ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ପୁନର୍ବାର ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ।
ଏସ ଆଇ ଆର ( SIR ) ପରେ ଅବଶିଷ୍ଟ ଓ ପ୍ରଥମ ଥର ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ବିଶେଷ ଅଭିଯାନ ।
ନୟାଗଡ଼:( ଇପିଏ ) ନୟାଗଡ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶାନୁସାରେ Special Intensive Revision (SIR)-୨୦୨୬ ପରେ ନୟାଗଡ଼ ଜିଲ୍ଲାରେ ଭୋଟର ତାଲିକାରେ ନାମ ପଞ୍ଜୀକରଣରୁ ବଞ୍ଚିତ ଯୋଗ୍ୟ ନାଗରିକ, ପ୍ରଥମ ଥର ଭୋଟର ଏବଂ ଯୁବ ଭୋଟରମାନଙ୍କ ନାମ ପଞ୍ଜୀକରଣ ପାଇଁ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି।
ଏହି ବିଶେଷ ଅଭିଯାନ ଅଧୀନରେ ଜିଲ୍ଲାର ସମସ୍ତ ବୁଥ୍ୟସ୍ତରୀୟ ଅଧିକାରୀ (BLO) ନିଜ ନିଜ ବୁଥ ବର୍ତ୍ତମାନର ନିର୍ବାଚକ ନାମାବଳୀକୁ SIR ପୂର୍ବର ନିର୍ବାଚକ ନାମାବଳୀ ସହ ତୁଳନା କରି ନାମ ରହିଯାଇଥିବା ଯୋଗ୍ୟ ଭୋଟରମାନଙ୍କୁ ଚିହ୍ନଟ କରିବେ। ଏଥି ସହିତ ମୁଖ୍ୟ ନିର୍ବାଚନ ଅଧିକାରୀ ( CEO, Odisha) ଓଡ଼ିଶାଙ୍କ ପକ୍ଷରୁ ଉପଲବ୍ଧ ASDD List ମଧ୍ଯ ଯାଞ୍ଚ କରାଯିବ।
ଚିହ୍ନଟ ହୋଇଥିବା ଭୋଟରମାନଙ୍କ ବର୍ତ୍ତମାନ ସ୍ଥିତି ଜାଣିବା ପାଇଁ BLOମାନେ ଘରକୁ ଘର ଯାଇ ଯାଞ୍ଚ (House-to-House Verification) କରିବେ। ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ବର୍ତ୍ତମାନର ନିର୍ବାଚକ ନାମାବଳୀରେ ନାହିଁ, ସେମାନଙ୍କୁ Form-6 ଦାଖଲ କରିବାରେ ସହଯୋଗ କରାଯିବ। ପ୍ରଥମ ଥର ଭୋଟ ଦେବାକୁ ଯୋଗ୍ୟ ଯୁବକ/ଯୁବତୀମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ।
ପ୍ରତ୍ୟେକ BLOଙ୍କୁ ପ୍ରତି ସପ୍ତାହରେ ଅନ୍ତତଃ ୨୦-୨୫ ଜଣ ଚିହ୍ନଟ ଯୋଗ୍ୟ ବ୍ୟକ୍ତିଙ୍କୁ ଆବର୍ତ୍ତ କରିବା ପାଇଁ ଲକ୍ଷ୍ୟ ଦିଆଯାଇଛି। ଏହି ପ୍ରକ୍ରିୟାରେ ଚିହ୍ନଟ ତାଲିକା, ପ୍ରାପ୍ତ Form-6 ଏବଂ କ୍ଷେତ୍ର ଯାଞ୍ଚ ରିପୋର୍ଟ ସମ୍ପୃକ୍ତ EROଙ୍କ ନିକଟରେ ଦାଖଲ କରାଯିବ ।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚିହ୍ନଟ ତାଲିକାକୁ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ BLO/BLA ପ୍ରତିନିଧିଙ୍କ ସହ ଅଂଶୀଦାର କରାଯିବ। ଅଭିଯାନ ସମାପ୍ତ ପରେ ସମ୍ପୃକ୍ତ EROଙ୍କ ଦ୍ବାରା ବୁଥର ତାଲିକା ମଧ୍ୟ ସେମାନଙ୍କ ସହ ଅଂଶୀଦାର କରାଯିବ, ଯାହାଦ୍ବାରା ଯୋଗ୍ୟ ଭୋଟରମାନଙ୍କ ନାମ ପଞ୍ଜୀକରଣରେ ସହଯୋଗ କରାଯାଇପାରିବ ।
ଯୋଗ୍ୟ ନାଗରିକମାନଙ୍କୁ Form-6 ଦାଖଲ କରିବାରେ ସୁବିଧା ପ୍ରଦାନ ପାଇଁ Booth Level Camps ଆୟୋଜନ କରାଯିବ ।ଏଥିସହିତ ରାତ୍ରି ଆଶ୍ରୟସ୍ଥଳ, ଶ୍ରମିକ ବସତି, ଗୃହହୀନ ବ୍ୟକ୍ତି ଏବଂ ଅନ୍ୟାନ୍ୟ ବଞ୍ଚିତ ଓ ଅବହେଳିତ ବର୍ଗଙ୍କ ପାଇଁ ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ଶିବିର ଆୟୋଜନ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କ ନାମ ପଞ୍ଜୀକରଣରେ ସହାୟତା କରାଯିବ ।
ଏହି ଅଭିଯାନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ ସଚେତନତା ଓ ଜନସଂଯୋଗ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିବିଶେଷ, VIP, ଗଣମାଧ୍ୟମ ପ୍ରତିନିଧ୍ ଏବଂ ବିଭିନ୍ନ ସାମାଜିକ ସଂଗଠନଙ୍କୁ ଏହି ଅଭିଯାନ ସମ୍ପର୍କରେ ସଚେତନ କରାଯାଇ ଅଧିକରୁ ଅଧିକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ସହଯୋଗ କରିବାକୁ ଆହ୍ୱାନ କରାଯିବ ।
ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ମଧୁମିତା ରଥ ନୟାଗଡ଼ଙ୍କ ପକ୍ଷରୁ ସମସ୍ତ ଯୋଗ୍ଯ ନାଗରିକଙ୍କୁ ଏହି ସୁଯୋଗର ସଦୁପଯୋଗ କରି ନିଜ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବାକୁ ଆହ୍ଵାନ କରାଯାଇଛି । ଏଥିସହିତ, ଯୋଗ୍ୟ ନାଗରିକଙ୍କ ନାମ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ERO, AERO, BLO ଓ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ବିଶେଷ ଅଭିଯାନର ପ୍ରଗତିକୁ ନିୟମିତ ଭାବେ ତଦାରଖ ଓ ସମୀକ୍ଷା କରାଯିବ । ଯେପରି କୌଣସି ଯୋଗ୍ୟ ନାଗରିକ ଭୋଟର ଭାବେ ନାମ ପଞ୍ଜୀକରଣର ସୁଯୋଗରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାପାଇଁ ନିଷ୍ପତି ହୋଇଛି ।
