ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଲୋକପ୍ରିୟ ଚିକିତ୍ସକ ଡାକ୍ତର ପଲଉ ପ୍ରଧାନ ଙ୍କ ପରଲୋକ
।
ଜିଲ୍ଲା ବ୍ୟାପି ଶୋକର ଛାୟା….
ଭବାନୀପାଟଣା :କଳାହାଣ୍ଡିର ଖ୍ୟାତି ସମ୍ପନ୍ନ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲଉ ପ୍ରଧାନ(୭୨)ଙ୍କ ଗତକାଲି ହୃଦଘାତରେ କୋଏମ୍ବାଟୁରରେ ପରଲୋକ ହୋଇଯାଇଛି। ସାନ ଝିଅ, ଜ୍ଵାଇଁ ଏବଂ ଧର୍ମପତ୍ନୀଙ୍କସହ ସେ ଗତ ରବିବାର ଉତ୍ତର ଭାରତ ଭ୍ରମଣରେଯାଇଥିଲେ। ଗତକାଲି ସକାଳେ କୋଏମ୍ବାଟୁରସ୍ଥିତହୋଟେଲରେ ନିତ୍ୟକର୍ମ କଲାବେଳେ ସେ ଅସୁସ୍ଥହୋଇପଡ଼ିଲେ। ହୋଟେଲ ନିକଟସ୍ଥ ଡାକ୍ତରଖାନାକୁ
ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣାକରିଥିଲେ । ଭାରତୀୟ ସେନାରୁ ଅବସର ପରେ ଦୀର୍ଘ ୪ ଦଶନ୍ଧି ଧରି କଳାହାଣ୍ଡି ଜିଲାରେ ରୋଗୀ ସେବା କରିବା ମଧ୍ୟରେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୧୯୮୮ ମସିହାରେ ଯୋଗ ଦେଇ ସେ ସର୍ବାଧିକ ୧୯ ବର୍ଷ ଶିଶୁଙ୍କ ଚିକିତ୍ସା କରିଥିଲେ।ସେହିଭଳି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପାଷ୍ଟିକୁଡ଼ି ଡାକ୍ତରଖାନାରେ ୭ବର୍ଷ ଲେଖାଏଁ ଅବସ୍ଥାପିତ ପରେ ଚାକିରିରୁ ଅବସର ନେଇଥିଲେ। ତା’ପରେ ମଧ୍ୟ ସେନିରନ୍ତର ରୋଗୀ ସେବାକୁ ପ୍ରାଧାନ୍ୟ ଦେଉଥିଲେ । ଗରିବ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଏବଂ ଅନ୍ୟମାନେ ଯିଏ ଯେତେ ଦେଲେ ଏପରିକି ଏବେ ମଧ୍ୟ ୧୦ରୁ ସର୍ବାଧିକ ୫୦ଟଙ୍କା ଫିଜ୍ ନେଉଥିଲେ। ତାଙ୍କର ସ୍ନେହଭରା ଚିକିତ୍ସାରେ ଅଧା ରୋଗ ଭଲ ହେଉଥିବାରୁ ସେ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରଶଂସାଭାଜନ ହୋଇପାରିଥିଲେ।

ସମ୍ପ୍ରତି ଡାକ୍ତରଙ୍କ ଚିଠାରେ ବହୁ ମୂଲ୍ୟର ଔଷଧ ଲେଖାଯାଉଥିବାବେଳେ ଡ.ପ୍ରଧାନ କମ୍ ମୂଲ୍ୟର ଔଷଧରେ ଶିଶୁମାନେ ଭଲ ହେଇଯାଉଥିଲେ। ଅବସର ପରେ ମଧ୍ୟ ଜୁନାଗଡ଼, ବଲଦିଆମାଲ, ଧର୍ମଗଡ଼, ମୁଖିଗୁଡ଼ା,ଲଡୁଗାଁ, ପାଷ୍ଟିକୁଡ଼ି ପ୍ରଭୃତି ସ୍ଥାନରେ ସେ ସମ୍ପୂର୍ଣ୍ଣ ମାଗଣାରେ ରୋଗୀ ସେବା କରୁଥିଲେ। ତାଙ୍କ ଜନ୍ମମାଟି ବରଗଡ଼ ଜିଲ୍ଲା ଅତାବିରା ହୋଇଥିଲେ ମଧ୍ୟ ସେ ଭବାନୀପାଟଣା ସହର ଶକ୍ତିନଗର ପଡ଼ାରେ ସ୍ଥାୟୀ ଭାବେ ରହୁଥିଲେ। ତାଙ୍କର ୨ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ପୁଅ ମନୀଷ ପ୍ରଧାନ ଜମ୍ମୁରେ ଜଣେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି। ଡାକ୍ତର ପ୍ରଧାନଙ୍କ ଅକାଳ ବିୟୋଗରେ କଳାହାଣ୍ଡିର ବିଭିନ୍ନ ଅଞ୍ଚଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମର ଶରୀରକୁ ବିମାନ ଯୋଗେ ଆଜି ରାୟପୁର ଅଣାଯାଇଛି। ଆଜି ଅପରାହ୍ନରେ ତାଙ୍କର ପୈତୃକ ଗ୍ରାମ ଅତାବିରା ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ।ଡାକ୍ତର ପଲଉ ପ୍ରଧାନ କେବଳ ଜଣେ ଡାକ୍ତର ନଥିଲେ, ବରଂ ଅନେକ ଶିଶୁ ରୋଗୀଙ୍କ ପାଇଁ ଆଶାର କିରଣ ଥିଲେ। ତାଙ୍କର ଦକ୍ଷତା, କୋମଳ ହୃଦୟ ଏବଂ ନିସ୍ୱାର୍ଥପର ସେବା ଆମ ସମାଜରେ ସ୍ୱାସ୍ଥ୍ୟସେବାର ସ୍ତରକୁ ଊର୍ଦ୍ଧ୍ୱକୁ ନେଇଥିଲା ଏବଂ ଏହା ତାଙ୍କୁ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଏକ ଅଭୁଲା ଛାପ ଛାଡିଯାଇଛି।

ତାଙ୍କର ବିୟୋଗରେ ଜିଲ୍ଲା ବ୍ୟାପି ଶୋକର ଛାୟା ଖେଳିଯାଇଛି।କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର,ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ଜିଲ୍ଳାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କର ଅକସ୍ମାତ ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ଏହି ଦୁଃଖଦ ସମୟରେ ସ୍ଵର୍ଗତ ପ୍ରଧାନ ଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଶ୍ରୀ ଜଗନ୍ନାଥ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
