ଡୁଙ୍ଗୁରିପାଲି ଅଞ୍ଚଳରେ ଗୁଳିମାଡ଼: ୱେଲ୍ଡିଙ୍ଗ ମିସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ
ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଆରମ୍ଭ l
ସୁବର୍ଣ୍ଣପୁର—ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅର୍ନ୍ତଗତ ସାଲେପାଲି- ସମଲେଇଚୁଆଁ ରାସ୍ତାର କେନାଲ ରାସ୍ତାରେ ପାଙ୍କେଲ ଗ୍ରାମ ନିକଟରେ ଗତକାଲି ରାତି ପ୍ରାୟ ୮ ଟା ସମୟ ରେ ଏକ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ସୁଦାମ ନାଗ (୩୫) ନାମକ ଜଣେ ୱେଲ୍ଡିଙ୍ଗ ମିସ୍ତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟ ଘଟିଛି । ତାଙ୍କ ମୁଣ୍ଡ, ପିଠି ଓ ଜଂଘରେ ଗୁଳି ବାଜିଥିବା ଜଣାପଡିଛି । ଦୁର୍ବୃତ୍ତମାନେ ପ୍ରାୟ ୪ରୁ ୫ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ମୃତଦେହ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ସୂଚନାପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ସୋନପୁର ଏସଡିପିଓ କଲ୍ୟାଣୀ ବେହେରା, ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଓ ରାମପୁର ଆଇଆଇସି ବିନୋଦିନୀ ବରିହା ତୁରନ୍ତ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗୁଳିମାଡ଼ରେ ଯୁବକଙ୍କ ମୃତଦେହ ରାସ୍ତାରେ ପଡି ରହିଛି । ସୂଚନା ଅନୁଯାୟୀ, ରାମପୁର ଥାନା ବ୍ରାହ୍ମଣୀପାଲି ଗ୍ରାମର ସୁଦାମ ଜଣେ ୱେଲ୍ଡିଙ୍ଗ ମିସ୍ତ୍ରୀ ଭାବରେ କାମ କରୁଥିଲେ । ମଙ୍ଗଳବାର ଦିନ କୌଣସି କାମରେ ସେ ଡୁଙ୍ଗୁରିପାଲି ଯାଇଥିଲେ । କାମ ସାରି ରାତିରେ ବାଇକ୍ ଯୋଗେ ସାଲେପାଲି- ସମଲେଇଚୁଆଁ ରାସ୍ତାରେ ନିଜ ଘରକୁ ଫେରୁଥିଲେ । ପାଙ୍କେଲ ଗାଁ ବୁଲାଣି ରାସ୍ତା ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳିମାଡ କରିଛନ୍ତି । ପ୍ରାୟ ୨ ରାଉଣ୍ଡ ଗୁଳି ତାଙ୍କ ଦେହରେ ବାଜିଛି । ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ ଓ ରାମପୁର ଆଇଆଇସି ବିନୋଦିନୀ ବରିହାଙ୍କ ନେତୃତ୍ବରେ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛନ୍ତି । ତେବେ ଗୁଳିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେପଟେ ଆଜି ସକାଳୁ ବଲାଙ୍ଗୀର ରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
