣ କରା ନଗଲେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳବାସୀ ପୌର ପରିଷଦ କାର୍ଯ୍ୟାଳୟ ଆଗରେ ଘେରାଉ କରିବା ସହ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏହି ନିଦ୍ରାଭଙ୍ଗ ହେଉଛି ପ୍ରଶାସନର ଏବଂ କେବେ ମୁକ୍ତି ପାଉଛନ୍ତି ୧୦ ନମ୍ବର ୱାର୍ଡବାସୀ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *