ଚୋରା ଲୁହାପଥର ବୋଝେଇ ଟ୍ରକ୍ ଜବତ; ଥମୁନି ଅବୈଧ ଖଣିଜ ଚାଲାଣ
ଯୋଡ଼ା – କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳରେ ଅବୈଧ ଖଣିଜ କାରବାର ଉପରେ ଲଗାମ ଲାଗୁନଥିବା ବେଳେ ମଙ୍ଗଳବାର ବାଂଶପାଣି ଅଞ୍ଚଳରୁ ଚୋରା ଲୁହାପଥର ବୋଝେଇ ଏକ ଟ୍ରକ୍କୁ ଖଣି ବିଭାଗର ସ୍କ୍ୱାଡ୍ ଟିମ୍ ଜବତ କରିଛି। ଜବତ ଟ୍ରକ୍ର ପଞ୍ଜୀକରଣ ସଂଖ୍ୟା ଏମ୍ପି-୧୦ ଜେଡ୍ଏଲ୍-୯୩୯୭ ବୋଲି ଜଣାପଡ଼ିଛି। ବିଭାଗ ସୂତ୍ରରୁ ପ୍ରକାଶ ଯେ, ପ୍ରାୟ ୧୦ ମେଟ୍ରିକ୍ ଟନ୍ ଚୋରା ଲୁହାପଥର ବୋଝେଇ କରି ଉକ୍ତ ଟ୍ରକ୍ଟି ଚାଲାଣ ହେଉଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍କ୍ୱାଡ୍ ଟିମ୍ ଅଚାନକ ଚଢ଼ାଉ କରିଥିଲା। ତେବେ ଅଧିକାରୀମାନଙ୍କୁ ଦେଖି ଟ୍ରକ୍ର ଚାଳକ ଓ ହେଲ୍ପର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ବିଭାଗୀୟ ଅଧିକାରୀମାନେ ଟ୍ରକ୍କୁ ଜବତ କରି ଖଣି ବିଭାଗର ହେପାଜତକୁ ନେଇଛନ୍ତି।

ପ୍ରାଥମିକ ଆକଳନ ଅନୁଯାୟୀ, ଜବତ ହୋଇଥିବା ଲୁହାପଥରର ବଜାର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ। ଏହି ଘଟଣାରେ ଖଣି ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଫେରାର ଚାଳକ ଓ ହେଲ୍ପରଙ୍କ ସନ୍ଧାନ ଚାଲିଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ଯୋଡ଼ା-ବଡ଼ବିଲ ଖଣି ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା ଲୁହାପଥର ସମେତ ବିଭିନ୍ନ ଖଣିଜ ପଦାର୍ଥର ଅବୈଧ ଚାଲାଣ ବାରମ୍ବାର ସାମ୍ନାକୁ ଆସୁଥିବା ସତ୍ତ୍ୱେ ଏହା ଉପରେ ସ୍ଥାୟୀ ରୋକ ଲାଗିପାରୁନାହିଁ। ଜିଲ୍ଲା ପୋଲିସ, ଖଣି ବିଭାଗ, ବନ ବିଭାଗ ଏବଂ ଷ୍ଟେଟ୍ ଲେଭେଲ୍ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ନିୟମିତ ଚଢ଼ାଉ ସତ୍ତ୍ୱେ ଅବୈଧ ଖଣିଜ କାରବାର ସମ୍ପୂର୍ଣ୍ଣ ଭାବେ ରୋକାଯାଇପାରୁ ନଥିବାରୁ ସରକାରଙ୍କ ବିପୁଳ ରାଜସ୍ୱ କ୍ଷତି ହେଉଥିବା ସହ ଖଣିଜ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ୁଥିବା ଅଭିଯୋଗ ହେଉଛି।
ଏଭଳି ଅବୈଧ ଖଣିଜ କାରବାରର ମୂଳୋତ୍ପାଟନ ପାଇଁ ସମନ୍ୱିତ ତଦନ୍ତ, ନିୟମିତ ଚଢ଼ାଉ ଓ ସଂପୃକ୍ତ ଚକ୍ର ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
