ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
ଧର୍ମଗଡ଼ :ଧର୍ମଗଡ଼ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ ଏବଂ କିଶୋର ନ୍ୟାୟ ଅଧିନିୟମ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ତାଲୁକ ଆଇନ ସେବା ସମିତିର ସଦସ୍ୟ ତଥା ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ, ରିଟେନର ପଣ୍ଡା, ସଂଯୁକ୍ତା ପଣ୍ଡା, ପ୍ୟାନେଲ୍ ଓକିଲ କମଳିନୀ ରଥ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ନାଏକ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମର ବିଭିନ୍ନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଅଧିକାର ଓ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ଅବସରରେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାର କିଶୋର ନ୍ୟାୟ ଅଧିନିୟମ ସମ୍ପର୍କରେ ସାମଗ୍ରିକ ଧାରଣା ପ୍ରଦାନ କରିବା ସହ ଏହାର ଗୁରୁତ୍ୱ, କିଶୋରମାନଙ୍କ ସୁରକ୍ଷା ଓ ଆଇନଗତ ଅଧିକାର ବିଷୟରେ ଆଲୋକପାତ କରିଥିଲେ।ସଭାକୁ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷକ ଶଶିକାନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ ଝଙ୍କାର ନିଆଲଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରୀ ଯୋଗଦେଇ ଆଇନ ସମ୍ପର୍କିତ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
