July 9, 2026
Home » ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

0
WhatsApp Image 2026-07-08 at 5.34.52 PM (3)

 

ଭୁବନେଶ୍ୱର: ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ, ଶ୍ରୀ ବିଶାଳ କୁମାର ଦେବ ଓପିଟିସିଏଲ୍ ର ସିଏମ୍ଡି ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଏସ୍ ଏନ୍ ଗିରୀଶ ଏବଂ ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ନବୀକରଣୀୟ ଶକ୍ତି ଏବଂ ସୁଲଭ ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ ଘୋଷଣା କରିଛନ୍ତି ଯେ ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଯଥା ପିଏମ-ଆବାସ ଯୋଜନା ସହ ସଂଯୋଜନ କରାଯିବ। ଏହା ସେମାନଙ୍କ ଇଚ୍ଛାଧୀନ ରହିବ। ଆମର ଲକ୍ଷ୍ୟ ହେଉଛି ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀ ମଧ୍ୟ ସୌର ଶକ୍ତିର ସୁବିଧା ପାଇପାରନ୍ତୁ। ରାଜ୍ୟ ଗୃହ ଯୋଜନା ସହ ପିଏମ୍-ସୂର୍ଯ୍ୟ ଘରକୁ ସଂଯୋଜନ କରି ଆମେ ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇ ଦେବା ସହ ସେମାନଙ୍କ ବିଜୁଳି ବିଲ୍ ମଧ୍ୟ ହ୍ରାସ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି।

  

ଏହି ଯୋଜନା ଅଧୀନରେ ସହରାଞ୍ଚଳରେ ୧ କିଲୋ ୱାଟ ବିଶିଷ୍ଟ ଛାତ ଉପର ସୌର ଶକ୍ତି ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ରରୁ ₹୩୦୦୦୦ ଟଙ୍କା ଏବଂ ରାଜ୍ୟରୁ ₹୨୫୦୦୦ ଟଙ୍କା ସବସିଡି ସହାୟତା ଦିଆଯାଉଛି। ହିତାଧିକାରୀଙ୍କୁ ମାତ୍ର ₹୧୮୭୫ ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ।ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଜନ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଡିସ୍କମ୍ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଓଡ଼ିଶାର ସମସ୍ତ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ ₹୩୭୦୮ କୋଟି ବ୍ୟୟରେ ଭୂତଳ କେବୁଲ ତାର ବିଛାଯିବ। ଏହା ଦ୍ୱାରା ବାତ୍ୟା କିମ୍ବା କାଳବୈଶାଖୀ ସମୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବ ନାହିଁ। ଓଡ଼ିଶା ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ଏକ ସମଗ୍ର ସୁରକ୍ଷା ଡିପିଆର ପ୍ରସ୍ତୁତ କରାଯାଉଛି। ବିପଜ୍ଜନକ ଖୋଲା, ତଳକୁ ଝୁଲୁଥିବା ତାର ସ୍ଥାନାନ୍ତର, ଖାଲି କଣ୍ଡକ୍ଟର ସ୍ଥାନରେ ଇନସୁଲେଟେଡ୍ କଣ୍ଡକ୍ଟର(ଆବରଣ ଥିବା), ବିତରଣ ସବଷ୍ଟେସନ୍ ରେ ଫେନ୍ସିଂ(ତାର ଜାଲି) ସ୍ଥାପନ, ପାୱାର ସବଷ୍ଟେସନ ବାଉଣ୍ଡ୍ରି ଓ୍ୱାଲ୍ ଏବଂ ସୁରକ୍ଷା ପାଇଁ କ୍ରେଡେଲ୍/ଗାର୍ଡ ତାର ବ୍ୟବସ୍ଥା କରାଯିବ।ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଓ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲ୍ ର କାର୍ଯ୍ୟାନ୍ୱୟନର ମଧ୍ୟ ସମୀକ୍ଷା କରାଯାଇଛି।ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଓଡ଼ିଶାର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଇବା ପାଇଁ ରାଜ୍ୟ ସରକାର ଅହରହ ଚେଷ୍ଟିତ। ଶକ୍ତି,ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଆଦି ବିଭାଗ ଗୁଡ଼ିକର ସମନ୍ୱୟରେ ଏହି ସୁଧାର କାର୍ଯ୍ୟ ଗୁଡ଼ିକ ପର୍ଯ୍ୟାୟକ୍ରମେ ସମ୍ପାଦନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଜୁଳି ବିଲ୍ ରୁ ମୁକ୍ତି ସହିତ ସୁରକ୍ଷିତ ଓଡ଼ିଶା ଗଠନ ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ।

Leave a Reply

Your email address will not be published. Required fields are marked *