ବରଗଡ଼ ଜିଲ୍ଲାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବରଗଡ଼: ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି କ୍ରମରେ ଆଜି ବରଗଡ଼ ସ୍ଥିତ ଇନଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସାମୂହିକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ମହତ୍ତ୍ୱ ଏବଂ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ସମସ୍ତଙ୍କୁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଆହ୍ୱାନ ଜଣାଇ ଯୋଗ ଶପଥ ପାଠ କରାଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର ସଦସ୍ୟ ଏବଂ ସାଧାରଣ ଜନତା ଉପସ୍ଥିତ ରହି ବରଗଡ଼ ଯୋଗ ସମିତିର ତିନିଜଣ ପ୍ରଶିକ୍ଷକଙ୍କ ନେତୃତ୍ୱରେ ପରିଚାଳିତ ସାମୂହିକ ଯୋଗାଭ୍ୟାସରେ ପ୍ରାର୍ଥନା, ସୂକ୍ଷ୍ମ ବ୍ୟାୟାମ, ଯୋଗାସନ, ପ୍ରାଣାୟାମ, ଧ୍ୟାନ ଓ ଶାନ୍ତି ମନ୍ତ୍ର ଆଦି କମନ୍ ଯୋଗ ପ୍ରୋଟୋକଲ ଅନୁଯାୟୀ ହଜାର ଯୋଗାଭ୍ୟାସ କରିଥିଲେ।


ଏହି ଅବସରରେ ବରଗଡ଼ ଜିଲ୍ଲା ଯୋଗ ସମିତିର ସଂଯୋଜକ ଶ୍ରୀ ମାର୍ତ୍ତଣ୍ଡଦେବ ସାହୁ ଏବଂ ଯୋଗ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନିଜଣ ଯୋଗ ପ୍ରଶିକ୍ଷକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରି ଖଜୁରଟିକ୍ରା ୟୁପିଏସ୍ର ଛାତ୍ରଛାତ୍ରୀମାନେ ଯୋଗ ନୃତ୍ୟ ପରିବେଷଣ କରିଥିଲେ। ଯୋଗର ବିଭିନ୍ନ ଆସନକୁ ସାଂସ୍କୃତିକ ଉପସ୍ଥାପନା ସହ ସମନ୍ୱୟ କରି ସେମାନେ ଯୋଗର ବାର୍ତ୍ତାକୁ ସୃଜନଶୀଳ ଭାବରେ ପ୍ରସାର କରିଥିଲେ। ସେମାନଙ୍କର ଏହି ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ବିପୁଳ ଜନସମାଗମ ଓ ସକ୍ରିୟ ଅଂଶଗ୍ରହଣ ଜିଲ୍ଲାରେ ଯୋଗ ପ୍ରତି ବୃଦ୍ଧି ପାଉଥିବା ସଚେତନତା ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକଙ୍କ ଆଗ୍ରହର ପ୍ରତିଫଳନ ହୋଇଥିଲା। ଶେଷରେ ସମସ୍ତେ ଯୋଗକୁ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ସୁସ୍ଥ, ସମୃଦ୍ଧ ଓ ସନ୍ତୁଳିତ ଜୀବନ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
