August 18, 2026
Home » ଦେଶପ୍ରେମ ଭାବନା ସହ ଇଫକୋ ପାରାଦୀପ ୟୁନିଟ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ

ଦେଶପ୍ରେମ ଭାବନା ସହ ଇଫକୋ ପାରାଦୀପ ୟୁନିଟ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ

0
WhatsApp Image 2026-08-17 at 5.07.49 PM

ପାରାଦୀପ, : ଇଫକୋ ପାରାଦୀପ ୟୁନିଟ୍‌ ପକ୍ଷରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶପ୍ରେମ ଭାବନା ସହ ଶନିବାର ଦିନ ପାଳିତ ହୋଇଥିଲା। ଏହି ଅବସରରେ ବରିଷ୍ଠ ଅଧିକାରୀ, କର୍ମଚାରୀ, ଅଧିକାରୀ ସଙ୍ଘ ଓ କର୍ମଚାରୀ ସଂଘର ସଦସ୍ୟ, ଇଫକୋ ଟାଉନସିପ୍‌ର ବାସିନ୍ଦା ଏବଂ ଡିଏଭି ପବ୍ଲିକ୍ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ଏକ ଭବ୍ୟ ସମାରୋହର ଇଫକୋ ପାରାଦୀପ ୟୁନିଟ ମୂଖ୍ୟ ଅନିରୁଦ୍ଧ ବିକ୍ରମ ସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ପରେ ଏକ ଆକର୍ଷଣୀୟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ଶ୍ରୀ ସିଂହ ଦେଶର ସାର୍ବଭୌମତ୍ୱ ଓ ସ୍ୱାଧୀନତା ପାଇଁ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଅମୂଲ୍ୟ ତ୍ୟାଗକୁ ସ୍ମରଣ କରିଥିଲେ। ବିଶେଷକରି ବର୍ତ୍ତମାନର ବିଶ୍ୱ ଅନିଶ୍ଚିତତା ଏବଂ ପରିବର୍ତ୍ତନଶୀଳ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ଦେଶର ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଏକତାକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
କୃଷକ ସମାଜ ପ୍ରତି ଇଫକୋ ର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ଶ୍ରୀ ସିଂହ କହିଥିଲେ ଯେ, ଦେଶର କୃଷକମାନଙ୍କ ସେବା କରିବା ସହ ଇଫକୋ ନିଜର ସମବାୟ ଭାବଧାରାକୁ ଅବିଚଳିତ ଭାବେ ବଜାୟ ରଖିଛି। ସେ କହିଥିଲେ ଯେ ଇଫକୋ କେବଳ ଏକ ସାର ଉତ୍ପାଦନକାରୀ ସଂସ୍ଥା ନୁହେଁ, ବରଂ ଦେଶର କୋଟି କୋଟି କୃଷକଙ୍କ ସମୃଦ୍ଧି, ଦେଶର ଖାଦ୍ୟ ସୁରକ୍ଷା ଏବଂ ଜାତୀୟ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।
ମାନ୍ୟବର ଚେୟାରମ୍ୟାନ୍ ଶ୍ରୀ ଦିଲୀପ ସଂଘାଣୀ ଜୀ ଏବଂ ମ୍ୟାନେଜିଂ ଡାଇରେକ୍ଟର୍ ଶ୍ରୀ କେ. ଜେ. ପଟେଲ୍ ଜୀଙ୍କ ଦୂରଦୃଷ୍ଟିର ଉଲ୍ଲେଖ କରି ଶ୍ରୀ ସିଂହ କହିଥିଲେ ଯେ, ଇଫକୋ ପ୍ରଯୁକ୍ତିଗତ ଉତ୍କର୍ଷ, ନବସୃଜନ, ଡିଜିଟାଲ୍ ପରିବର୍ତ୍ତନ, ଶକ୍ତି ଦକ୍ଷତା, ପରିବେଶ ସୁରକ୍ଷା, ସୁରକ୍ଷା ବ୍ୟବସ୍ଥା ଏବଂ କୃଷକ-କେନ୍ଦ୍ରିକ ସେବା ମାଧ୍ୟମରେ ଏକ ଅଗ୍ରଣୀ ବିଶ୍ୱ ସମବାୟ ସଂସ୍ଥା ଭାବେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରିବାକୁ ପ୍ରତିବଦ୍ଧ। ସେ ସମସ୍ତ କର୍ମଚାରୀଙ୍କୁ ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ସାମୂହିକ ଭାବେ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ। ସମ୍ପ୍ରତି କିଛି ମାସ ଧରି କଞ୍ଚାମାଲର ଉପଲବ୍ଧତା ଓ ଯୋଗାଣ ସମ୍ପର୍କରେ ସଂସ୍ଥା ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜ ଗୁଡ଼ିକର ମଧ୍ୟ ଶ୍ରୀ ସିଂହ ଉଲ୍ଲେଖ କରିଥିଲେ। ଏହି ଚ୍ୟାଲେଞ୍ଜ ସତ୍ତ୍ୱେ ୟୁନିଟ୍‌ର ସୁଚାରୁ କାର୍ଯ୍ୟ ପରିଚାଳନା ନିଶ୍ଚିତ କରିବାରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ଉତ୍କୃଷ୍ଟ ସମନ୍ୱୟ, ଦୂରଦୃଷ୍ଟି ଓ ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଥିଲେ। ପରିବେଶ ସୁରକ୍ଷା ଓ ଶକ୍ତି ଦକ୍ଷତା ସମ୍ପର୍କିତ ଇଫକୋ ର ପଦକ୍ଷେପ ବିଷୟରେ ଶ୍ରୀ ସିଂହ ଆଲୋକପାତ କରିଥିଲେ। ଦେଶର ୨୦୭୦ ସୁଦ୍ଧା ନେଟ୍ ଜିରୋ ଏମିସନ୍ ଲକ୍ଷ୍ୟ ସହ ସମନ୍ୱୟ ରଖି ପାରାଦୀପ ୟୁନିଟ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ସେ କହିଥିଲେ। ଏହି ପଦକ୍ଷେପଗୁଡ଼ିକ ଶକ୍ତି ଦକ୍ଷତା ବୃଦ୍ଧି, ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ କାର୍ବନ୍ ନିର୍ଗମନ କମାଇବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଅବହେଳିତ ଓ ଆର୍ଥିକ ଦୁର୍ବଳ ବର୍ଗର ଲୋକମାନଙ୍କ କଲ୍ୟାଣ, ବିଶେଷକରି ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳର ସମାଜ ପାଇଁ ଜ୍ୟୋତି ଲେଡିଜ୍ କ୍ଲବ୍ ଦ୍ୱାରା ନିରନ୍ତର କରାଯାଉଥିବା ସେବାମୂଳକ କାର୍ଯ୍ୟକୁ ମଧ୍ୟ ଶ୍ରୀ ସିଂହ ପ୍ରଶଂସା କରିଥିଲେ। ଏହି ଅବସରରେ ଇଫକୋ ର ବରିଷ୍ଠ ଅଧିକାରୀ ଓ ପ୍ରମୁଖ ପଦାଧିକାରୀମାନଙ୍କ ମଧ୍ୟରେ ସୁଶାନ୍ତ କୁମାର ଜେନା, ସଭାପତି, ଇଫକୋ ଅଫିସର୍ସ ଆସୋସିଏସନ ର ସଭାପତି ସୁଶାନ୍ତ କୁମାର ଜେନା ଓ ସାଧାରଣ ସମ୍ପାଦକ ସତ୍ୟଜିତ ଖୁଣ୍ଟିଆ,ଇଫକୋ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ ଓ ସାଧାରଣ ସମ୍ପାଦକ ତୃପ୍ତି ରଞ୍ଜନ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଶେଷରେ ଇଫକୋ ପ୍ରଶାସନିକ ମୁଖ୍ୟ ବିଜୟ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ସେ ସମସ୍ତ ମାନ୍ୟବର ଅତିଥି, ଅଧିକାରୀ, କର୍ମଚାରୀ, ଆସୋସିଏସନ୍ ଓ ୟୁନିଅନ୍‌ର ପ୍ରତିନିଧି, ଟାଉନସିପ୍ ବାସିନ୍ଦା, ଛାତ୍ରଛାତ୍ରୀ ଏବଂ ଅନ୍ୟ ସମସ୍ତଙ୍କୁ ସେମାନଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ ପାଇଁ କୃତଜ୍ଞତା ଜଣାଇଥିଲେ, ଯାହା ଫଳରେ ସ୍ୱାଧୀନତା ଦିବସ ସମାରୋହ ଏକ ଭବ୍ୟ ସଫଳତାରେ ପରିଣତ ହୋଇଥିଲା।

Leave a Reply

Your email address will not be published. Required fields are marked *