October 14, 2026
Home » ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ କୁଷ୍ମାଣ୍ଡା ବେଶ :

ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ କୁଷ୍ମାଣ୍ଡା ବେଶ :

0
WhatsApp Image 2026-10-14 at 3.47.27 PM

ଦେବୀପୀଠରେ ଭକ୍ତଙ୍କ ଭିଡ଼, ଆଧ୍ୟାତ୍ମିକ ପରିବେଶରେ ମହମହ ସୁବର୍ଣ୍ଣପୁର l
ସୁବର୍ଣ୍ଣପୁର– ଶାରଦୀୟ ନବରାତ୍ରୀର ଚତୁର୍ଥ ଦିବସରେ ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗା ଦେବୀ କୁଷ୍ମାଣ୍ଡା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ତିନି ଦେବୀଙ୍କ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ବିଭିନ୍ନ ଦେବୀପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ସମଗ୍ର ସହର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି।
ପୌରାଣିକ ବିଶ୍ୱାସ ଅନୁସାରେ, ସୃଷ୍ଟିର ଆରମ୍ଭରେ ସମଗ୍ର ବ୍ରହ୍ମାଣ୍ଡ ଘନ ଅନ୍ଧକାରରେ ଆଚ୍ଛାଦିତ ଥିଲା। ସେହି ସମୟରେ ମା’ କୁଷ୍ମାଣ୍ଡା ନିଜର ମନ୍ଦ ହାସ୍ୟରେ ସୃଷ୍ଟିରେ ଆଲୋକ ସଞ୍ଚାର କରିଥିଲେ ବୋଲି ଧାର୍ମିକ ମାନ୍ୟତା ରହିଛି। ମା’ଙ୍କ ଏହି ସ୍ୱରୂପ ସୃଷ୍ଟି, ଶକ୍ତି, ଜୀବନ ଓ ଉତ୍ସାହର ପ୍ରତୀକ। ତାଙ୍କର ଅଷ୍ଟଭୁଜା ରୂପ ଓ ହସ୍ତରେ ଶୋଭା ପାଉଥିବା ବିଭିନ୍ନ ଆୟୁଧ ଦିବ୍ୟ ଶକ୍ତି ଓ ଧର୍ମରକ୍ଷାର ସନ୍ଦେଶ ପ୍ରଦାନ କରେ।

ମା’ କୁଷ୍ମାଣ୍ଡାଙ୍କ ଆରାଧନା ମାଧ୍ୟମରେ ଭକ୍ତମାନେ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଶକ୍ତି ଲାଭ କରିବା ସହ ଦୁଃଖ ଓ ନିରାଶାରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ଅନ୍ଧକାରରୁ ଆଲୋକ, ନିରାଶାରୁ ଆଶା ଏବଂ ଦୁର୍ବଳତାରୁ ଆତ୍ମବିଶ୍ୱାସ ଆଡ଼କୁ ଅଗ୍ରସର ହେବାର ପ୍ରେରଣା ଦିଏ ମା’ଙ୍କ ଏହି ଦିବ୍ୟ ସ୍ୱରୂପ l ନବରାତ୍ରୀର ଏହି ପବିତ୍ର ଅବସରରେ ସୁବର୍ଣ୍ଣପୁରର ଦେବୀପୀଠଗୁଡ଼ିକରେ ପୂଜାର୍ଚ୍ଚନା, ମନ୍ତ୍ରୋଚ୍ଚାରଣ ଓ ଘଣ୍ଟଘଣ୍ଟାର ଧ୍ୱନି ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ଧୂପ, ଦୀପ, କର୍ପୂର ଓ ଚନ୍ଦନର ସୁଗନ୍ଧରେ ଦେବୀପୀଠଗୁଡ଼ିକ ମହକି ଉଠୁଛି। ମା’ଙ୍କ ଦର୍ଶନ ପାଇଁ ପ୍ରଭାତରୁ ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଛି। ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ଓ ମା’ ଦୁର୍ଗାଙ୍କ ଦିବ୍ୟ କୁଷ୍ମାଣ୍ଡା ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ନବରାତ୍ରୀର ଏହି ପବିତ୍ର ମାହେନ୍ଦ୍ର ବେଳାରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଚେତନାରେ ଭରିଉଠିଛି ସୁବର୍ଣ୍ଣପୁର। ପ୍ରଭାତରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଆଗମନ ସହରର ଧାର୍ମିକ ମହିମାକୁ ଆହୁରି ଉଜ୍ଜ୍ୱଳ କରିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *