ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲି ମନୋଭାବ : ସାମାନ୍ୟ ବର୍ଷାରେ ବେହାଲ ଧଳପୁର-ଖରସଙ୍କୁଲେଇ ପୂର୍ତ୍ତ ବିଭାଗ ରାସ୍ତା
ସୁବର୍ଣ୍ଣପୁର —-ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର-ଖରସଙ୍କୁଲେଇ ପୂର୍ତ୍ତ ବିଭାଗ ରାସ୍ତା ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ହୋଇପଡ଼ିଛି। ରାସ୍ତା ଉନ୍ନତିକରଣ କାମ ଚାଲୁ ରହିଥିବା ସତ୍ତ୍ୱେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟପ୍ରଣାଳୀ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି। ମହାନଦୀ ବନ୍ୟାକୁ ଦୃଷ୍ଟିରେ ରଖି ଉକ୍ତ ରାସ୍ତାକୁ ପ୍ରାୟ ତିନି ମିଟର ଉଚ୍ଚ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ କାମ ମଧ୍ୟ ଚାଲିଛି। କିନ୍ତୁ ପୋଲ ନିର୍ମାଣ ସ୍ଥାନ ଗୁଡିକରେ କରାଯାଇଥିବା ବିକଳ୍ପ ରାସ୍ତାଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ଥିବା ସହିତ କେବଳ ମାଟି ପକେଇ ତିଆରି କରାଯାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ କଳାବୈଶାଖୀ ଯୋଗୁଁ ସାମାନ୍ୟ ବର୍ଷାରେ ସେହି ଡାଇଭର୍ସନ ରାସ୍ତାଗୁଡ଼ିକରେ ପାଣି ଜମି କାଦୁଆ ପରିସ୍ଥିତି ସୃଷ୍ଟି ହୋଇ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି।ଏହି ରାସ୍ତା ବୌଦ୍ଧ, କନ୍ଧମାଳ ଜିଲ୍ଲା ସହିତ ପଡ଼ୋଶୀ ଅନୁଗୁଳ ଜିଲ୍ଲାକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଶତାଧିକ ଯାନବାହନ ଏହି ରାସ୍ତାରେ ଯାତାୟାତ କରୁଛି। ଏହାଛଡ଼ା ହରଭଙ୍ଗା ଅଞ୍ଚଳରୁ ଜିଲ୍ଲା ମୁଖ୍ୟାଳୟକୁ ଯିବା ପାଇଁ ଏହା ମୁଖ୍ୟ ମାର୍ଗ ହୋଇଥିବାରୁ ସ୍କୁଲ-କଲେଜ, ଛାତ୍ରଛାତ୍ରୀ ଓ ଚିକିତ୍ସା ସହିତ ଦୈନିକ କାର୍ଯ୍ୟରେ ଯାଉଥିବା ଲୋକମାନେ ବିଶେଷ ଭାବେ ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଠିକା ସଂସ୍ଥାର ଅନିୟମିତ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ତରଫରୁ ନିୟମିତ ତଦାରଖ ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶୀଘ୍ର ରାସ୍ତାର ଅବସ୍ଥା ସୁଧାର ଓ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ଜୋରଦାର ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
