ବାହୁଡ଼ା ଯାତ୍ରାରେ ଅଟୋନଗର କମ୍ୟୁନିଟି ସେଣ୍ଟରର ଶୁଭ ଉଦ୍ଘାଟନ
ଅଟୋନଗରରେ ATS ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ପାଇଁ ମନ୍ତ୍ରୀଙ୍କ ଆଶ୍ୱାସନ
ବ୍ରହ୍ମପୁର, (ନରସିଂହ ଡାକୁଆ): ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ହଳଦିଆପଦର ଅଟୋନଗର କମ୍ପ୍ଲେକ୍ସସ୍ଥିତ ଅଟୋନଗର ଆସୋସିଏସନର ନବନିର୍ମିତ କମ୍ୟୁନିଟି ସେଣ୍ଟରକୁ ଓଡ଼ିଶା ସରକାରଙ୍କ ଇସ୍ପାତ, ଖଣି ଓ ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଶୁକ୍ରବାର ଉଦ୍ଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ ଅଚ୍ୟୁତାନନ୍ଦ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରି ମଞ୍ଚାସୀନ କରାଇଥିଲେ। ଆସୋସିଏସନର ସଭାପତି ଶ୍ରୀ ପି. ଧର୍ମାରାଓ ମନ୍ତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉପସ୍ଥିତ ସମସ୍ତ ବିଶିଷ୍ଟ ଅତିଥିଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।ସଭାପତି ଶ୍ରୀ ପି. ଧର୍ମାରାଓ ଅଟୋନଗରର ଯୁବକମାନଙ୍କ ପାଇଁ କମ୍ପ୍ୟୁଟରାଇଜ୍ଡ ଯାନ ପରୀକ୍ଷଣ, ଯାନ ମରାମତି, ପ୍ଲମ୍ବିଂ, ଇଲେକ୍ଟ୍ରିକାଲ କାର୍ଯ୍ୟ ଆଦିରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ, କମ୍ୟୁନିଟି ସେଣ୍ଟରର ପ୍ରଥମ ମହଲା ନିର୍ମାଣ ଏବଂ ପରିଦର୍ଶକ ଓ ଚାଳକମାନଙ୍କ ପାଇଁ ବିଶ୍ରାମାଗାର ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

ଜବାବରେ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଅଟୋନଗରର ଭିତ୍ତିଭୂମି ବିକାଶ ଓ ସଦସ୍ୟମାନଙ୍କ ସ୍ଥାୟୀ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗର ଆଶ୍ୱାସନ ଦେଇଥିଲେ। ସେ ଅଟୋନଗରରେ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ୍ (ATS) ସ୍ଥାପନ କରାଯିବ ବୋଲି ଘୋଷଣା କରିବା ସହ ଡ୍ରାଇଭିଂ ସ୍କୁଲ ଓ ଟେଷ୍ଟିଂ ସେଣ୍ଟରର ପରିଚାଳନା ଦାୟିତ୍ୱ ଆସୋସିଏସନକୁ ଦିଆଯିବ ବୋଲି କହିଥିଲେ। ଅଟୋନଗରର ଆବଶ୍ୟକତା ସମ୍ପର୍କରେ ନିୟମିତ ଭାବେ ତାଙ୍କୁ ଅବଗତ କରିବାକୁ ସେ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।ସଭାକୁ ସମ୍ବୋଧିତ କରି ଶ୍ରୀ ପି. ଧର୍ମାରାଓ କହିଥିଲେ ଯେ, ଶ୍ରମିକଙ୍କ ପରିଶ୍ରମ ହିଁ ରାଜ୍ୟ ଓ ଜାତି ଗଠନର ମୂଳ ଆଧାର। ଶ୍ରମିକ କଲ୍ୟାଣ ଓ ଜାତୀୟ ପ୍ରଗତି ପରସ୍ପର ପରିପୂରକ। ଅଟୋନଗର ଆସୋସିଏସନ ସର୍ବଦା ନ୍ୟାୟ, ଉଚିତ ପାରିଶ୍ରମିକ ଏବଂ ସୌହାର୍ଦ୍ୟପୂର୍ଣ୍ଣ କାର୍ଯ୍ୟ ପରିବେଶ ପାଇଁ କାର୍ଯ୍ୟ କରିଆସିଛି। ସମସ୍ତେ ନିଜ ଅଧିକାର, କର୍ତ୍ତବ୍ୟ ଓ ଦେଶର ସମୃଦ୍ଧି ପାଇଁ ସମର୍ପିତ ହେବାକୁ ସେ ଆହ୍ୱାନ ଜଣାଇଥିଲେ।ଏହି ଉତ୍ସବକୁ ସଫଳ କରିବାରେ ଶ୍ରୀ ବାବୁ ରାଓ, ଶ୍ରୀ ସନ୍ତୋଷ ମହାରଣା, ଶ୍ରୀ ଲକ୍ଷ୍ମୀକାନ୍ତ ଦୋଳାଇ, ଶ୍ରୀ ସନ୍ତୋଷ, ଶ୍ରୀ ଶିବ କୁମାର ବିଶ୍ୱାଳ, ଶ୍ରୀ କାଳିଆ ବିଷୋୟୀ, ଶ୍ରୀ ସାଇବାବା ଆଚାର୍ଯ୍ୟ, ଶ୍ରୀମତୀ କାମାକ୍ଷୀ ଚୌଧୁରୀ, ମୁମତାଜ ଭାଇ, ନଫିସ ଭାଇ, ଶ୍ରୀ ପ୍ରକାଶ ମହାରଣା, ଶ୍ରୀ ଟୁନା ଓ ଆସୋସିଏସନର ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଅଚ୍ୟୁତାନନ୍ଦ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।
