ଖୋର୍ଦ୍ଧାରୋଡ୍ ମଣ୍ଡଳର ପାଞ୍ଚଟି ପ୍ରମୁଖ ଷ୍ଟେସନରେ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ।
ଜଟଣୀ:- ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ପାଞ୍ଚଟି ପ୍ରମୁଖ ରେଳ ଷ୍ଟେସନ୍ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍, କଟକ ଓ ବ୍ରହ୍ମପୁରରେ ଆଧୁନିକ ପାର୍ସଲ୍ ସ୍କାନର୍ ମେସିନ୍ ସ୍ଥାପନ କରାଯାଇଛି।
ପୂର୍ବତଟ ରେଳପଥର ପ୍ରଧାନ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଶ୍ରୀମତୀ ରୀତା ରାଜ,ଖୋର୍ଦ୍ଧା ରୋଡ୍ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍.ଙ୍କ ଗରିମାମୟ ଉପସ୍ଥିତିରେ ଭୁବନେଶ୍ୱର ପାର୍ସଲ୍ କାର୍ଯ୍ୟାଳୟ ଠାରେ ଏହି ପାର୍ସଲ୍ ସ୍କାନର୍ ମେସିନ୍ର ଉଦ୍ଘାଟନ କରିଥିଲେ।
ନୂତନ ଭାବେ ସ୍ଥାପିତ ଏହି ସ୍କାନର୍ ଗୁଡ଼ିକ ପାର୍ସଲ୍ର ସୂକ୍ଷ୍ମ ଯାଞ୍ଚ କରିବା ସହ ଦହନଶୀଳ ଓ ଅଗ୍ନି-ବିପଜ୍ଜନକ ସାମଗ୍ରୀ,ବାଣ, ବିସ୍ଫୋରକ, ବେଆଇନ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଚିହ୍ନଟ କରିବାରେ ସହାୟକ ହେବ।
ଏହା ରେଳ ପାର୍ସଲ୍ ପରିଚାଳନାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ।
ଏହି ପାଞ୍ଚଟି ପ୍ରମୁଖ ଷ୍ଟେସନରେ ସ୍କାନିଂ ସୁବିଧାର ଆରମ୍ଭ ଟ୍ରେନ୍ ଯୋଗେ ବିପଜ୍ଜନକ ଓ ନିଷିଦ୍ଧ ସାମଗ୍ରୀର ପରିବହନ ରୋକିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ରେଳ କର୍ମଚାରୀ ମାନଙ୍କୁ ପାର୍ସଲ୍ର ଅଧିକ ନିରାପଦ, ସୁରକ୍ଷିତ ଓ ଦକ୍ଷତାର ସହ ପରିଚାଳନା କରିବାରେ ସହାୟତା କରିବ।
ପାର୍ସଲ୍ ସ୍କାନର୍ର ଶୁଭାରମ୍ଭ ରେଳ ବାଣିଜ୍ୟିକ ପରିଚାଳନାରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଦିଗରେ ଆଉ ଏକ ପ୍ରଶଂସନୀୟ ପଦକ୍ଷେପ। ଏହା ପ୍ରମୁଖ ଷ୍ଟେସନ ଗୁଡ଼ିକରେ ପାର୍ସଲ୍ର ଅଧିକ ଦକ୍ଷ, ନିରାପଦ ଓ ସୁରକ୍ଷିତ ଯାଞ୍ଚ ଏବଂ ପରିଚାଳନାରେ ବିଶେଷ ଯୋଗଦାନ କରିବ।
ଏହି ପଦକ୍ଷେପ ରେଳ ପାର୍ସଲ୍ ବ୍ୟବସ୍ଥାର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ଯାତ୍ରୀମାନଙ୍କ ନିରାପତ୍ତାକୁ ଆହୁରି ବୃଦ୍ଧି କରିବ।ରେଳ ନେଟୱାର୍କ ମାଧ୍ୟମରେ ବିପଜ୍ଜନକ ଓ ନିଷିଦ୍ଧ ସାମଗ୍ରୀର ପରିବହନକୁ ରୋକିବା ଦ୍ୱାରା ଯାତ୍ରୀମାନଙ୍କ ପାଇଁ ଏକ ଅଧିକ ନିରାପଦ ଓ ଭୟମୁକ୍ତ ଯାତ୍ରା ପରିବେଶ ସୃଷ୍ଟି କରାଯାଇପାରିବ।
ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ମଣ୍ଡଳ ନିରାପଦ ଓ ସୁରକ୍ଷିତ ରେଳ ସେବା ପ୍ରଦାନ କରିବା ପାଇଁ ସଦାସର୍ବଦା ପ୍ରତିବଦ୍ଧ। ଯାତ୍ରୀ ସୁରକ୍ଷା ବୃଦ୍ଧି କରିବା, ରେଳ ପରିଚାଳନାକୁ ସୁଗମ କରିବା ଏବଂ ଏକ ସୁରକ୍ଷିତ, ସହଜ ଓ ବାଧାମୁକ୍ତ ଯାତ୍ରା ଅନୁଭୂତି ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପମାନ ନିରନ୍ତର ଭାବେ ଗ୍ରହଣ କରାଯାଉଛି।
