September 15, 2026
Home » କୋରାପୁଟର ମାଟି, ମଣିଷ ଓ ଲୋକସଂସ୍କୃତିର କଥା କହିବ ‘ମାଳିପୁଟ ମେଲୋଡିସ୍‌’

କୋରାପୁଟର ମାଟି, ମଣିଷ ଓ ଲୋକସଂସ୍କୃତିର କଥା କହିବ ‘ମାଳିପୁଟ ମେଲୋଡିସ୍‌’

0
WhatsApp Image 2026-09-14 at 6.50.53 PM

ନବରଙ୍ଗପୁର:ପାହାଡ଼ର ପାଦଦେଶରେ ଜୀବନର ଗୀତ, ମାଟିର ମହକରେ ଲୋକସଂସ୍କୃତିର ସ୍ପନ୍ଦନ ଏବଂ ଆଦିବାସୀ ଜନଜୀବନର ନିରାଡ଼ମ୍ବର ସୌନ୍ଦର୍ଯ୍ୟ—ଏସବୁକୁ ରୂପେଲି ପରଦାରେ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିବାକୁ ଆସୁଛି ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିସ୍‌’। ଅବିଭକ୍ତ କୋରାପୁଟ ଅଞ୍ଚଳର ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଲୋକଜୀବନର ଅନେକ ଅକୁହା କଥାକୁ ନେଇ ନିର୍ମିତ ଏହି ଭିନ୍ନଧରଣର ଚଳଚ୍ଚିତ୍ର ଆସନ୍ତା ୧୮ ତାରିଖରେ ଅବିଭକ୍ତ କୋରାପୁଟ ଅଞ୍ଚଳର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିବ।
ଚଳଚ୍ଚିତ୍ରର ମୁକ୍ତିଲାଭ ପୂର୍ବରୁ ଏହାର ପ୍ରଚାର ଓ ପ୍ରସାରକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟରେ ‘ମାଳିପୁଟ ମେଲୋଡିସ୍‌’ ଟିମ୍ ନବରଙ୍ଗପୁର ଗସ୍ତ କରିଥିଲେ। ଏହି ଅବସରରେ ନବରଙ୍ଗପୁରର କଳାକାର, ସଙ୍ଗୀତଜ୍ଞ, ଗାୟକ-ଗାୟିକା ଓ ବିଭିନ୍ନ କ୍ଷେତ୍ରର କଣ୍ଟେଣ୍ଟ କ୍ରିଏଟରଙ୍କ ସହ ଏକ ସୃଜନଶୀଳ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା।

ମାଟି ସହ ମଣିଷର ସମ୍ପର୍କ ଯେଉଁଠି ଜୀବନର ମୂଳ ଆଧାର, ସେହି ମାଟିର ସୁଗନ୍ଧକୁ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ଏହି ଚଳଚ୍ଚିତ୍ରର ମୁଖ୍ୟ ପ୍ରୟାସ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।
ମିଳନ ପର୍ବରେ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବିଭକ୍ତ କୋରାପୁଟ ଅଞ୍ଚଳର କଳାକାର ଓ କଳାପ୍ରେମୀମାନଙ୍କୁ ନିଜ ପରିବାର ସହ ସ୍ଥାନୀୟ ସିନେମା ହଲ୍‌କୁ ଯାଇ ଚଳଚ୍ଚିତ୍ରଟି ଦେଖିବାକୁ ଅନୁରୋଧ କରିଥିଲେ। ଏହା କେବଳ ଏକ ଚଳଚ୍ଚିତ୍ର ନୁହେଁ, ନିଜ ଅଞ୍ଚଳର ମାଟି, ପରମ୍ପରା ଓ କଳାକୁ ରୂପେଲି ପରଦାରେ ଦେଖିବାର ଏକ ସୁଯୋଗ ବୋଲି ସେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ଅଭିନେତ୍ରୀ ତଥା ଅଧ୍ୟାପିକା ସଂଯୁକ୍ତା ପଣ୍ଡା, ବରିଷ୍ଠ ଅଭିନେତା ଜୟନ୍ତ ସାନ୍ତରା, ମହମ୍ମଦ ସରିଫ, ଶିଶିର ଦାସ, ଚନ୍ଦନ ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ତସ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ‘ମାଳିପୁଟ ମେଲୋଡିସ୍‌’ର ବିଭିନ୍ନ ଦିଗ ଉପରେ ନିଜ ମତ ରଖିଥିଲେ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ଦେବଦାସ ମହାଙ୍କୁଡ଼ ଚଳଚ୍ଚିତ୍ର ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ଏହାର ସଫଳତା କାମନା କରିଥିଲେ। ଜିଲ୍ଲାର ବହୁ ପ୍ରତିଷ୍ଠିତ କଳାକାର ମଧ୍ୟ ଏହି ମିଳନ ପର୍ବରେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା ପାଇଁ ଶୁଭକାମନା ଜଣାଇଥିଲେ।
ସଭାରେ ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା, ସୁରେଶ ମହାନ୍ତି, ଯୁଗଳ ତ୍ରିପାଠୀ, ଗାୟକ ସୀମା ପାଣିଗ୍ରାହୀ, ଦିଲୀପ ପାଣିଗ୍ରାହୀ, ଅଭିନେତା ମାନସ ପଣ୍ଡା, ବୁଲୁ ପାଢ଼ୀ, ତୁଷାରକାନ୍ତି ଖୋସଲା, ନିର୍ମଳ ସାହୁ, ଶଙ୍କର ନାୟକ, ସମାଜସେବୀ ତଥା ଅଭିନେତା ଜି. ରବି ପ୍ରସାଦ, କୁନି ଅଭିନେତ୍ରୀ ରୁହାନୀ ପଣ୍ଡା, ଯନ୍ତ୍ର ସଙ୍ଗୀତ ପରିଚାଳକ ମୁନା ମହେନ୍ଦ୍ର, ଭିଡିଓ ଏଡିଟର ଚନ୍ଦନ ବାହାଦୁର ଏବଂ ବଂଶୀ ବାଦକ ଏ. ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ।
ଚଳଚ୍ଚିତ୍ରର ବରିଷ୍ଠ କଳାକାର ଜୟନ୍ତ ସାନ୍ତରା ଅବିଭକ୍ତ କୋରାପୁଟର ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ନିଆରା ବାସ୍ନାକୁ ଚଳଚ୍ଚିତ୍ରରେ କିପରି ଜୀବନ୍ତ କରାଯାଇଛି, ସେନେଇ ମତ ପ୍ରକାଶ କରିଥିଲେ। ଏହି ଅଞ୍ଚଳର ମାଟିରେ ଲୁଚି ରହିଥିବା ଅସଂଖ୍ୟ କାହାଣୀ ଓ ଲୋକଜୀବନର ଅନୁଭବକୁ ରୂପେଲି ପରଦାରେ ଉପସ୍ଥାପନ କରିବା ଏକ ସାହସିକ ଓ ସ୍ୱାଗତଯୋଗ୍ୟ ପ୍ରୟାସ ବୋଲି ସେ କହିଥିଲେ।
ଏହି ଅବସରରେ ଚଳଚ୍ଚିତ୍ରଟି କିପରି ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିବ, ସେନେଇ ନବରଙ୍ଗପୁରର ବିଭିନ୍ନ କଣ୍ଟେଣ୍ଟ କ୍ରିଏଟରଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା। ଡିଜିଟାଲ୍ ମାଧ୍ୟମ ଆଜିର ଦିନରେ ଜନସାଧାରଣଙ୍କ ନିକଟରେ କଳା ଓ ସଂସ୍କୃତିକୁ ପହଞ୍ଚାଇବାର ଏକ ପ୍ରଭାବଶାଳୀ ମାଧ୍ୟମ ହୋଇଥିବାରୁ ଚଳଚ୍ଚିତ୍ରର ପ୍ରଚାରରେ ଏହାର ଗୁରୁତ୍ୱ ଉପରେ ମତବିନିମୟ ହୋଇଥିଲା।
ଯୁବ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ଦାସ ଓ ଯୁବ ଗାୟକ ଶିବ ପ୍ରସାଦ ମହାପାତ୍ରଙ୍କ ସମେତ ଅନ୍ୟ କଣ୍ଟେଣ୍ଟ କ୍ରିଏଟରମାନେ ‘ମାଳିପୁଟ ମେଲୋଡିସ୍‌’ର ପ୍ରଚାର ଓ ପ୍ରସାରରେ ନିଜସ୍ୱ ସ୍ତରରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ସୂଚନାଯୋଗ୍ୟ, ‘ମାଳିପୁଟ ମେଲୋଡିସ୍‌’ରେ ବରିଷ୍ଠ କଳାକାର ଜୟନ୍ତ ସାନ୍ତରା, ଶିଶିର ଦାସ, ସୁଷମା ମିଶ୍ର, ମହମ୍ମଦ ସରିଫ, ବୁଲୁ ଷଡ଼ଙ୍ଗୀ, ନରେନ୍ଦ୍ର ପଟ୍ଟନାୟକ, ଚନ୍ଦନ ସାହୁ, ଦିବ୍ୟ ବେହେରା, ଆଶୁତୋଷ ପାଳ ଓ ଧନ ହରିଜନ ପ୍ରମୁଖ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି କୌଶିକ ଦାସ, ସହପ୍ରଯୋଜନା କରିଛନ୍ତି ରାମପ୍ରଭା ପଟ୍ଟନାୟକ ଓ କୌସ୍ତବ ଦାସ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତସ ନନ୍ଦ, ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ପଟ୍ଟନାୟକ।
ସମଗ୍ର କାର୍ଯ୍ୟକ୍ରମକୁ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଆନନ୍ଦ ଦାସ ଓ ଯୁବ କଣ୍ଠଶିଳ୍ପୀ ଶିବ ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ।
ମାଟିରୁ ଜନ୍ମ ନେଇଥିବା କାହାଣୀ, ଲୋକଜୀବନରୁ ଉଠିଆସିଥିବା ଚରିତ୍ର ଏବଂ ଅବିଭକ୍ତ କୋରାପୁଟର ସଂସ୍କୃତିର ରଙ୍ଗରେ ରଙ୍ଗାୟିତ ‘ମାଳିପୁଟ ମେଲୋଡିସ୍‌’ ଆଗାମୀ ଦିନରେ ଦର୍ଶକଙ୍କ ମନରେ କେତେ ଗଭୀର ଛାପ ଛାଡ଼ିବ, ତାହା ଅପେକ୍ଷାର ବିଷୟ। ତେବେ ଚଳଚ୍ଚିତ୍ରକୁ ନେଇ ନବରଙ୍ଗପୁରର କଳାକାର ଓ କଳାପ୍ରେମୀଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍ସାହ ଏହାର ଆଗାମୀ ସଫଳତା ପାଇଁ ଏକ ଶୁଭ ସଙ୍କେତ ନିଶ୍ଚୟ।

Leave a Reply

Your email address will not be published. Required fields are marked *