July 5, 2025
Home » ସ୍ବର୍ଗତ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ସ୍ବର୍ଗତ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

0
WhatsApp Image 2025-01-14 at 5.10.39 PM (1)

ବ୍ରହ୍ମପୁର, ୧୩/୧ ସ୍ଥାନୀୟ ଟାଟା ବେଞ୍ଜ ସ୍ଥିତ କେ.ସି. ପବ୍ଲିକ ସ୍କୁଲ ପରିସରରେ ରବିବାର ସନ୍ଧ୍ୟାରେ ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ଖଲ୍ଲିକୋଟ ରାଜା ସ୍ବର୍ଗତ ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସଭାପତି ଡ.ସାକେତ ରାମା ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସମ୍ମାନନୀୟ କୂଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ମୁଖ୍ୟବକ୍ତା ଭାବେ ପ୍ରଫେସର ଆଦିକନ୍ଦ ସାହୁ, ସମ୍ମାନନୀୟ ଅତିଥି ରୂପେ ମେଜର ରମା ରମଣ ପାଢ଼ୀ, ବରିଷ୍ଠ ଉଦ୍ଘୋଷକ ହୃଷିକେଶ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରିଥିଲେ ।

ସମ୍ପାଦକ ସୁଧାଂଶୁ ଶେଖର ସାହୁ ସଭାକାର୍ଯ୍ୟ ସଞ୍ଚାଳନ ପୂର୍ବକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବର୍ଗତ ରାଜା ସାହେବଙ୍କ ଫୋଟଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଇ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରାଜା ସାହେବଙ୍କ ସମ୍ପୂର୍ଣ୍ଣ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପ୍ରାୟ ବିଭିନ୍ନ ସ୍ଥାନରୁ ବହୁ ବୁଦ୍ଧିଜୀବି ମାନେ ଏକତ୍ରିତ ହୋଇ ସ୍ବର୍ଗତ ରାଜା ବାହାଦୁର ରାମଚନ୍ଦ୍ର ଦେଓଙ୍କ ସମ୍ପର୍କିତ ଅନେକ କଥା ଉପସ୍ଥାପନା କରିଥିଲେ । ସେହିପରି ଉପସ୍ଥିତ ଅତିଥି ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟରେ ଶିକ୍ଷା, ସାହିତ୍ୟ, ସଂସ୍କୃତି, ଲୋକକଳା, ପ୍ରଶାସନ, ସମାଜିକ ଉନ୍ନତି ଦିଗରେ ଏବଂ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଓଡିଶାକୁ ଶ୍ରେଷ୍ଠତାରେ ପ୍ରତିପାଦନ କରିବା ପାଇଁ ଅନ୍ୟତମ ପୂରଧା ରାଜା ବାହାଦୁର ରାମଚନ୍ଦ୍ର ଦେଓଙ୍କ ଅବଦାନ ଅସୀମ ରହିଛି ବୋଲି କୁହାଯାଇଥିଲା।

କେବଳ ଖଲ୍ଲିକୋଟ କାହିଁକି, ଗଞ୍ଜାମ ଜିଲ୍ଲା ସମେତ ସାରା ଓଡିଶାର ସେ ଜଣେ ଅନ୍ୟତମ ବଦାନ୍ୟ ବ୍ୟକ୍ତିତ୍ୱ ଥିଲେ, ଏପରି କି, ଆବାଳ ବୃଦ୍ଧ ବନିତା ଆଜି ବି ତାଙ୍କ ଅବଦାନକୁ ମନେ ପକାଉଛନ୍ତି। ସେ ପ୍ରଜାବତ୍ସଳ ପ୍ରଜାନୁରଂଜକ ରାଜା ଥିଲେ, ଏବଂ ବିଭିନ୍ନ ଦିଗରେ ତାଙ୍କ ନିସ୍ଵାର୍ଥ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରି ସ୍ମୃତି ଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ମିଶ୍ର ପରିଚାଳନା କରିଥିବା ବେଳେ, ପରିଷଦର ସମସ୍ତ ସଦସ୍ୟ ଏବଂ ସଦସ୍ୟା ତଥା କର୍ମକର୍ତ୍ତା ମାନେ ପରିଚାଳନରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ, ପ୍ରକାଶ ପଟ୍ଟନାୟକ, ସାଗର ରଞ୍ଜନ ତ୍ରିପାଠୀଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *