July 9, 2026
Home » ବାହାଘର ବେଳେ ବାଇଗଣ ରୁଆ 

ବାହାଘର ବେଳେ ବାଇଗଣ ରୁଆ 

0
WhatsApp Image 2026-07-09 at 12.56.44 PM

ରଥଯାତ୍ରା ମୁଣ୍ଡ ଉପରେ, ସୋନପୁର ପୌରପାଳିକା ର ​ରଥଯାତ୍ରା ପୂର୍ବରୁ ସରିବ ତ ସହରର ବସଷ୍ଟାଣ୍ଡ ମୁଖ୍ୟ ରାସ୍ତା କଲଭର୍ଟ କାମ ନା ରଥକୁ ବୁଲେଇକି ନେବାକୁ ପଡିବ?
ସୁବର୍ଣ୍ଣପୁର —- ଆଗକୁ ପବିତ୍ର ରଥଯାତ୍ରା। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ସୋନପୁର ମ୍ୟୁନିସିପାଲିଟିର ଚରମ ଅବହେଳା ଓ ଦୂରଦୃଷ୍ଟିହୀନତା ଏବେ ପଦାରେ ପଡ଼ିଛି। ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଠିକ୍ ରଥଯାତ୍ରା ପୂର୍ବରୁ ସହରର ପଞ୍ଚରଥ ମନ୍ଦିର ବସଷ୍ଟାଣ୍ଡ ପାଖ ମୁଖ୍ୟ ରାସ୍ତାରେ କଲଭର୍ଟ ନିର୍ମାଣ କାମ ଆରମ୍ଭ କରି ପୌରପାଳିକା ନିଜର ‘ବାହାଘର ବେଳେ ବାଇଗଣ ରୁଆ’ ନୀତିର ପ୍ରମାଣ ଦେଇଛି।
​ବର୍ଷ ତମାମ ଶୋଇ ରହିଥିବା ଅନ୍ଧ ପ୍ରଶାସନ ଓ ମୂକ ମ୍ୟୁନିସିପାଲିଟିକୁ ହଠାତ୍ ଉତ୍ସବ ପୂର୍ବରୁ ରାସ୍ତା ଓ କଲଭର୍ଟ କାମ କଥା ମନେପଡିଛି। ପାଞ୍ଚରଥ ମନ୍ଦିର ନିକଟସ୍ଥ ଏହି ପ୍ରମୁଖ ରାସ୍ତାଟି ସହରର ଗମନାଗମନ ସହ ଓତଃପ୍ରୋତ ଭାବେ ଜଡିତ। ରଥଯାତ୍ରା ସମୟରେ ଏହି ରାସ୍ତା ଦେଇ ପ୍ରବଳ ଜନଗହଳି ହେବାର ସମ୍ଭାବନା ଥିବାବେଳେ, ବର୍ତ୍ତମାନ ଏଠାରେ ଚାଲିଥିବା ମନ୍ଥର ଗତିର କଲଭର୍ଟ କାମକୁ ନେଇ ସାଧାରଣରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
​ସହରବାସୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ- ରଥଯାତ୍ରା ପୂର୍ବରୁ ଏହି ନିର୍ମାଣ କାର୍ଯ୍ୟ ସରିବ ତ? ନା ଏହି ବିପର୍ଯ୍ୟସ୍ତ ତଥା ଅଧାଗଢ଼ା ରାସ୍ତା ଯୋଗୁଁ ରଥକୁ ବାଧ୍ୟ ହୋଇ ନିଜର ପାରମ୍ପରିକ ପଥ ଛାଡି ଅନ୍ୟ ରାସ୍ତାରେ ବୁଲେଇକି ନେବାକୁ ପଡିବ?​ଏହି ଘଟଣା ସୋନପୁର ମ୍ୟୁନିସିପାଲିଟିର କାର୍ଯ୍ୟଦକ୍ଷତା ଏବଂ ପାରିବା ପଣିଆକୁ ସମ୍ପୂର୍ଣ୍ଣ ରୂପେ ଉଲଗ୍ନ କରିଦେଇଛି। ଯୋଜନାବଦ୍ଧ ଭାବେ ଉନ୍ନୟନମୂଳକ କାର୍ଯ୍ୟ ନକରି ଶେଷ ମୁହୂର୍ତ୍ତରେ ଏଭଳି ତରବରିଆ କାମ କେବଳ ଲୋକଦେଖାଣିଆ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ଏହି ରାସ୍ତା କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାନଗଲେ ଆଗାମୀ ଦିନରେ ପ୍ରଶାସନକୁ ପ୍ରବଳ ଜନଅସନ୍ତୋଷର ସାମ୍ନା କରିବାକୁ ପଡିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚେତାବନୀ ଦିଆଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *