July 6, 2026
Home » “ଜନ୍ମଦିନ ସୁଟିଂ” ନାମରେ ଡକାୟତି ସ୍କ୍ରିପ୍ଟ-କ୍ୟାମେରା ପଛରେ ଚାଲିଥିଲା ଅପରାଧର ‘ରିଏଲ୍ ଶୋ’ !

“ଜନ୍ମଦିନ ସୁଟିଂ” ନାମରେ ଡକାୟତି ସ୍କ୍ରିପ୍ଟ-କ୍ୟାମେରା ପଛରେ ଚାଲିଥିଲା ଅପରାଧର ‘ରିଏଲ୍ ଶୋ’ !

0
WhatsApp Image 2026-07-06 at 11.13.40 AM

 

ଧର୍ମଗଡ଼ : ଆଧୁନିକ ସମୟରେ ଡକାୟତି ମଧ୍ୟ ବ୍ୟବସାୟିକ ଫିଲ୍ମ ଶୈଳୀରେ ହେଉଛି ବୋଲି ଯେଉଁମାନେ ଭାବୁଥିଲେ, କେଗାଁ ଅଞ୍ଚଳର ଏହି ଅଭିଯୋଗ ତାହାକୁ ଆଉ ଏକ ପାଦ ଆଗକୁ ନେଇଯାଇଛି।ଯେଉଁଠି ଭିଡିଓ ସୁଟି ହେଉଛି ଡକାୟତିର ନୂଆ ଟ୍ରେଲର୍ ! ଅଭିଯୋଗ ଅନୁସାରେ ମକରାଗୁଡ଼ା ଗ୍ରାମର ଆଦିତ୍ୟ ବାଗ (୨୧) ନାମକ ଯୁବକ ଜନ୍ମଦିନ ପାଳନ ଅବସରରେ ଭିଡିଓ ସୁଟିଂ କରାଇବାକୁ ଆଗ୍ରହ ଦେଖାଇ, ଘନଶ୍ୟାମ ଦୁର୍ଗାଙ୍କୁ ଯୋଗାଯୋଗ କରିଥିଲେ। ଆଗୁଆ ଟଙ୍କା ଭାବେ ୫,୦୦୦ ଟଙ୍କା ଫୋନ୍‌ପେ ମାଧ୍ୟମରେ ମଧ୍ୟ ପଠାଯାଇଥିଲା। ଦେଖିବାକୁ ଲାଗୁଥିଲା ଏହା ଏକ ସାଧାରଣ ଜନ୍ମଦିନ ଭିଡିଓ ପ୍ରୋଜେକ୍ଟ।କିନ୍ତୁ ପରଦା ପଛରେ ଲେଖାଯାଉଥିଲା ଅନ୍ୟ ଏକ ଥ୍ରିଲର୍ ସ୍କ୍ରିପ୍ଟ। ପରେ ଜୁନାଗଡ଼ ଅଞ୍ଚଳର ରାକେଶ ନାଏକ ଓ ଘନଶ୍ୟାମ ଦୁର୍ଗା କ୍ୟାମେରା ଓ ସାମଗ୍ରୀ ସହ ବାଗମୁଣ୍ଡା ଅଭିମୁଖେ ବାହାରିଥିଲେ।ଆଦିତ୍ୟ ବାଗ ଗୋଲାମୁଣ୍ଡାରେ ମିଳି ଦୁଇଜଣଙ୍କୁ ରାସ୍ତା ଦେଖାଇବାକୁ ସହଯୋଗ କରିଥିଲେ।

ଏଠାରେ ଦୃଶ୍ୟଟି ହେଉଛି,ଗୋଟିଏ ସ୍କୁଟିରେ ତିନିଜଣ, କ୍ୟାମେରା ଭବିଷ୍ୟତର “ମେମୋରୀ” ଧରିବା ପାଇଁ ନୁହେଁ, ହେଲେ ଘଟଣା ହେବାକୁ ଯାଉଥିବା ଅନ୍ଧକାର ଦିଗକୁ ଧରିବାକୁ ଯାଉଥିଲା ! ରାତି ପ୍ରାୟ ୯ଟା ସମୟରେ ବାବେରମୁଣ୍ଡା ଡ୍ୟାମ୍ ନିକଟରେ ଏକ ନିଛାଟିଆ ସ୍ଥାନରେ ଆଦିତ୍ୟ ବାଗ “ପ୍ରକୃତିର ଡାକ” ଭାବେ ପରିସ୍ରା ଯିବା ବାହାନାରେ ରୋକିଥିବା ଅଭିଯୋଗ ହୋଇଛି। ଠିକ୍ ସେହି ସମୟରେ ମୁହଁ ଢାଙ୍କିଥିବା ୪ ଜଣ ଅଜଣା ଲୋକ ମାରଣାସ୍ତ୍ର ସହ ପହଞ୍ଚି, ମରିଚ ଗୁଣ୍ଡ ଫିଙ୍ଗି ଆକ୍ରମଣ କରିଥିବା କଥା କୁହାଯାଉଛି। ଏହା ପରେ ଘନଶ୍ୟାମ ଦୁର୍ଗାଙ୍କୁ ପୋଲ ତଳକୁ ଫିଙ୍ଗି ଦିଆଯାଇଥିବା ଭୟଙ୍କର ଅଭିଯୋଗ ମଧ୍ୟ ରହିଛି। ଏହି ସମୟରେ ରାକେଶ ନାଏକ କୌଶଳପୂର୍ବକ ଚମ୍ପଟ ମାରି ନିକଟସ୍ଥ ଗ୍ରାମର ଲୋକଙ୍କୁ ସୂଚନା ଦେଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଇଥିଲେ। ପରେ ଗୁରୁତର ଅବସ୍ଥାରେ ଘନଶ୍ୟାମଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ, ପରେ ଧର୍ମଗଡ଼ ଓ ଶେଷରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଓ ଡାହାଣ ହାତ ଭାଙ୍ଗିଯିବା ଭଳି ଗୁରୁତର ଚୋଟ ଲାଗିଥିବା ଅଭିଯୋଗ ରହିଛି। ଏପରି ଏକ ଗମ୍ଭୀର ଘଟଣା ପରେ ରାକେଶ ନାଏକ କେଗାଁ ଥାନାରେ ଅଭିଯୋଗ ଦାଖଲ କରି, ଘଟଣାର “ମାଷ୍ଟରମାଇଣ୍ଡ” ଓ ସମ୍ପୃକ୍ତ ଗ୍ୟାଙ୍ଗକୁ ଧରିବାକୁ ଦାବି କରିଛନ୍ତି। ଅନ୍ୟପଟେ ପୂର୍ବରୁ ମଧ୍ୟ ସମାନ ଧରଣର ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ତାହାର ସମାଧାନ କରିପାରିନଥିବା ଅଭିଯୋଗ ଉଠିଛି, ଯାହା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷକୁ ଆଉ ବଢ଼ାଇଦେଇଛି।ଏଠାରେ ଲୋକଙ୍କ ପ୍ରଶ୍ନ,ଜନ୍ମଦିନ ସୁଟିଂ ଯଦି ଡକାୟତି ସ୍କ୍ରିପ୍ଟରେ ପରିଣତ ହୁଏ, ତେବେ ଆଗାମୀରେ “ପିକନିକ୍ ଟୁର୍” କିମ୍ବା “ୱେଡିଂ ସୁଟ୍” କେତେ ସୁରକ୍ଷିତ ? ଏବଂ ସବୁଠାରୁ ବଡ଼ ପ୍ରଶ୍ନ,ଏହି ଅପରାଧୀ ଗ୍ୟାଙ୍ଗ ଧରା ପଡ଼ିବ କି, ନା ପୁଣି ଏକ ନୂଆ “ଏପିସୋଡ୍” ପାଇଁ ଛଡ଼ା ଯିବ ?

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *