August 15, 2026
Home » ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ରାଲି ଆୟୋଜିତ

ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ରାଲି ଆୟୋଜିତ

0
WhatsApp Image 2026-08-15 at 11.19.16 AM

ଶାନ୍ତି, ସମ୍ପ୍ରୀତି ଓ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଙ୍କଳ୍ପବଦ୍ଧ ହେବା ପାଇଁ ଆହ୍ଵାନ

ବରଗଡ଼:୧୯୪୭ ମସିହାର ଦେଶ ବିଭାଜନ ସମୟରେ ଘଟିଥିବା ଅମାନବୀୟ ଯନ୍ତ୍ରଣା, ବିସ୍ଥାପନ ଓ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗକୁ ସ୍ମରଣ ସହ ଜାତୀୟ ଏକତା, ସାମ୍ପ୍ରଦାୟିକ ସମ୍ପ୍ରୀତି, ଭାଇଚାରା ଓ ଶାନ୍ତିର ବାର୍ତ୍ତା ପ୍ରସାର କରି ଘୃଣା ଓ ବିଭେଦର କୁପରିଣାମ ସମ୍ପର୍କରେ ସମାଜକୁ ସଚେତନ କରିବା ସହ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବା ଉଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ୧୪ ଅଗଷ୍ଟ ଦିନ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଏ ।

ଏହି ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିଏସ୍‌ଏସ୍‌ ଛକରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା ବା ଶ୍ରଦ୍ଧାଞ୍ଜଳି ରାଲି ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାରେ ପ୍ରାୟ ଏକ ହଜାର ଉର୍ଦ୍ଧ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଏନ୍‌ସିସି କ୍ୟାଡେଟ୍‌, ସ୍କାଉଟ୍‌ସ ଓ ଗାଇଡ୍‌ସ, ବରଗଡ଼ ଫିଜିକାଲ ଏକାଡେମୀର ସ୍ୱେଚ୍ଛାସେବୀ ଏବଂ ସାଧାରଣ ଜନତା ସାମିଲ ହୋଇ ଦେଶ ବିଭାଜନ ସମୟର ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଓ ଅସୀମ ଯନ୍ତ୍ରଣା ଭୋଗିଥିବା ଲୋକମାନଙ୍କ ପ୍ରତି ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ମାନ୍ୟବର ଅତାବିରାର ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ,ମାନ୍ୟବର ବିଜେପୁରର ବିଧାୟକ ଶ୍ରୀ ସନତ ଗଡ଼ତିଆ ଏବଂ ଅତିରିକ୍ତ ଜିଲ୍ଲପାଳ ମଧୁଚନ୍ଦା ସାହୁ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନ ସମୟରେ ଯନ୍ତ୍ରଣା ଭୋଗିଥିବା ଏବଂ ଜୀବନ ହରାଇଥିବା ସମସ୍ତଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଜାତୀୟ ଏକତା, ସାମ୍ପ୍ରଦାୟିକ ସଦ୍‌ଭାବ ଓ ଶାନ୍ତି ବଜାୟ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏବଂ ସମସ୍ତେ ଶାନ୍ତି, ସମ୍ପ୍ରୀତି ଓ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ପାଇଁ ଆହ୍ଵାନ କରିଥିଲେ ।

କାର୍ଯ୍ୟକ୍ରମ ଅବସରରେ ବିଭାଜନ ବିଭୀଷିକା ସମୟର ଯନ୍ତ୍ରଣା, ଦୁଃଖ ଓ ବଳିଦାନକୁ ପ୍ରତିଫଳିତ କରୁଥିବା ବିଷୟଭିତ୍ତିକ ଭିଜୁଆଲ୍‌ ପ୍ରଦର୍ଶିତ କରାଯାଇଥିଲା। ଏହାଦ୍ୱାରା ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ଭାରତ ବିଭାଜନର ଏହି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସମ୍ପର୍କରେ ସଚେତନତା ସୃଷ୍ଟି ହୋଇଥିଲା।କାର୍ଯ୍ୟକ୍ରମ ଶେଷରେ ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ସାମୂହିକ ଶପଥ ଗ୍ରହଣ କରିଥିଲେ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *