ତୃତୀୟ ଜାତୀୟ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ମାମଲାର ଆପୋଷ ସମାଧାନ
୧୪ ଜଣ ଦାବିଦାରଙ୍କୁ ୬୪.୫୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ବଣ୍ଟନ।
ଧର୍ମଗଡ଼ : ମୋଟର ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଦାବିଦାରମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଧର୍ମଗଡ଼ସ୍ଥିତ ତୃତୀୟ ମୋଟର ଦୁର୍ଘଟଣା କ୍ଷତିପୂରଣ ନ୍ୟାୟାଧିକରଣ (III MACT) ପକ୍ଷରୁ ୧୪ ଜଣ ଦାବିଦାରଙ୍କୁ ମୋଟ ୬୪ ଲକ୍ଷ ୫୫ ହଜାର ଟଙ୍କାର କ୍ଷତିପୂରଣ ରାଶିର ଚେକ୍ ଆଜି ପ୍ରଦାନ କରାଯାଇଛି। ଗତ ୧୨ ସେପ୍ଟେମ୍ବର ୨୦୨୬ ତାରିଖରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅନୁଷ୍ଠିତ ତୃତୀୟ ଜାତୀୟ ଲୋକ ଅଦାଲତରେ ଧର୍ମଗଡ଼ III MACT ଅଧୀନରେ ଥିବା ୫ଟି ମୋଟର ଦୁର୍ଘଟଣା କ୍ଷତିପୂରଣ ମାମଲାର ଆପୋଷ ସମାଧାନ ହୋଇଥିଲା। ଉକ୍ତ ଆପୋଷ ସମାଧାନ ଅନୁଯାୟୀ ସମ୍ପୃକ୍ତ ବୀମା କମ୍ପାନୀ ପକ୍ଷରୁ କିଛି ଦିନ ପୂର୍ବେ ୨୧ଟି ଚେକ୍ ମାଧ୍ୟମରେ ମୋଟ ୬୪,୫୫,୦୦୦ ଟଙ୍କା ଜମା କରାଯାଇଥିଲା। ଆଜି ମାନ୍ୟବର ନ୍ୟାୟାଧିକରଣର ପ୍ରିଜାଇଡିଂ ଅଫିସର ଶ୍ରୀ ଗୁଣ୍ଡିଚା ସାମନ୍ତ ସିଂହାରଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଦାବିଦାରମାନଙ୍କୁ ଉକ୍ତ କ୍ଷତିପୂରଣ ରାଶିର ଚେକ୍ ପ୍ରଦାନ କରାଯାଇଥିଲା। ଲୋକ ଅଦାଲତ ମାଧ୍ୟମରେ ମାମଲାଗୁଡ଼ିକର ଆପୋଷ ସମାଧାନ ହେବା ଫଳରେ ଦାବିଦାରମାନେ ଦୀର୍ଘ ଆଇନଗତ ପ୍ରକ୍ରିୟାରୁ ମୁକ୍ତି ପାଇବା ସହ ନିଜର ନ୍ୟାୟୋଚିତ କ୍ଷତିପୂରଣ ପାଇପାରିଛନ୍ତି। ଏହି ଘଟଣା ଲୋକ ଅଦାଲତ ବ୍ୟବସ୍ଥାର ସଫଳତା ଏବଂ ସାଧାରଣ ଲୋକଙ୍କୁ ସୁଲଭ ଓ ତ୍ୱରିତ ନ୍ୟାୟ ପ୍ରଦାନରେ ଏହାର ଗୁରୁତ୍ୱକୁ ପ୍ରତିପାଦିତ କରୁଛି।ଏହି ପରିପେକ୍ଷୀ ରେ ବରିଷ୍ଠ ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ, ବିଶ୍ୱନାଥ କର ଓ ବୀମା କମ୍ପାନୀ ପକ୍ଷରୁ ଶ୍ରୀ ସମୀର କୁମାର ମୁଣ୍ଡଙ୍କ ସମେତ ସମ୍ପୃକ୍ତ ହିତାଧିକାରୀମାନେ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
