ଯନ୍ତ୍ରଣା ଦେଉଛି ୫୨୦ ନମ୍ବର ଜାତୀୟ ରାଜପଥ
ସାଂସଦଙ୍କ ତାଗିଦ ପରେ ଅସ୍ଥାୟୀ ମରାମତି ଆରମ୍ଭ; ନାଇରା ପେଟ୍ରୋଲ ପମ୍ପ ସମ୍ମୁଖରେ ବଡ଼ ବଡ଼ ଗର୍ତ୍ତ
ଯୋଡ଼ା – କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ ଏବେ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ପାଇଁ ଯନ୍ତ୍ରଣାର କାରଣ ପାଲଟିଛି। ବିଶେଷକରି ଯୋଡ଼ା ଡିଏଭି ସ୍କୁଲ ନିକଟ ନାଇରା ପେଟ୍ରୋଲ ପମ୍ପ ସମ୍ମୁଖରେ ରାଜପଥର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାବେଳେ ବର୍ଷାଜଳ ଜମି ରହିବା ଯୋଗୁଁ ଗର୍ତ୍ତଗୁଡ଼ିକର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଏଠାରେ ଦୁର୍ଘଟଣାର ଆଶଙ୍କା ବଢ଼ିଛି।


ସୂଚନା ଅନୁଯାୟୀ, ସ୍ୱାୟତ୍ତ ଶାସନ ଦିବସ ଅବସରରେ ବଡ଼ବିଲ ପୌରପାଳିକାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାଏକଙ୍କ ସମ୍ମୁଖରେ ଯାଉଥିବା ଏକ ଗାଡ଼ି ନାଇରା ପେଟ୍ରୋଲ ପମ୍ପ ନିକଟରେ ଥିବା ଗଭୀର ଗର୍ତ୍ତରେ ଅଟକି ଯାଇଥିଲା। ଏହି ଘଟଣା ଦେଖି ସାଂସଦ ରାଜପଥର ଦୟନୀୟ ଅବସ୍ଥା ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
ପରେ ସେ ଘଟଣାସ୍ଥଳରୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରାଧିକରଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଫୋନ୍ ଯୋଗେ ତାଗିଦ କରି ତୁରନ୍ତ ରାସ୍ତା ମରାମତି ପାଇଁ କହିଥିବା ଜଣାପଡ଼ିଛି। ସାଂସଦଙ୍କ ତାଗିଦ ପରେ ଏନ୍ଏଚ୍ଏଆଇ ପକ୍ଷରୁ ଉକ୍ତ ସ୍ଥାନରେ ଅସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଗର୍ତ୍ତଗୁଡ଼ିକୁ ପୋତି ରାସ୍ତାକୁ ଯାତାୟାତ ଉପଯୋଗୀ କରିବା ପାଇଁ କାମ ଚାଲିଛି।ଅନ୍ୟପକ୍ଷରେ, ନାଇରା ପେଟ୍ରୋଲ ପମ୍ପ ସମ୍ମୁଖରେ ବର୍ଷାଜଳ ଜମି ରହିବା ଯୋଗୁଁ ରାସ୍ତା ନଷ୍ଟ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏନ୍ଏଚ୍ଏଆଇ ଅଧିକାରୀଙ୍କ ମତରେ, ପେଟ୍ରୋଲ ପମ୍ପଟି ରାଜପଥ ତୁଳନାରେ ଉଚ୍ଚ ସ୍ଥାନରେ ଥିବାରୁ ଜଳର ସ୍ୱାଭାବିକ ନିଷ୍କାସନରେ ସମସ୍ୟା ଦେଖାଦେଉଛି। ପେଟ୍ରୋଲ ପମ୍ପର ଡ୍ରେନେଜ ବ୍ୟବସ୍ଥା ସୁଧାରିବା ଆବଶ୍ୟକ ବୋଲି ଏନ୍ଏଚ୍ଏଆଇ ପକ୍ଷରୁ କୁହାଯାଇଛି।ଏହି ସମସ୍ୟାକୁ ନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିଲା। ତେବେ ନୋଟିସ୍ ସତ୍ତ୍ୱେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷ ପେଟ୍ରୋଲ ପମ୍ପ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଏହାକୁ ବନ୍ଦ କରିଥିବା ଜଣାପଡ଼ିଛି। ତେବେ ପେଟ୍ରୋଲ ପମ୍ପ ବନ୍ଦ କରାଯିବା ସହ ରାସ୍ତାରେ ଜଳ ଜମା ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।ତେବେ କେବଳ ଅସ୍ଥାୟୀ ଭାବେ ଗର୍ତ୍ତ ପୋତିଦେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ରାଜପଥର ଗୁଣାତ୍ମକ ମରାମତି ସହ ଉପଯୁକ୍ତ ଡ୍ରେନେଜ ବ୍ୟବସ୍ଥା କରାଯିବା ଜରୁରୀ। ନଚେତ ବର୍ଷା ହେଲେ ପୁଣି ରାସ୍ତାରେ ପାଣି ଜମି ଗର୍ତ୍ତ ସୃଷ୍ଟି ହେବା ସହ ଯାତ୍ରୀ ଓ ଗାଡ଼ି ଚାଳକଙ୍କ ସମସ୍ୟା ବଢ଼ିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।୫୨୦ ନମ୍ବର ଜାତୀୟ ରାଜପଥର ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାୟୀ ଭାବେ ରାସ୍ତା ମରାମତି, ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଏବଂ ନିୟମିତ ରକ୍ଷଣାବେକ୍ଷଣ କରାଯାଇ ଯାତାୟାତକୁ ସୁରକ୍ଷିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
