ବନ୍ୟା ମୁକାବିଲା ପାଇଁ ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଠାରେ ଆସନ୍ତା ମୌସୁମୀ ଋତୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ତାଙ୍କ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧୀୟ ବିବରଣୀ ଜିଲ୍ଲା ଜରୁରୀ ଶାଖାକୁ ଦାଖଲ କରିବା ପାଇଁ କୁହାଯାଇଥିଲା ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସ, ସୋନପୁର ଉପଜିଲ୍ଲାପାଳ ଡା. ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗ ର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକକୁ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଶ୍ରୀ ରାଜେଶ କୁମାର ସାହୁ ପରିଚାଳନା କରିଥିଲେ ।ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ କିପରି ପଦକ୍ଷେପ ଗ୍ରହଣ କରାଯିବ, ସେଥିପାଇଁ ଆଲୋଚନା କରାଯାଇଥିଲା । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପିଏଚଡି ଏବଂ ଗ୍ରାମୀଣ ଜଳ ଯୋଗାଣ ଓ ସ୍ୱଚ୍ଛତା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଛଡ଼ା ଜଣ୍ଡିସ୍ ପ୍ରଭାବିତ ଗ୍ରାମଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।ସାପ କାମୁଡ଼ା, ପାଣିରେ ବୁଡ଼ି ମୃତ୍ୟୁ କିମ୍ବା ବଜ୍ରାଘାତଜନିତ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ କିପରି ସହାୟତା ରାଶି ପ୍ରଦାନ କରାଯିବ ଏବଂ ସେଥିପାଇଁ ଆବଶ୍ୟକ ମିଳିତ ନିରୀକ୍ଷଣ କରାଯିବ, ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବନ୍ୟା ସମୟରେ ମିଥ୍ୟା ଓ ଭ୍ରାନ୍ତିକର ଖବର ଉପରେ ବିଶ୍ୱାସ ନ କରି କେବଳ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଉପରେ ଲୋକମାନେ କିପରି ବିଶ୍ୱାସ କରିବେ ଏବଂ ସେଥିପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
