ପ୍ରବଳ ବର୍ଷାରେ ବି ଗୁଣ୍ଡିଚାପଡ଼ାର ବିଭିନ୍ନ ସ୍ଥାନରେ ଫରଫର ହୋଇ ଉଡ଼ିଲା ତ୍ରିରଙ୍ଗା
ଦେଶପ୍ରେମର ଭାବନାରେ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ
ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଗ୍ରାମର ବିଭିନ୍ନ ସ୍ଥାନରେ ଉତ୍ସାହ ଓ ଦେଶପ୍ରେମର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଗ୍ରାମର ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ସହ ଦେଶର ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଇଥିଲା ।ଗୁଣ୍ଡିଚାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସଚିନ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସର ମହତ୍ତ୍ୱ, ଦେଶପ୍ରେମ ଓ ଦେଶ ପ୍ରତି ନାଗରିକଙ୍କ ଦାୟିତ୍ୱ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ।




ଛାତ୍ରଛାତ୍ରୀମାନେ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହାପରେ ‘ଭାରତ ମାତା କି ଜୟ’, ‘ବନ୍ଦେ ଉତ୍କଳ ଜନନୀ’, ‘ଜୟ ହିନ୍ଦ୍’, ‘ଲାଲ-ବାଲ-ପାଲ୍’ ଓ ‘ମହାତ୍ମା ଗାନ୍ଧୀ କି ଜୟ’ ଆଦି ଦେଶାତ୍ମବୋଧକ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଉଠିଥିଲା । ବର୍ଷା ଛାଡ଼ିବା ପରେ ଛାତ୍ରୀମାନଙ୍କ ପକ୍ଷରୁ ଶୋଭାଯାତ୍ରା ମଧ୍ୟ ବାହାର କରାଯାଇଥିଲା ।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ବିଶ୍ୱନାଥ ସାହୁ, ସ୍ୱଦେଶ ରଞ୍ଜନ ସାହୁ, ସୋଭାଙ୍ଗିନୀ ରାଉତ ଓ ରଞ୍ଜିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ସଂଘର୍ଷ ଓ ଜୀବନଗାଥା ସମ୍ପର୍କରେ ଆଲୋକପାତ କରିଥିଲେ ।
ସେହିପରି ଗ୍ରାମସ୍ଥିତ ଅହମଦିୟା ମୁସଲିମ ଜାମେ ମସଜିଦ ପରିସରରେ ଅହମଦିୟା ମୁସଲିମ ସମୁଦାୟର ସଭାପତି ସୁଲେମାନ ଅଲ୍ଲୀ ଖାଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ଦେଶ ପ୍ରତି ନିଷ୍ଠା, ଦେଶପ୍ରେମ ଓ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜର କର୍ତ୍ତବ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ।ଅନ୍ୟପକ୍ଷରେ ସାରଳା କ୍ଲବ ପରିସରରେ ମୌଲବୀ ମୁଜାଫର ଖାଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ ମଧ୍ୟ ଉପସ୍ଥିତ ଲୋକଙ୍କୁ ସ୍ୱାଧୀନତାର ମହତ୍ତ୍ୱ, ଦେଶପ୍ରେମ ଏବଂ ଦେଶ ଓ ସମାଜ ପ୍ରତି ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ ।ପ୍ରବଳ ବର୍ଷା ମଧ୍ୟରେ ମଧ୍ୟ ଗ୍ରାମର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଫରଫର ହୋଇ ଉଡ଼ିବା ସହ ସମଗ୍ର ଗୁଣ୍ଡିଚାପଡ଼ା ଗ୍ରାମ ଦେଶପ୍ରେମର ଭାବନାରେ ଉତ୍ସବମୁଖର ହୋଇଉଠିଥିଲା ।
ରାଜ କିଶୋର ରାଉତଙ୍କ ରିପୋର୍ଟ
