November 17, 2026
Home » ବାଲିଯାତ୍ରାର ପ୍ରଚାର ପ୍ରସାର ପାଇଁ ଗଡ଼ିଲା ପ୍ରଜ୍ଞାପନ ରଥ

ବାଲିଯାତ୍ରାର ପ୍ରଚାର ପ୍ରସାର ପାଇଁ ଗଡ଼ିଲା ପ୍ରଜ୍ଞାପନ ରଥ

0
WhatsApp Image 2026-11-17 at 5.03.57 PM

କଟକ,: ଐତିହାସିକ ବାଲିଯାତ୍ରା–୨୦୨୬ର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆଜି ବାଲିଯାତ୍ରା ପଡ଼ିଆସ୍ଥିତ ବୈଷ୍ଣବ ପାଣି ମଞ୍ଚ ସମ୍ମୁଖରେ ଏକ ସୁସଜ୍ଜିତ ପ୍ରଜ୍ଞାପନ ରଥର ଶୁଭାରମ୍ଭ କରାଯାଇଛି। ପୂର୍ବାହ୍ନ ୧୦ ଘଟିକା ସମୟରେ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଏହି ପ୍ରଜ୍ଞାପନ ରଥର ଶୁଭାରମ୍ଭ କରିଥିଲେ। ଏହି ପ୍ରଜ୍ଞାପନ ରଥ ପ୍ରଥମ ପର୍ଯ୍ୟାୟରେ କଟକ ଜିଲ୍ଲାର ସମସ୍ତ ୧୪ଟି ବ୍ଲକ ପରିକ୍ରମା କରିବା ସହ ପଡ଼ୋଶୀ ୫ଟି ଜିଲ୍ଲା ଯଥା ଯାଜପୁର, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଲିଯାତ୍ରାର ବାର୍ତ୍ତା ପହଞ୍ଚାଇବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ଜିଲ୍ଲାକୁ ଏହି ପ୍ରଚାର ଅଭିଯାନ ସମ୍ପ୍ରସାରିତ କରାଯିବ। ଏହାଦ୍ୱାରା ରାଜ୍ୟର ବ୍ୟାପକ ଅଞ୍ଚଳରେ ବାଲିଯାତ୍ରାର ଐତିହ୍ୟ, ପରମ୍ପରା ଓ ଆକର୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇପାରିବ। ବାଲିଯାତ୍ରା କେବଳ ଏକ ମେଳା ନୁହେଁ, ଏହା ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, ନୌବାଣିଜ୍ୟ ପରମ୍ପରା ଓ ଗୌରବମୟ ଇତିହାସର ପ୍ରତୀକ।

ଏହି ଗୌରବମୟ ପରମ୍ପରାର ବାର୍ତ୍ତାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇବା ସହ ଅଧିକରୁ ଅଧିକ ଜନସାଧାରଣଙ୍କୁ ବାଲିଯାତ୍ରା ସହ ଯୋଡ଼ିବା ଏହି ପ୍ରଜ୍ଞାପନ ରଥର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ମହାନଦୀର ବିସ୍ତୃତ ବାଲୁକାଶଯ୍ୟାରେ ଐତିହାସିକ ବାଲିଯାତ୍ରା ଆୟୋଜିତ ହେବ। ଏହି ମହୋତ୍ସବରେ ଓଡ଼ିଶାର କଳା, ସଂସ୍କୃତି, ହସ୍ତଶିଳ୍ପ, ପାରମ୍ପରିକ ଖାଦ୍ୟ ଓ ବାଣିଜ୍ୟିକ ପରମ୍ପରାର ଏକ ଅନନ୍ୟ ସମାଗମ ଦେଖିବାକୁ ମିଳିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ଜନସଂପୃକ୍ତିମୂଳକ ଓ ସଫଳ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପ୍ରଜ୍ଞାପନ ରଥ ମାଧ୍ୟମରେ ମହୋତ୍ସବର ଐତିହାସିକ ଗୁରୁତ୍ୱ, ସାଂସ୍କୃତିକ ମହତ୍ତ୍ୱ ଓ ବିଭିନ୍ନ ଆକର୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯିବ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଡ. ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ତହସିଲଦାର ଦେବଦତ୍ତ ପ୍ରଧାନ, ଡେପୁଟି କଲେକ୍ଟର ସୋଫି ସାଇନିକା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵାଗତିକ ବେହେରା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

 

cuttack ru lalita dash nka report

Leave a Reply

Your email address will not be published. Required fields are marked *