June 3, 2026
Home » ବିନା ନମ୍ବର ପ୍ଲେଟ୍ ଓ କାଗଜପତ୍ରରେ ବର୍ଷ ବର୍ଷ ଧରି ଗଡୁଛି ସଫେଇ ଗାଡ଼ି; ପରିବହନ ବିଭାଗ ନିଦାବିଷ୍ଣୁ, ଡିଜେଲ ବିଲ୍‌କୁ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ଦାବି

ବିନା ନମ୍ବର ପ୍ଲେଟ୍ ଓ କାଗଜପତ୍ରରେ ବର୍ଷ ବର୍ଷ ଧରି ଗଡୁଛି ସଫେଇ ଗାଡ଼ି; ପରିବହନ ବିଭାଗ ନିଦାବିଷ୍ଣୁ, ଡିଜେଲ ବିଲ୍‌କୁ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ଦାବି

0
WhatsApp Image 2026-06-03 at 9.46.58 AM

ସୁବର୍ଣ୍ଣପୁର —– ସୋନପୁର ପୌରପରିଷଦ ଆଇନର ଦୁଇଟି ଚେହେରା ଦେଖିବାକୁ ମିଳିଛି। ଗୋଟିଏ ପଟେ ସାଧାରଣ ଲୋକଟିଏ ରାସ୍ତାକୁ ଗାଡ଼ି ନେଇ ବାହାରିଲେ ଆର.ଟି.ଓ. (RTO) ବା ପରିବହନ ବିଭାଗ ଏବଂ ପୋଲିସ ପକ୍ଷରୁ କଡ଼ା ଚେକିଂ କରାଯାଇ ହଜାର ହଜାର ଟଙ୍କାର ଫାଇନ୍ କଟାଯାଉଛି। କାଗଜପତ୍ର ସାମାନ୍ୟତମ ତ୍ରୁଟି ଥିଲେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ସାଧାରଣ ଜନତାଙ୍କ ଉପରେ ଲଦି ଦିଆଯାଉଛି। କିନ୍ତୁ ଅନ୍ୟପଟେ ସୋନପୁର ପୌରପରିଷଦର ସରକାରୀ ଗାଡ଼ିଗୁଡ଼ିକ ପାଇଁ ଯେମିତି ସବୁ ନିୟମ କୋହଳ। ବିନା ଆର.ଟି.ଓ. ରେଜିଷ୍ଟ୍ରେସନ, ବିନା ନମ୍ବର ପ୍ଲେଟ୍ ଏବଂ କୌଣସି ବୈଧ କାଗଜପତ୍ର ନଥାଇ ବର୍ଷ ବର୍ଷ ଧରି ପୌରପରିଷଦର ସଫେଇ ଗାଡ଼ିଗୁଡ଼ିକ ରାଜରାସ୍ତାରେ ଖୁଲମଖୁଲା ଭାବରେ ଗଡୁଛି। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପରିବହନ (ଆର.ଟି.ଓ.) ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ l ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ବର୍ଷ ଧରି ସୋନପୁର ପୌରପରିଷଦର ଏହି ନମ୍ବର ବିହିନ ଗାଡ଼ିଗୁଡ଼ିକ ସହରର ଆବର୍ଜନା ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସହରର ମୁଖ୍ୟ ରାସ୍ତା ଦେଇ ଏହି ଗାଡ଼ିଗୁଡ଼ିକ ପ୍ରତିଦିନ ଯାତାୟାତ କରୁଥିଲେ ସୁଦ୍ଧା ଆଞ୍ଚଳିକ ପରିବହନ ବିଭାଗ (RTO) ଏହାକୁ ନେଇ କିପରି ଅଜ୍ଞ ରହିଛି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାରୀ ଗାଡ଼ି ବୋଲି କଣ ଏମାନଙ୍କ ପାଇଁ ମୋଟର ଯାନ ଆଇନ ଲାଗୁ ହେବ ନାହିଁ କି ବୋଲି ସାଧାରଣରେ ଆଲୋଚନା ହେଉଛି।

ନମ୍ବର ନାହିଁ, ତେବେ ତେଲ ବିଲ୍ ହେଉଛି କେମିତି? ଏହି ସମ୍ପୂର୍ଣ୍ଣ ଘଟଣା ପଛରେ ଏକ ବଡ଼ ଆର୍ଥିକ ଅନିୟମିତତାର ଗନ୍ଧ ବାରି ହେଉଛି। ନିୟମ ଅନୁଯାୟୀ, ଯେକୌଣସି ସରକାରୀ ଗାଡ଼ିର ଲଗ୍-ବୁକ୍ (Log Book) ମେଣ୍ଟେନ୍ କରିବା ଏବଂ ସରକାରୀ ପାଣ୍ଠିରୁ ତେଲ (ଡିଜେଲ/ପେଟ୍ରୋଲ) ଖର୍ଚ୍ଚର ବିଲ୍ ପାସ୍ କରିବା ପାଇଁ ଗାଡ଼ିର ପଞ୍ଜୀକରଣ ନମ୍ବର ଅତ୍ୟନ୍ତ ଜରୁରୀ। ଯଦି ଗାଡ଼ିର କୌଣସି ନମ୍ବର କିମ୍ବା ବୈଧ କାଗଜପତ୍ର ନାହିଁ, ତେବେ ବର୍ଷ ବର୍ଷ ଧରି ଏହି ଗାଡ଼ିଗୁଡ଼ିକ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଫୁଏଲ୍ ବିଲ୍ କେଉଁ ଆଧାରରେ ପ୍ରସ୍ତୁତ କରାଯାଉଛି ଏବଂ ଏହାକୁ କିଏ ମଞ୍ଜୁର କରୁଛି? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଠାରେ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଚାଲିଛି। ଭିଜିଲାନ୍ସ ତଦନ୍ତ ପାଇଁ ଦାବି, ଏହି ବେଆଇନ କାର୍ଯ୍ୟକଳାପ ଏବଂ ସରକାରୀ ପାଣ୍ଠିର ଅପବ୍ୟବହାରକୁ ନେଇ ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଜନଅସନ୍ତୋଷ ତେଜିବାରେ ଲାଗିଛି। ଏହି ସମ୍ପୂର୍ଣ୍ଣ ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ‘ଭିଜିଲାନ୍ସ ତଦନ୍ତ’ କରାଯିବା ସହ ପୌରପରିଷଦର ଦାୟିତ୍ୱହୀନ ଅଧିକାରୀ ଏବଂ ଏହାକୁ ଆଖିବୁଜି ଦେଇଥିବା ଆର.ଟି.ଓ. କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବେ ସବୁଆଡେ ଦାବି ଜୋର୍ ଧରିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *