କଳିଙ୍ଗ ବାଲିଯାତ୍ରାର ତୃତୀୟ ସନ୍ଧ୍ୟା
ପାରାଦୀପ,: କଳିଙ୍ଗ ବାଲିଯାତ୍ରା ତୃତୀୟ ସନ୍ଧ୍ୟାରେ ବିଗତ ଦୁଇ ଦିନ ଅପେକ୍ଷା ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା l ଯେହେତୁ କାର୍ତ୍ତିକ ମାସ ଶେଷ ହୋଇଛି, ତା ସାଙ୍ଗକୁ ଆଜି ଆମିଷ ବାର ବୁଧବାର ପଡୁଥିବା ଯୋଗୁଁ, ସମସ୍ତଙ୍କ ମନରେ ଆମିଷ ଖାଦ୍ୟ ଖାଇବାର ଆଶା ରହିଛି l ତେଣୁ ଆମିଷ ଷ୍ଟଲ୍ ରେ ପ୍ରବଳ ଭିଡ ଦେଖିବାକୁ ମିଳିଛି l ବାଉଁଶ ପୋଡ଼ା ଦେଶୀ କୁକୁଡ଼ା ମାଂସ , ତା ସାଙ୍ଗକୁ ଦାମ୍ ବିରିୟାନୀ ଓ ବାରିପଦା ମୁଢ଼ି ମାଂସର ଫାଷ୍ଟ ଫୁଡ ଷ୍ଟଲ୍ ଗୁଡିକ ପଡିଆ ରେ ପସରା ମେଲାଇ ରହିଛନ୍ତି l ସବୁ ଷ୍ଟଲ୍ ଗୁଡିକରେ ଅସମ୍ଭାଳ ଭିଡ ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ଜଗତ୍ସିଂହପୁର ଜ୍ୟୋତି ସଙ୍କର ରାୟଙ୍କ ସଭାପତିତ୍ଵରେ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିପିଏଲ୍ ର ମୁଖ୍ୟ ଉତ୍ପାଦନ ଅଧିକାରି ଏସ୍ ଗିରୀଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରାଦୀପ ଡିଏସ୍ପି ରବିନ୍ଦ୍ର କୁମାର ପାତ୍ର, ଜେଏସଡବ୍ଲ୍ଯୁ ଷ୍ଟିଲ ର ଭାଇସ ପ୍ରେସିଡେଣ୍ଟ ମନୋଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ l

ଓଡିଶା ନୌବାଣିଜ୍ୟର ପ୍ରାଚୀନ ପରମ୍ପରା, ବାଣିଜ୍ୟ ବ୍ୟବସାୟ, କଳା ସଂସ୍କୃତି କଥା ମନେ ପକାଇଥିଲେ ଅତିଥି ମାନେ l ଯେତେବେଳେ କୌଣସି ଜ୍ଞାନ କୌଶଳ ନଥିଲା, ସେତେବେଳେ ଓଡିଆ ସାଧବ ପୁଅ ମାନେ ହଜାର ହଜାର ମାଇଲ ଜଳଯାତ୍ରା କରି ସେମାନଙ୍କର ଦୁସାହସ ର ପରିଚୟ ଦେଇଥିଲେ l ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ଆମେ ବୋଇତ ବନ୍ଦାଣ ଓ ଡଙ୍ଗା ଭସାଇ ପାଳନ କରୁଛେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l କମିଟିର ସମ୍ପାଦକ ତଥା ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ |ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କଳା ପ୍ରଦର୍ଶନ କରାଯାଇଥିଲା l

ସନ୍ଧ୍ୟାରେ ଓଡିଶୀ ନୃତ୍ୟରେ ବାଲିଯାତ୍ରା ମଞ୍ଚ ଉଠୁଥିଲା ପଡୁଥିଲା ଭଳି ଲାଗୁଥିଲା l ବିଶେଷକରି କଳାହାଣ୍ଡିର ଘୁମୁରା ନାଚ ଦେଖି ଦର୍ଶକ ଝୁମିଲେ l ପିପିଏଲ ନବ ରତ୍ନର କଳାକାରଙ୍କ କଳା ପ୍ରତିଭା ଦେଖି ଦର୍ଶକ ଖୁବ୍ ବିଭୋର ହୋଇଥିଲେ l କଟକର ପ୍ରୟାସ ଏକାଡେମୀ, ନୟାଗଡର ଧୂଡ଼ିକୀ ନୃତ୍ୟ ଓ ବିଭିନ୍ନ ସଂସ୍ଥା ଦ୍ଵାରା ଆଧୁନିକ ନୃତ୍ୟ, ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିଲା | ଶେଷ କାର୍ଯ୍ୟକ୍ରମରେ ଓଲିଉଡ଼ ସଂଗୀତକର ସୁଜ୍ଞାନୀ ମହାପାତ୍ରଙ୍କ ମ୍ୟୁଜିକ ନାଇଟ ବିଳମ୍ବିତ ରାତି ପଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା | ବାଲିଯାତ୍ରା କମିଟିର ଉପାଧ୍ୟକ୍ଷ ତଥା ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଓ କମିଟିର ସମ୍ପାଦକ ତଥା ପାରାଦୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ |
prasanta dash nka report
