ଯୋଡ଼ା ବ୍ଲକରେ ଦ୍ୱାଦଶ ପଞ୍ଚାୟତ ସମିତି ବୈଠକ
ଜଳଯୋଗାଣ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ ସମସ୍ୟା ଉପରେ ଗୁରୁତ୍ୱଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସ୍ୱାଭାଗୃହରେ ବୁଧବାର ଦ୍ୱାଦଶ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମେତ ଜନସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, କୃଷି, ବିଦ୍ୟୁତ ଓ ସାମାଜିକ ସୁରକ୍ଷା ଯୋଜନାର ଅଗ୍ରଗତି ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡେନିଷ ବେହେରା, ବଡ଼ବିଲ ତହସିଲଦାର ରାକେଶ ପଣ୍ଡା, ବିଧାୟକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ନାଏକ, ବ୍ଲକ ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାହୁଙ୍କ ସମେତ ୧୯ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।ପ୍ରାରମ୍ଭରେ ପୂର୍ବ ବୈଠକର ବିବରଣୀ ପାଠ ଓ ଦୃଢ଼ୀକରଣ ପରେ ଗ୍ରାମ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, କୃଷି, ପ୍ରାଣୀସମ୍ପଦ ଓ ଉଦ୍ୟାନ, ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା, ବିଦ୍ୟୁତ, ଶିଶୁ ବିକାଶ, ବାର୍ଦ୍ଧକ୍ୟ ଭତ୍ତା, ସାମାଜିକ ସୁରକ୍ଷା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦି ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିଲା।ବିଭିନ୍ନ ବିଭାଗରେ ଚାଲୁଥିବା କାର୍ଯ୍ୟର ଅଗ୍ରଗତି, ସମ୍ପୂର୍ଣ୍ଣ ହୋଇଥିବା କାମ ଓ ବିଳମ୍ବିତ ପ୍ରକଳ୍ପ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ନାଏକ ଅଧିକାରୀମାନଙ୍କଠାରୁ ତଥ୍ୟ ନେଇଥିଲେ। ଧୀମା ଗତିରେ ଚାଲୁଥିବା କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହ ସରକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବାକୁ ସେ ଅଧିକାରୀମାନଙ୍କୁ ତାଗିଦ କରିଥିଲେ।ବିଶେଷକରି ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟର ମନ୍ଥର ଗତି ନେଇ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରି ଅଧିକ ସ୍ପଷ୍ଟ ଓ ବାସ୍ତବ ତଥ୍ୟ ସହ କାର୍ଯ୍ୟକ୍ରମର ଅଗ୍ରଗତି ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଓ ବିଦ୍ୟୁତ ଯୋଗାଣରେ ବ୍ୟାଘାତ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ନିୟମିତ ବିଦ୍ୟୁତ ସେବା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା।ସେହିପରି ଗୁଆଲି, ବଡ଼କାଳୀମାଟି ଓ କୋମାରଯୋଡ଼ା ମେଡିକାଲରେ ଡାକ୍ତରଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ସହ ନିୟମିତ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ଆବଶ୍ୟକ ବ୍ୟବସ୍ଥା କରିବା ନେଇ ପ୍ରସ୍ତାବ ରଖାଯାଇଥିଲା। ବଲାଗଡ଼ା, ଭଦ୍ରାସାହି ଓ ଜଲହରି ଅଞ୍ଚଳରେ ଫାଇଲେରିଆ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବର୍ଷା ଋତୁକୁ ଦୃଷ୍ଟିରେ ରଖି ଔଷଧ ବଣ୍ଟନ, ରୋଗ ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଥିଲା।ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ଅଭାବ ଓ ଶିକ୍ଷାଦାନର ଗୁଣବତ୍ତା ନେଇ ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଆବଶ୍ୟକତା ଥିବା ବିଦ୍ୟାଳୟରେ ଯୋଗ୍ୟ ଶିକ୍ଷକ ନିୟୋଜନ କରିବା ସହ କର୍ତ୍ତବ୍ୟରେ ଅବହେଳା କରୁଥିବା ଶିକ୍ଷକଙ୍କ ବିରୋଧରେ ନିୟମାନୁସାରେ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ କୁହାଯାଇଥିଲା।ବୈଠକରେ ଉଠିଥିବା ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ସହ ସରକାରୀ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ। ବିଭାଗୀୟ ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଜନସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ।ଶେଷରେ ବ୍ଲକ ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈଠକର ସମାପନ ଘୋଷଣା କରିଥିଲେ।
କେନ୍ଦୁଝର ଜିଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
