ରାୟଗଡ଼ର ଶ୍ରଦ୍ଧା ଶ୍ରୀକ୍ଷେତ୍ର ରଥଯାତ୍ରା ୨୦୨୬ ଆଧ୍ୟାତ୍ମିକ ଭାବମୟ ମଧ୍ୟରେ ସମ୍ପନ୍ନ
ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ଼ା (ଓଡ଼ିଶା)ର ଚଳିତ ବର୍ଷା ୨୦୨୬ ଶ୍ରୀ ଗୁଣ୍ଡିଚା ଯାତ୍ରା ନୀତି ନିର୍ଘଣ୍ଟ ଅନୁଯାୟୀ ୧୬/୦୭/୨୬ ତାରିଖ ଗୁରୁବାର ଦିନ ଜଗତରନାଥ ଠାକୁର ଜଗନ୍ନାଥ ବଡ଼ଭାଇ ଭଗବାନ ବଳଭଦ୍ର ଭଉଣୀ ମାଆ ସୁଭଦ୍ରାଙ୍କ ସହ ଭକ୍ତଙ୍କ ଗହଣରେ ଆଧ୍ୟାତ୍ମିକ ଭାବମୟ ମଧ୍ୟରେ ଘୋଷଯାତ୍ରା ସମ୍ପନ୍ନ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ଦେବତର ବିଭାଗ ତତ୍ତ୍ୱାବଧାନରେ ଅତି ସୁଚାରୁ ରୂପେ ସମସ୍ତ ବୈଦିକ ପରମ୍ପରା ଅନୁସାରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ସେବାୟତଙ୍କ ଦ୍ଵାରା ରୀତିକାନ୍ତିରେ ସୁସଂଗଠିତ ଭାବେ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିରରୁ ଭକ୍ତଙ୍କ ଗହଣରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ସମୟରେ ଭକ୍ତମାନେ “ଜୟ ଜଗନ୍ନାଥ” ଧ୍ୱନିରେ ପରିବେଶ ଅତି ଭକ୍ତିମୟ ହୋଇଥିଲା ଏବଂ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷଯାତ୍ରା ସକାଶେ ରଥାରୂଢ଼ ହୋଇଥିଲେ। ରଥାରୂଢ଼ ହେବା ପରେ ରଥରେ ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ ଦ୍ଵାରା ଛେରା ପହରା ସାରିବା ପରେ ସନ୍ଧ୍ୟା ୪:୧୫ ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥଯାତ୍ରା ଆରମ୍ଭ ହୋଇଥିଲା। ରଥଟଣା ସମୟରେ କୋରାପୁଟ ସାଂସଦ,ରାୟଗଡ଼ା ବିଧାୟକ, ଜିଲ୍ଲାପାଳ, ଏସପିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସମେତ ଅନେକ ଭକ୍ତଗଣ ରଥଟଣା ସମୟରେ ସମାଗମ ହୋଇଥିଲେ। ବର୍ଷା ସତ୍ତ୍ୱେ, ୩୫-୪୦ ହଜାର ଭକ୍ତଙ୍କ ଗହଣରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ସଙ୍କୀର୍ତ୍ତନ ମଣ୍ଡଳୀଙ୍କ ଭକ୍ତି ଗାନ, ଘଣ୍ଟନାଦ ତାଳ ଶବ୍ଦ ଏବଂ ଜୟ ଜଗନ୍ନାଥ ଧ୍ବନିରେ ପରିବେଶ ଅତ୍ୟନ୍ତ ଭକ୍ତିମୟରେ ପରିପୂର୍ଣ୍ଣ ଉତ୍ସାହମୁଖର ହୋଇଯାଇଥିଲା। ଝିପିଝିପି ବର୍ଷାରେ ହଜାର ହଜାର ଭକ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥାରୂଢ଼ ଦର୍ଶନ ପାଇବା ସହ ପୁରୁଷ ଏବଂ ମହିଳାମାନେ ବିପରୀତ ଦିଗରେ ରହି ରଥ ଦଉଡ଼ି ଟାଣିଥିଲେ। ଅତି ସୁରୁଖୁରୁରେ ସନ୍ଧ୍ୟା ୬ ଘଣ୍ଟିକ ସମୟରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା।
ପ୍ରବଳ ଭିଡ଼ ମଧ୍ୟରେ କୌଣସି ପ୍ରକାର ଅଘଟଣରୁ ବର୍ତ୍ତିବାକୁ କଡ଼ାକଡ଼ି ଭାବେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ପୋଲିସ ଦଳ ନିୟୋଜିତ କରାଯାଇଥିଲା। ଟ୍ରାଫିକ୍ କଟକଣା ଏବଂ ପଦଯାତ୍ରୀଙ୍କ ଚାଲିବା ରାସ୍ତା ସମେତ ବିଶାଳ ଜନସମାଗମକୁ ନିୟନ୍ତ୍ରଣ କରିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଭକ୍ତଙ୍କ ସକାଶେ ବିଭିନ୍ନ ସଂଗଠନ ପକ୍ଷରୁ ପାନୀୟ ଜଳ ଏବଂ ପ୍ରସାଦ ବଣ୍ଟନ ଭଳି ଅତ୍ୟାବଶ୍ୟକୀୟ ସେବା ଯୋଗାଇଥିଲେ। ବନ ବିଭାଗ ଚାରା ବଣ୍ଟନ କରିଥିଲା, ଏବଂ ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ଧାରା ବିବରଣି ପ୍ରଦାନ କରିଥିଲେ ।
ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
