ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ନୟାଗଡ଼ରେ ୨୨ ଯୋଡି ବର କନ୍ୟାଙ୍କ ବିବାହ ସମ୍ପନ୍ନ ।
ନୟାଗଡ଼ ନୟାଗଡ଼ ଜିଲ୍ଲାରେ ଆଜି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୨ ଯୋଡି ବର କନ୍ୟାଙ୍କର ବିବାହ ବୈଦିକ ଓ ସରକାରୀ ରେଜିଷ୍ଟ୍ରି ବିବାହ ପ୍ରକାରେ ସମ୍ପନ୍ନ ହୋଇଯାଇଛି l ନୟାଗଡ ଜିଲ୍ଲା ପ୍ରଶାସନ,ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ମହିଳା ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଏକ ଆଡମ୍ବର ପୂର୍ଣ୍ଣ ପରିବେଶରେ ବାଜା, ଶୁଭ ମଙ୍ଗଳ ମହୁରୀ ଓ ହୁଳହୁଳି ମଧ୍ୟରେ ଜିଲ୍ଲାର ଆଠ ଗୋଟି ବ୍ଲକରୁ ଆସିଥିବା ୨୨ଜଣ ବର ଓ ୨୨ ଜଣ କନ୍ୟା ଆର୍ଥିକ ଅନଗ୍ରସର ବର୍ଗ ଚୟନ ପ୍ରକାରେ ସରକାରୀ ସ୍ତରରେ ବିବାହ କରାଯାଇଥିଲା l ଏହି ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଜିଲ୍ଲାରେ ସ୍ବେଛାସେବୀ ଅନୁଷ୍ଠାନ ସେବାକୁ ଦାୟୀତ୍ୱ ପ୍ରଦାନ କରାଯାଇଥିଲା l ସେବା ଅନୁଷ୍ଠାନର ସଞ୍ଜୟ ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପଠାଣି ସାମନ୍ତ ସଂସ୍କୃତି ଭବନକୁ ଆକର୍ଷଣୀୟ ଭାବେ ସାଜ ସଜା କରାଯାଇ ବିବାହ ପାଇଁ ୨୨ ଗୋଟି ବେଦୀ ପ୍ରସ୍ତୁତ କରାଯାଇ ସେହି ପରିମାଣର ହୋମ କୁଣ୍ଡ ପ୍ରସ୍ତୁତ କରାଯାଇଥିଲା l ୨୨ ଜଣ ପୁରୋହିତଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ଓ ମଙ୍ଗଳ ବାଦ୍ୟ ଓ ମଙ୍ଗଳ ହୁଳହୁଳିରେ ନୟାଗଡ଼ ସହରରେ ଆଜି ଏକ ଭାବ ବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା ।


ସକାଳ ୮ ଘଟିକାରୁ ଆରମ୍ଭ ହୋଇଥିବା ଏହି ସାମୂହିକ ବିବାହ କାର୍ଯ୍ୟ ୧୨ ଘଟିକା ସମୟ ପର୍ଯ୍ୟନ୍ତ ଚାଲିଥିଲା l ଜିଲ୍ଲାପାଳ ମଧୁମିତା ରଥଙ୍କ ମାର୍ଗଦର୍ଶନରେ ବିବାହ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା । ଦିବା ୧୨ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ସଭାପତିତ୍ୱରେ ୨୨ ଯୋଡି ନବ ଦମ୍ପତି, ତାଙ୍କ ପରିବାର ଓ ବନ୍ଧୁବର୍ଗ, ପ୍ରଶାସନିକ ଅଧିକାରୀ, ନୟାଗଡର ବୁଦ୍ଧିଜୀବି ମାନଙ୍କ ଉପସ୍ଥିତିରେ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଏକ ମାଙ୍ଗଳିକ ଆଶିର୍ବଚନ ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ରୂପେ ଖଣ୍ଡପଡ଼ାର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲା ପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍ଜ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ସମାଜ କଲ୍ୟାଣ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ଓ ସେବା ଅନୁଷ୍ଠାନର ମୁଖ୍ୟ ସଞ୍ଜୟ କୁମାର ସୁବୁଦ୍ଧି ଯୋଗ ଦେଇ ବର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ l ସମସ୍ତ ନବ ବିବାହିତ ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା ।’ସେବା’ ଦ୍ୱାରା ଝିଅ ପେଡି ଓ ଉପହାର ପ୍ରଦାନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ୨୨ ଯୋଡ଼ି ନବ ଦମ୍ପତିଙ୍କୁ ସରକାରଙ୍କର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ଯୋଡ଼ିଙ୍କୁ ୪୫୦୦୦ ଟଙ୍କା ଲେଙ୍ଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା । ମଞ୍ଚାସିନ ଅତିଥିମାନେ ନବବିବାହିତା ଦମ୍ପତିଙ୍କୁ ଆଶିର୍ବଚନ, ଉପଦେଶ ଦେବାସହ ଦାମ୍ପତ୍ୟ ଜୀବନ ସୁଖମୟ, ମଧୁମୟ ଓ ଆନନ୍ଦମୟ ହେବାପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
