ନବକଳେବର ହେବ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ
୫୨କିମି ପାଇଁ ୫୬୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ
ଭବାନୀପାଟଣା : ଦୀର୍ଘ ତିନି ଦଶନ୍ଧିର ପରେ ଏବେ ଚାଷୀ ଙ୍କ ବହୁ ପ୍ରତୀକ୍ଷିତ ସ୍ବପ୍ନ ପୂରଣ ହେବାକୁ ଯାଉଛି। କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ପ୍ରକଳ୍ପ କେନାଲ ପାଣି ଉପରେ ଯେଉଁ ଚାଷୀ ମାନେ ନିର୍ଭର କରି ଆସୁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଆଣି ଦେଇଛନ୍ତି ଖୁସିର ଖବର ।ଏଣିକି ଆଉ ରହିବନି କେନାଲ ପାଣି ସମସ୍ୟା । ନବକଳେବର ହେବ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ।ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲାର ଲାଇଫ ଲାଇନ୍ ହେଉଛି ଇନ୍ଦ୍ରାବତୀ ବହୁ ମୁଖୀ ପ୍ରକଳ୍ପ।। ଆଉ ଏହି ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଯୋଗୁଁ ଚାଷୀ ତାର ଆର୍ଥିକ ମେରୁଦଣ୍ଡ କୁ ସୁଦୃଢ଼ କରି ପାରିଛି । ଉଭୟ ବାମ ଓ ଦକ୍ଷିଣ କେନାଲ ପାଣି ପାଇ ବର୍ଷ କୁ ଖରିଫ ଓ ରବି ଧାନ ଚାଷ କରି ସୁନାର ଫସଲ ଫଳାଇ ପାରୁଛି । ୧୯୯୪ ମସିହା ରୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ରୁ କେନାଲ ମାଧ୍ୟମ ରେ ଜଳ ସେଚନ ଆରମ୍ଭ ହୋଇଥିଲା । ଆଉ ଏହି ଜଳ ସେଚନ ଦ୍ୱାରା ବାମ ଓ ଦକ୍ଷିଣ ସମେତ ମେଗା ଲିଫ୍ଟ କେନାଲ ରେ ସମୁଦାୟ ୧ ଲକ୍ଷ ୨୮ ହଜାର ୧୨ ହେକ୍ଟର ଚାଷ ଜମି କୁ ଜଳ ସେଚନ ହେଉଛି । ତେବେ ଗତ କିଛି ବର୍ଷ ପୂର୍ବେ ଦକ୍ଷିଣ କେନାଲର ନବୀକରଣ ହୋଇଥିବା ବେଳେ ବାମ କେନାଲ କିନ୍ତୁ ମରାମତି ଅଭାବ ରୁ ଶୋଚନୀୟ ହୋଇ ପଡିଛି । ଯାହାକୁ ନେଇ ବାମ କେନାଲ ଅଧିନରେ ଥିବା ଜୟପାଟଣା,କୋକସରା,କଲମପୁର,ଧର୍ମଗଡ,ଜୁନାଗଡ ,ଗୋଲାମୁଣ୍ଡା ଆଦି ଅଞ୍ଚଳ ର ଚାଷୀ ମାନେ ବହୁ ସମସ୍ୟା ଭୋଗୁଛନ୍ତି । ତେବେ ଏହି ସମସ୍ୟା ର ସମାଧାନ ପାଇଁ ବର୍ତ୍ତମାନ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।ଇନ୍ଦ୍ରାବତୀ ପ୍ରକଳ୍ପ ରେ ଜଳ ସେଚନ ଆରମ୍ଭ ହେଲା ଦିନ ଠାରୁ ବାମ ମୁଖ୍ୟ କେନାଲ ନବୀକରଣ ହୋଇ ନ ଥିଲା ।

ଯଦ୍ୱାରା କି କେନାଲ ର ଶୋଚନୀୟ ଅବସ୍ଥା ଯୋଗୁଁ ଏହି କେନାଲ ରେ ଥିବା ତଳ ମୁଣ୍ଡ ର ଚାଷୀ ମାନେ ପାଣି ପାଇବାରେ ବଞ୍ଚିତ ହୋଇ ଆସୁଥିଲେ ।ଏହାକୁ ନେଇ ଚାଷୀ ମାନେ ବାରମ୍ବାର ଆନ୍ଦୋଳନ କୁ ଓହ୍ଲାଇବା ସହ ପାଣି ପାଇଁ ହାହାକାର ହେଉଥିଲେ।ତେବେ ଏହି ଘଟଣା କୁ ନେଇ ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ ବିଧାନସଭା ରେ ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ରାଜ୍ୟ ସରକାର ମଧ୍ୟ ଚାଷୀ ଙ୍କ ଏହି ବୃହତ୍ ସମସ୍ୟା କୁ ଦୃଷ୍ଟି ରେ ରଖି ବାମ କେନାଲ କୁ ନବକଳେବର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଜିରୋ ରୁ ଟେଲ ଏଣ୍ଡ ପର୍ଯ୍ୟନ୍ତ ଦୀର୍ଘ ୫୨ କିଲୋମିଟର ଲମ୍ବା ଏହି କେନାଲ ପାଇଁ ପ୍ରଥମ ପର୍ଯ୍ୟାୟ ରେ ୫୬୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯାଇଛି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ର ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଏକ ସ୍ୱତନ୍ତ୍ର ଟିମ୍ ଏହି କେନାଲ ର ନିରୀକ୍ଷଣ କରି ଫେରି ଯାଇଛନ୍ତି । ଏହି କେନାଲ ଉପରେ ୨୫୬ ଗାଁ ର ଚାଷୀ ମାନେ ନିର୍ଭର କରୁଥିବା ବେଳେ ସମୁଦାୟ ୫୯ ହଜାର ୩୦୯ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ।ବର୍ତ୍ତମାନ ଏହି କେନାଲ କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସମ୍ପୂର୍ଣ୍ଣ ନୂତନ ପ୍ରଣାଳୀ ରେ ନବୀକରଣ କରାଯିବ ବୋଲି ଇନ୍ଦ୍ରାବତୀ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ସୂଚନା ଦେଇଛନ୍ତି।ଦିନେ କେନାଲ ପାଣି ଅଭାବ ରୁ ଯେଉଁ ଚାଷୀ ମାନେ ବିଭିନ୍ନ ସମୟ ରେ କ୍ଷତି ସହୁଥିଲେ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବରଦାନ ସଦୃଶ ହୋଇଛି।ଯାହାକୁ ନେଇ ଚାଷୀ ମାନେ ଧର୍ମଗଡ ବିଧାୟକ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଉ ବର୍ତ୍ତମାନ କେନାଲ ପାଣି ପାଇଁ ଆଉ ରାତି ଉଜାଗର ହେବାକୁ ପଡିବ ନାହିଁ ଓ ତଳ ମୁଣ୍ଡରେ ପାଣି ସମସ୍ୟା ଆଉ ରହିବ ନାହିଁ ବୋଲି ଚାଷୀ ମାନେ ଆଶା ପ୍ରକାଶ କରିଛନ୍ତି।ଇନ୍ଦ୍ରାବତୀ ଯୋଗୁଁ ଚିର ମରୁଡ଼ି ପ୍ରପୀଡ଼ିତ କଳାହାଣ୍ଡି ଜିଲା କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିଛି । ଏକଦା ଏହି ଜିଲା ମାତ୍ର ୬୫ ହଜାର କ୍ୱିଣ୍ଟାଲ ଧାନ ଉତ୍ପାଦନ କରୁଥିବା ବେଳେ ବର୍ତ୍ତମାନ ବର୍ଷ କୁ ୯୫ ଲକ୍ଷ କ୍ୱିଣ୍ଟାଲ ଧାନ ଉତ୍ପାଦନ କରି ରାଜ୍ୟ ରେ ରେକର୍ଡ ସୃଷ୍ଟି କରି ପାରିଛି । ଆଉ ତାହା କେବଳ ଚିରସ୍ରୋତା ଇନ୍ଦ୍ରାବତୀ ଯୋଗୁଁ ହିଁ ସମ୍ଭବ ହୋଇ ପାରିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
