ମର୍ମନ୍ତୁଦ ବସ୍ ଦୁର୍ଘଟଣା: ଡ୍ରାଇଭର ମୃତ, ୩୦ରୁ ଅଧିକ ଆହତ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 4; cct_value: 5125; AI_Scene: (-1, -1); aec_lux: 237.42258; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 65537; weatherinfo: null; temperature: 43;
ନୟାଗଡ଼: ( ଇପିଏ ) ନୟାଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଅର୍ଜୁନ ଗଛକୁ ଧକ୍କା ଦେବାରୁ ବସ୍ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାଟି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ଅଧୀନ ବାଉଶିଆପଡ଼ା ଗ୍ରାମର ଜନିପଦା ଛକ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଘଟିଛି। ସୂଚନା ଅନୁସାରେ, OD02DC2735 ନମ୍ବର ବିଶିଷ୍ଟ ‘ଶ୍ରୀ ନୀଳକଣ୍ଠେଶ୍ୱର’ ଯାତ୍ରୀବାହୀ ବସ୍ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଆସୁଥିଲା। ଜନିପଦା ଛକ ନିକଟରେ ହଠାତ୍ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଅର୍ଜୁନ ଗଛକୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ବସ୍ର ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବସ୍ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। କିଛି ଯାତ୍ରୀ ଗୁରୁତର ଆହତ ହୋଇ ବସ୍ ଭିତରେ ଫସି ରହିଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।ଏହାପରେ ଇଟାମାଟି ଥାନା ପୁଲିସ, ନୟାଗଡ଼ ଟାଉନ ଥାନା ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।


ଦମକଳ କର୍ମଚାରୀ ଓ ପୁଲିସ କର୍ମଚାରୀମାନେ ବସ୍ ଭିତରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଚିକିତ୍ସାଳୟରେ ଡାକ୍ତରୀ ଟିମ୍ ଆହତ ଯାତ୍ରୀମାନଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ତେବେ ବସ୍ ଚାଳକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ୩୦ରୁ ଅଧିକ ଆହତ ଯାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ୬ ଜଣଙ୍କୁ କ୍ୟାପିଟାଲ ଓ ଏମାକୁ ରେଫର୍ କରିବା ଜଣାପଡ଼ିଛି।
ଦୁର୍ଘଟଣା ଖବର ପାଇ ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମଧ୍ୟ ଘଟଣାସ୍ଥଳରେ ଓ ମେଡ଼ିକାଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କଠାରୁ ସୂଚନା ନେଇଥିଲେ। ସଙ୍ଗେ ସଙ୍ଗେ ରେଡକ୍ରସ ପକ୍ଷରୁ ଦଶ ହଜାର ଲେଖାଏଁ ଅର୍ଥରାଶି ରେଫର ହେଉଥିବା ପରିବାର ହାତରେ ନଗଦ ଆକାରରେ ଦେଇଥିଲେ । ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମଧ୍ୟ ଦୁର୍ଘଟଣା ସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚିଥିଲେ। ଶ୍ରୀ ସାହୁ ମୃତ ବସ୍ ଚାଳକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପକ୍ଷରେ, ବସ୍ଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ଇଟାମାଟି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାସ୍ଥଳରେ ପୁଲିସ ପକ୍ଷରୁ ଯାଞ୍ଚ କରାଯିବା ସହ ବସ୍ଟିକୁ ରାସ୍ତାରୁ ହଟାଇ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
