August 5, 2026
Home » ତୁର୍କେଲ ବ୍ରିଜର ଶୀଘ୍ର ପୁନଃନିର୍ମାଣ ଦାବିରେ ବିଶାଳ ପଦଯାତ୍ରା

ତୁର୍କେଲ ବ୍ରିଜର ଶୀଘ୍ର ପୁନଃନିର୍ମାଣ ଦାବିରେ ବିଶାଳ ପଦଯାତ୍ରା

0
WhatsApp Image 2026-08-05 at 12.25.45 PM

 

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରୁ ପଡ଼ୋଶୀ ନୂଆପଡ଼ା ଜିଲ୍ଲା ତଥା ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ତୁର୍କେଲ ବ୍ରିଜର ଶୀଘ୍ର ପୁନଃନିର୍ମାଣ ଦାବିରେ କଂଗ୍ରେସର ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ଦୀର୍ଘ ୧୦୦ ଦିନ ଧରି ଚାଲିଥିବା ଧାରଣା ପରେ ମଙ୍ଗଳବାର ସଦର ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ତୁର୍କେଲ ବ୍ରିଜରୁ ଭବାନୀପାଟଣା ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।
କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦୀର୍ଘଦିନ ଧରି ଆନ୍ଦୋଳନ ଚାଲିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ତୁର୍କେଲ ବ୍ରିଜର ପୁନଃନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳର ପ୍ରାୟ ୧୦ଟି ପଞ୍ଚାୟତର ଲୋକେ ଦୈନନ୍ଦିନ ଯାତାୟାତ, ଚିକିତ୍ସା, ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆମ୍ବୁଲାନ୍ସ ଚଳାଚଳ ବାଧାପ୍ରାପ୍ତ ହେଉଥିବାରୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ମଧ୍ୟ ପ୍ରଭାବିତ ହେଉଥିବା ଦାବି କରାଯାଇଛି।

ତୁର୍କେଲ ବ୍ରିଜକୁ ଅଞ୍ଚଳର “ଜୀବନରେଖା” ଦର୍ଶାଇ ସଦର ବିଧାୟକ ସାଗର ଚରଣ ଦାସ କହିଥିଲେ ଯେ, ଏହାର ଶୀଘ୍ର ପୁନଃନିର୍ମାଣ ହିଁ ଆନ୍ଦୋଳନର ମୁଖ୍ୟ ଦାବି। ସରକାରଙ୍କ ଅବହେଳା ବିରୋଧରେ ଆନ୍ଦୋଳନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ଏବଂ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ବାଧ୍ୟ କରାଯିବ ବୋଲି ସେ କହିଥିଲେ। ସେହିପରି ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତ କଳାହାଣ୍ଡିବାସୀଙ୍କୁ ସେ କୃତଜ୍ଞତା ଜଣାଇଥିଲେ।ପଦଯାତ୍ରାରେ ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ଚାଷୀ, କ୍ଷୁଦ୍ର ବ୍ୟବସାୟୀ ଓ ବିଭିନ୍ନ ବର୍ଗର ହଜାର ହଜାର ଲୋକ ଯୋଗଦେଇଥିଲେ।
ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ, ପୂର୍ବତନ ସଭାପତି ଜୟଦେବ ନାୟକ, ବରିଷ୍ଠ ନେତା ଉତ୍ସବ ସାହୁ, ଧନୁର୍ଦ୍ଧର ଗହୀର, ବ୍ରଜ ସାହୁ, ଇନ୍ଦ୍ରଜିତ ମହାକୁଡ଼, ସୁଦର୍ଶନ ବିଶ୍ୱାଳ, ନିମାଞ୍ଚଳ ନାୟକ, ଗଣପତି ନାୟକ, ମହମ୍ମଦ ସାହେବ, ସିଦ୍ଧାର୍ଥ ନାୟକ, ସୁବାଷ ପ୍ରଧାନ, ଭାଗବତ ଲାଲ, ବାବା ଖାନ, ବେଣୁଧର ଦୁର୍ଗା, ଲିଙ୍ଗରାଜ ନାୟକ, ଆନ୍ଦ୍ରୀୟ ଦୀପ, ସୁକାନ୍ତ ବିଷି, ଦ୍ରୌପଦୀ ମାଝୀ, ନାରୀନେତ୍ରୀ ପ୍ରଗତି ନାୟକ, ମନ୍ଦାକିନୀ ବାଣୁଆ, ସୁକାନ୍ତି ସରାଫ ଏବଂ ଗଣମାଧ୍ୟମ ସଂଯୋଜକ ସନ୍ତୋଷ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ ନେତା, କର୍ମୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *