January 25, 2025
Home » ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନର ଆଗୁଆ ପଦକ୍ଷେପ

ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନର ଆଗୁଆ ପଦକ୍ଷେପ

0

ଜଗତସିଂହପୁର/ତିର୍ତୋଲ ତା ୩୧/୦୭ ରିଖ -ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସମସ୍ତ ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ୍ କହିଲେ ମହାନଦୀ ରେ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଅଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସଠିକ୍ ଭାବରେ କାର୍ଯ୍ୟକ୍ଷମ କରିବା,ଦୁର୍ବଳ ନଦୀବନ୍ଧ ସ୍ଥାନକୁ ଚିହ୍ନଟ କରି ତୁରନ୍ତ ମରାମତି କରିବା, ବନ୍ୟାଜଳ ଅବାଧରେ ପ୍ରବାହିତ ହେବାପାଇଁ ଡ୍ରେନ ଗୁଡ଼ିକୁ ସଫା କରିବା, ବନ୍ୟା ସମୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ କରିବା, ନଳକୂପ ଗୁଡ଼ିକର ମରାମତି କରିବା, ଦୁର୍ଗମ ଅଞ୍ଚଳ ତଥା ବନ୍ୟା ପ୍ଲାବିତ ଅଞ୍ଚଳରେ ଖାଦ୍ୟ ପଦାର୍ଥ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ରଖିବା, ବୋଟ ଗୁଡ଼ିକୁ ପ୍ରସ୍ତୁତ୍ କରି ରଖିବା, ବନ୍ୟା ସମୟରେ କ୍ଷତିଗ୍ରସ୍ତ ହେବାକୁ ଥିବା ଫସଲ ଆଦିର ଆକଳନ କରିବା, ସ୍ୱାସ୍ଥ୍ୟ, ଗୋଖାଦ୍ୟ ଯୋଗାଣ, ମତ୍ସ୍ୟ ଚାଷ, ଉଦ୍ୟାନ କୃଷି ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା। ଏତଦବ୍ୟତୀତ ବନ୍ୟା ସମୟରେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବା, ଅତ୍ୟାବଶ୍ୟକୀୟ ସେବା ଯଥା ବିଦ୍ୟୁତ୍, ଟେଲିଫୋନ, ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବନ୍ୟାଦ୍ୱାରା କଚାଘର ଗୁଡ଼ିକ କ୍ଷତିଗ୍ରସ୍ତ ହେଲେ କ୍ଷତିଗ୍ରସ୍ତକୁ ପଲିଥିନ ଯୋଗାଇବା,ବନ୍ୟା ସମୟରେ ସାପ କାମୁଡାରେ ଏବଂ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଲୋକଙ୍କ ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବ୍ଲକ ଗୁଡିକରେ ସ୍ଥାନୀୟ ଆଇ.ଆଇ.ସି,କନିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠନ କରି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ ପ୍ରସ୍ତୁତ କରି ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲା ଜରୁରୀ ବିଭାଗକୁ ପଠାଇବା ପାଇଁ ଜିଲ୍ଲାପାଳ ସମସ୍ତ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ , ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed