July 12, 2026
Home » ଅନସର ସମୟରେ ଶ୍ରୀ ଅଲାରନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ପୋଲିସର ବ୍ୟାପକ ସୁରକ୍ଷା ଓ ଜନସମାଗମ ପରିଚାଳନା ବ୍ୟବସ୍ଥା

ଅନସର ସମୟରେ ଶ୍ରୀ ଅଲାରନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ପୋଲିସର ବ୍ୟାପକ ସୁରକ୍ଷା ଓ ଜନସମାଗମ ପରିଚାଳନା ବ୍ୟବସ୍ଥା

0
WhatsApp Image 2026-07-09 at 6.41.57 PM

 

ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନସର ନୀତି ଚାଲିଥିବା ସମୟରେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିରରେ ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତମାନଙ୍କ ସମାଗମ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନ ସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀ ଅଲାରନାଥ ପ୍ରଭୁଙ୍କ ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରୁଛନ୍ତି। ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଦର୍ଶନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର, ଧାଡ଼ି ଦର୍ଶନ, ପାର୍କିଂ ସ୍ଥଳ, ପ୍ରମୁଖ ରାସ୍ତା, ଯାତାୟାତ ପଏଣ୍ଟ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଭିଡ଼ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ, ମହିଳା ଓ ବୃଦ୍ଧ ଭକ୍ତଙ୍କ ସହାୟତା, ଜରୁରୀକାଳୀନ ସେବା ଏବଂ ସୁରକ୍ଷା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଉଛି। ପୁରୀ ପୋଲିସ ସହିତ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସମନ୍ୱୟ ରକ୍ଷା କରି ଭକ୍ତମାନଙ୍କୁ ନିରବିଘ୍ନ ଦର୍ଶନ ସୁବିଧା ଯୋଗାଇ ଦେଉଛନ୍ତି। ଦର୍ଶନ ବ୍ୟବସ୍ଥାକୁ ସୁଚାରୁ ରଖିବା ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥର ସଠିକ୍ ପରିଚାଳନା ସହିତ ଆବଶ୍ୟକ ସ୍ଥାନରେ ବ୍ୟାରିକେଡିଂ, ସୂଚନା ପ୍ରଦାନ ଏବଂ ସହାୟତା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଆସିଥିବା ସମସ୍ତ ଭକ୍ତ ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ସୁରକ୍ଷିତ ପରିବେଶରେ ଶ୍ରୀ ଅଲାରନାଥ ମହାପ୍ରଭୁଙ୍କ ଦର୍ଶନ କରି ଆନନ୍ଦର ସହିତ ଫେରିଛନ୍ତି। ଭକ୍ତମାନେ ପୋଲିସ ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ସୁବ୍ୟବସ୍ଥାକୁ ପ୍ରଶଂସା କରିବା ସହ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
ପୁରୀ ପୋଲିସ ସମସ୍ତ ଭକ୍ତଙ୍କୁ ଅନୁରୋଧ କରୁଛି ଯେ, ଦୟାକରି ଧୈର୍ଯ୍ୟ ଓ ଶୃଙ୍ଖଳା ବଜାୟ ରଖନ୍ତୁ, ନିର୍ଦ୍ଦିଷ୍ଟ ଧାଡ଼ିରେ ଦର୍ଶନ କରନ୍ତୁ, ଟ୍ରାଫିକ୍ ନିୟମ ମାନନ୍ତୁ ଏବଂ ପୋଲିସ ଓ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରନ୍ତୁ। ବୃଦ୍ଧ, ମହିଳା ଓ ଶିଶୁମାନଙ୍କୁ ଯଥାସମ୍ଭବ ସହଯୋଗ କରିବା ସହିତ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ୧୧୨ଙ୍କୁ ସୂଚନା ଦିଅନ୍ତୁ। ପୁରୀ ପୋଲିସ ପ୍ରତ୍ୟେକ ଭକ୍ତଙ୍କ ସୁରକ୍ଷା, ସୁବିଧା ଓ ସୁରୁଖୁରୁ ଦର୍ଶନ ସୁନିଶ୍ଚିତ କରିବା ପାଇଁ ସଦାସର୍ବଦା ପ୍ରତିବଦ୍ଧ ଏବଂ ସମଗ୍ର ଅନସର ଅବଧିରେ ନିରନ୍ତର ସେବାରେ ନିୟୋଜିତ ରହିଛି।

Leave a Reply

Your email address will not be published. Required fields are marked *