ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଲୁଟ୍ ଉଦ୍ୟମ
ପଛପଟ ଝରକା ଗ୍ରିଲ୍ କାଟି ବ୍ୟାଙ୍କରେ ପଶିଲେ ୪ ଦୁର୍ବୃତ୍ତ; ମୁଖ୍ୟ ଲକର୍ ସୁରକ୍ଷିତ, ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ପୋଲିସ
ଯୋଡ଼ା, : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରାସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଲୁଟ୍ ଉଦ୍ୟମ ହୋଇଛି। ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କର ପଛପଟ ଝରକାର ଲୁହା ଗ୍ରିଲ୍ କାଟି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ତେବେ ମୁଖ୍ୟ ଲକର୍ ନିକଟରେ ପହଞ୍ଚି ନପାରିବାରୁ ବଡ଼ଧରଣର ଲୁଟ୍ରୁ ବ୍ୟାଙ୍କ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧ଟା ୩୦ ପରେ ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କର ପଛପଟକୁ ଯାଇ ଝରକାର ଲୁହା ଗ୍ରିଲ୍ କାଟି ଭିତରକୁ ପଶିଥିଲେ। ବ୍ୟାଙ୍କ ଭିତରେ ବିଭିନ୍ନ କାଗଜପତ୍ର ଓ ଜିନିଷପତ୍ର ଖୋଜାଖୋଜି କରିବା ସହ ଅନେକ ସାମଗ୍ରୀକୁ ଏଣେତେଣେ ଫିଙ୍ଗି ଦେଇଥିଲେ। ତେବେ ମୁଖ୍ୟ ଲକର୍ ଓ ନଗଦ ଟଙ୍କା ରହିଥିବା ସୁରକ୍ଷିତ ସ୍ଥାନରେ ପହଞ୍ଚି ନପାରିବାରୁ ଟଙ୍କା କିମ୍ବା ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଶନିବାର ସକାଳେ ବ୍ୟାଙ୍କ ଖୋଲିବା ପରେ କର୍ମଚାରୀମାନେ ଝରକା ଭଙ୍ଗାଯାଇଥିବା ଏବଂ ଭିତରେ ଜିନିଷପତ୍ର ଅସଜଡ଼ା ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଏନେଇ ଶାଖା ପରିଚାଳକ ବିଶ୍ୱଜିତ ମାଝୀ ତୁରନ୍ତ ଯୋଡ଼ା ଥାନାକୁ ସୂଚନା ଦେଇଥିଲେ।
ଖବର ପାଇ ଯୋଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ପରିସର ସମେତ ଆଖପାଖ ଅଞ୍ଚଳରେ ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯିବା ସହ ଘଟଣାସ୍ଥଳରୁ ବିଭିନ୍ନ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଇଛି। ଦୁର୍ବୃତ୍ତମାନଙ୍କ ଗତିବିଧି, ପରିଚୟ ଏବଂ ଘଟଣା ପରେ ସେମାନେ କେଉଁ ଦିଗକୁ ଯାଇଥିଲେ, ସେନେଇ ପୋଲିସ ତଦନ୍ତ ଚଳାଇଛି।
ଅନ୍ୟପକ୍ଷରେ, ଖଣି ଅଞ୍ଚଳରେ ନିକଟ ଅତୀତରେ ଦୁଇଟି ବଡ଼ଧରଣର ବ୍ୟାଙ୍କ ଲୁଟ୍ ଘଟଣା ଘଟିଥିବା ବେଳେ କଣ୍ଡରା ବ୍ୟାଙ୍କରେ ଲୁଟ୍ ଉଦ୍ୟମ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ବିଶେଷକରି ରାତ୍ରି ସମୟରେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ବ୍ୟାଙ୍କ ପକ୍ଷରୁ ରାତ୍ରିକାଳୀନ ସୁରକ୍ଷା ପାଇଁ କୌଣସି ସୁରକ୍ଷାକର୍ମୀ ନିୟୋଜିତ ନଥିବା ଜଣାପଡ଼ିଛି।
କଣ୍ଡରା ବ୍ୟାଙ୍କଠାରୁ ଝାଡ଼ଖଣ୍ଡ ସୀମା ପ୍ରାୟ ୭ କିଲୋମିଟର ଦୂରରେ ଥିବାରୁ ଏହି ଘଟଣାରେ କୌଣସି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ର ସମ୍ପୃକ୍ତି ରହିଛି କି ନାହିଁ, ସେ ଦିଗକୁ ମଧ୍ୟ ପୋଲିସ ତଦନ୍ତ କରୁଛି। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ାରୁ ଡିମ୍ପଲ ସାଣ୍ଡିଲଙ୍କ ରିପୋର୍ଟ, ଇପିଏ ନିଉଜ।
