August 11, 2026
Home » ସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
1001220567
ନୟାଗଡ଼ : ( ଇପିଏ ) ନୟାଗଡସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ତଥା ସ୍ୱଚ୍ଛତା ପ୍ରତି ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନ ସକାଳ ଘ.୭. ୩୦ ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ନୟାଗଡ଼ ପୌରପାଳିକା ପରିସର ପର୍ଯ୍ୟନ୍ତ ଚାଲିଥିଲା।
            ଏହି ଅଭିଯାନରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ , ପୌରପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁଙ୍କ ସମେତ ସରକାରୀ କର୍ମଚାରୀ, ସଫେଇ କର୍ମଚାରୀ,ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ମାତ୍ରାରେ ଯୋଗଦେଇଥିଲେ। ଅଭିଯାନ ସମୟରେ ରାସ୍ତାପାର୍ଶ୍ୱ, ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ପରିମଳ ବ୍ୟବସ୍ଥା ସୁଦୃଢ଼ କରିବା ସହ ଆବର୍ଜନା ସଫା କରାଯାଇଥିଲା। ସ୍ୱଚ୍ଛତା ରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା।
       ମାନନୀୟା ଜିଲ୍ଲାପାଳ ସ୍ଥାନୀୟ ବ୍ୟବସାୟୀ, ଦୋକାନୀ ଓ ସାଧାରଣ ଲୋକଙ୍କୁ ନିଜ ଦୋକାନ ଓ ଘର ସମ୍ମୁଖରେ ଡଷ୍ଟବିନ୍ ରଖିବା ସହ ଆବର୍ଜନା ରାସ୍ତା କିମ୍ବା ସର୍ବସାଧାରଣ ସ୍ଥାନରେ ନ ପକାଇବାକୁ ପରାମର୍ଶ ଦେଇଥିଲେ। ଆବର୍ଜନାକୁ ନିର୍ଦ୍ଦିଷ୍ଟ ଡଷ୍ଟବିନ୍‌ରେ ପକାଇବା ଏବଂ ପୌରପାଳିକାର ଆବର୍ଜନା ସଂଗ୍ରହ ବ୍ୟବସ୍ଥାର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ।
 ସ୍ୱଚ୍ଛ ସହର ଓ ସୁସ୍ଥ ସମାଜ ଗଠନ ପାଇଁ ନିଜ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ସ୍ୱଚ୍ଛତା ଅଭ୍ୟାସକୁ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ କରିବା ପାଇଁ, ଜନସାଧାରଣଙ୍କୁ ଏହି ଅଭିଯାନ ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *