ରଥ ନିର୍ମାଣ ଅଗ୍ରଗତି,ଶେଷ ହୋଇଛି ତିନିରଥର ଦଣ୍ଡା ଗୋଳେଇ କାର୍ଯ୍ୟ
ମୁଖ୍ୟ ମହାରଣା ମାନଙ୍କ ଦ୍ୱାରା ତିନିରଥର ଦଣ୍ଡା ରେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପରେ ସହଯୋଗୀ ମହାରଣା ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକ ମାନଙ୍କ ସହଯୋଗରେ ତିନିରଥ ଅଖ ଉପରକୁ ଦଣ୍ଡା ଫ୍ରେମ୍ ଉଠିବା କାର୍ଯ୍ୟ ସମ୍ପନ୍ନ ହୋଇଛି।
ଏଥି ସହ ଆଜି ଶେଷ ହୋଇଛି ତିନିରଥର ଦଣ୍ଡା ଗୋଳେଇ କାର୍ଯ୍ୟ (ଦଣ୍ଡା ଗୁଡିକରେ ଅର୍ଦ୍ଧ ଚନ୍ଦ୍ରାକାର ଖୋଦେଇ ବା କାପ କାର୍ଯ୍ୟ) ଆଜି ତିନିରଥ ଅଖ ଉପରକୁ ଦଣ୍ଡା ଉଠିବାପାରେ ମୁଖ୍ୟ ମହାରଣା ମାନଙ୍କ ମାର୍ଗ ଦର୍ଶନରେ ସହଯୋଗୀ ମହାରଣା ମାନେ ତିନିରଥର ଦଣ୍ଡା ଗୁଡିକରେ ଦଣ୍ଡା ଗୋଳେଇ ମାପ ଚିହ୍ନ ଦେବା ସହ ଦଣ୍ଡା ଗୋଳେଇ ବା ଖୋଦେଇ କାର୍ଯ୍ୟ ଶେଷ କରିଥିଲେ। ତତ୍ ପରେ ତିନିରଥ ଦଣ୍ଡାକୁ ଅଖ ସହ ସେଟିଂ କରାଯାଇ ପାଞ୍ଚ ଦଣ୍ଡା ଆଗ,ପଛ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟ ରେ ସାଲ ଗୁଜ ଏବଂ ପଛ ମୁହାଁଟ ରେ ଜଳଯନ୍ତ୍ର ଏବଂ ଦୁଇଟି ସାଲ ଗୁଜ ଉଠି ଗୁଜ ଉପରେ ନିରାଡ଼ି ପଡ଼ି କୁଡୁକା ସଂଯୋଗ ହୋଇ ଦାଣ୍ଡରେ କଣ୍ଟା ବାଡ଼ିଆ କାର୍ଯ୍ୟ ପାଇଁ କତା ଦଉଡ଼ିରେ ଟାଣ ଦେଇ ବାନ୍ଧେଣୀ କାର୍ଯ୍ୟ ଶେଷ ହୋଇଛି।


*ଆସନ୍ତାକାଲି ପୂର୍ବାହ୍ନରେ ଓଝା କମାର ସେବକଙ୍କ ଦ୍ୱାରା ସମ୍ପନ୍ନ ହେବ ତିନିରଥ ଦାଣ୍ଡରେ କଣ୍ଟା ପଡ଼ିବା କାର୍ଯ୍ୟ*ଏଥିସହ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନିରଥର ସମସ୍ତ ଗୟଳ ର ଚଉପଟ କାର୍ଯ୍ୟ।ରୂପକାର ସେବକ ମାନେ ତିନିରଥର ବେଦୀ ସିଂହାସନ ମୁହାଁଟ ରେ ଚିତ୍ର ଖୋଦେଇ ସହ ତିନିରଥର ନାଟ ଗୋଡ଼ ରେ ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି।
*ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥ ଯାତ୍ରା ରେ ସେବା ପୂଜା ନୀତି ପାଇଁ କାଠ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ପୋଟଳ କଣ୍ଟା ନିର୍ମାଣ ସହ, ତିନିରଥର ଦାଣ୍ଡରେ କଣ୍ଟା ପଡ଼ିବା ପାଇଁ ସମସ୍ତ ଦଣ୍ଡା କଣ୍ଟା ସାଇତା କାର୍ଯ୍ୟ ଶେଷ କରିଛନ୍ତି।
