July 1, 2026
Home »  ପହଣ୍ଡି ହାଇସ୍କୁଲରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

 ପହଣ୍ଡି ହାଇସ୍କୁଲରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

0
WhatsApp Image 2026-07-01 at 12.52.06 PM

 

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପହଣ୍ଡି ହାଇସ୍କୁଲରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ହାଇସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର କନିଷ୍ଠ କିରାଣୀ ଶ୍ରୀଯୁକ୍ତ ନିରଞ୍ଜନ ରଣା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ରବୀନ୍ଦ୍ର ଭୋଇଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଦ୍ୟାଳୟର ସ୍ଥାପନା ପ୍ରଥମ ବର୍ଷର, ପୂର୍ବତନ ଛାତ୍ର ଶ୍ରୀଯୁକ୍ତ ବଲ୍ଳଭ ମେହେର, ସମ୍ମାନୀତ ଅତିଥି ଭାବେ ସି.ଆର୍.ସି.ସି ନବୀନ କୁମାର ସାହୁ, ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଭାପତି ଚିନ୍ତାମଣି ସାହୁ, ସଦସ୍ୟ ଓ ଅଭିଭାବକଗଣଙ୍କ ସମେତ ଜାରିଂ, ଖରମୁଣ୍ଡା, ପଡା ଆଦି ଉଚ୍ଚ ବିଦ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ପୂର୍ବତନ ଶିକ୍ଷକ ଗୟାଧର ପଟେଲ ସଭା ପରିଚାଳନା କରିଥିବା ବେଳେ ପୂର୍ବତନ ଶିକ୍ଷକ ନିର୍ମଳ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପୂଜାଶ୍ରୀ ମଟାରୀ, ଜ୍ୟୋତି ସାଲମା, ପ୍ରବୀଣା ସାହୁ, ରାଗିଣୀ ସାଗର, ଶିବାନୀ ଡନସନା, ଲିଲିମା ସାହୁ ପ୍ରମୁଖ ଛାତ୍ରୀଗଣ ପ୍ରରମ୍ଭିକ ତଥା ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।

ଅତିଥିଗଣ ବିଦାୟୀ ଶ୍ରୀଯୁକ୍ତ ରଣାଙ୍କ କାର୍ଯ୍ୟକୁଶଳତା ଓ ଶ୍ରୀଯୁକ୍ତ ଭୋଇଙ୍କ ସମୟାନୁବର୍ତ୍ତିତା ଓ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅମାୟିକ ବ୍ୟବହାରକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସାମ୍ପ୍ରତିକ ସ୍ଥିତି ମୁଖ୍ୟତଃ ଶିକ୍ଷକ ଅଭାବ ଜନିତ ପରିସ୍ଥିତିର ସମାଧାନ ନିମିତ୍ତ ଡେପୁଟେସନ ମାଧ୍ୟମରେ ଅନ୍ୟ ବିଦ୍ୟାଳୟରୁ ଶିକ୍ଷକ ନିଯୁକ୍ତି ପାଇଁ ବି.ଇ.ଓ ମହାଶୟଙ୍କୁ ଅନୁରୋଧ କରାଯାଇଥିଲା ଏବଂ ସରକାରଙ୍କ ନିର୍ଦ୍ଦେଶ ବା ସୂଚନା ମୁତାବକ ଏହାର ସୁସମାଧାନ କରାଯିବ ବୋଲି ପ୍ରତ୍ୟୁତ୍ତରରେ ସେ କହିଥିଲେ ।

ପରେ ବିଦାୟୀ କନିଷ୍ଠ କିରାଣୀ ଶ୍ରୀଯୁକ୍ତ ରଣା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀଯୁକ୍ତ ଭୋଇଙ୍କୁ ମନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିଗଣ ବିଭିନ୍ନ ଉଦାହରଣ ତଥା ସମୁଚିତ ବାକ୍ୟ ମାଧ୍ୟମରେ ଉଭୟଙ୍କ ଗୁଣ, ଗାରିମା, କର୍ତ୍ତବ୍ୟନିଷ୍ଠା, ଉତ୍ସର୍ଗିକୃତ ମନୋଭାବକୁ ପ୍ରଶଂସା କରିବା ସହିତ ସୁସ୍ଥ ନିରାମୟ ଦୀର୍ଘାୟୁ କାମନା କରିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ବକ୍ତବ୍ୟ ମାଧ୍ୟମରେ ଉଭୟଙ୍କ ଗୁଣ ଗାନ କରିଥିଲେ । ସମ୍ବର୍ଦ୍ଧନା ପର୍ବ ଅନ୍ତେ ଉଭୟଙ୍କୁ ବିରାଟ ପଟୁଆରରେ ସେମାନଙ୍କ ବାସଗୃହକୁୁ ପହଞ୍ଚାଇ ଦିଆଯାଇଥିଲା। ଶେଷରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନିର୍ମଳ ବାରିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *